ସ୍ଥାନ ଓଡ଼ିଶାରେ ହେଲେ ଓଡ଼ିଆ ରେ ନାମ ଫଳକ ନାହିଁ, ଓଡ଼ିଆ ଭାଷାକୁ ବଲାଣି ଖଣି କର୍ତୃପକ୍ଷଙ୍କ ଉପେକ୍ଷା

ବଲାଣି : କେନ୍ଦୁଝର ଜିଲ୍ଲାର ସୀମାନ୍ତ ଅଂଚଳ ବଲାଣି ରେ ସ୍ୱର୍ସାଧାରଣ ସ୍ଥାନରେ ନାମ ଫଳକକୁ ନେଇ ଓଡ଼ିଆ ଭାଷାଭାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ରାଷ୍ଟ୍ରାୟତ ଉଦ୍ୟୋଗ ଭାରତୀୟ ଇସ୍ପାତ ପ୍ରାଧିକରଣ(ସେଲ୍‌) ଅନ୍ତର୍ଗତ ରାଉରକେଲା ଇସ୍ପାତ କାରଖାନା ଅଧିନସ୍ଥ ବଲାଣି ଲୌହ ଖଣିର ଟାଉନସିପ ଅଂଚଳରେ ଖଣି କର୍ତୃପକ୍ଷଙ୍କ ପକ୍ଷରୁ ରାସ୍ତା କଡରେ ଥିବା ବିଭିନ୍ନ ସର୍ବସାଧାରଣ ସ୍ଥାନ ସମ୍ମୁଖରେ ନାମଫଳକ ଲଗାଯାଇଛି କିନ୍ତୁ ଉକ୍ତ ନାମ ଫଳକରେ କୌଣସି ସ୍ଥାନରେ ଓଡ଼ିଆରେ ଲେଖାଯାଇନାହିଁ । କେବଳ ହିନ୍ଦୀ ଓ ଇଂରାଜୀରେ ନାମଫଳକ ଲେଖାଯାଇଥିବା ବେଳେ ଓଡ଼ିଶାରେ ଓଡ଼ିଆ ଭାଷାରେ ଲେଖା ନଯିବା ଓଡ଼ିଆ ଭାଷା ପ୍ରତି ବଲାଣି ଖଣି କର୍ତୃପକ୍ଷଙ୍କ ବେଖାତିର ଭାବକୁ ପ୍ରକାଶ କରୁଛି । ସୂଚନାନୁସାରେ ବଲାଣି ଖଣି ପକ୍ଷରୁ ବଲାଣି ଖଣି ଅଂଚଳରେ ଥିବା ବିଭିନ୍ନ ରାସ୍ତାକୁ ମରାମତି କରାଯିବା ପରେ ସହର ସୌନ୍ଦର୍ଯ୍ୟନିମନ୍ତେ ଉକ୍ତ ରାସ୍ତା କଡରେ ଥିବା ବିଭିନ୍ନ ସର୍ବସାଧାରଣ ସ୍ଥାନର ନାମଫଳକ ଠିକାଦାର ପକ୍ଷରୁ ଲଗାଯିବା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ବଲାଣି ରେ ଥିବା ଡାକ ଘର, ମାଉଂଟ କ୍ଳବ, ଡାକ୍ତରଖାନା, ଷ୍ଟେଟ ବ୍ୟାଙ୍କ ଆଦି ନିକଟରେ ଏହି ନାମ ଫଳକ ଲଗାଯାଇଥିବା ବେଳେ କୌଣସି ନାମ ଫଳକରେ ଓଡ଼ିଆ ଭାଷାର ସ୍ଥାନ ନାହିଁ । ଗୋଟିଏ ପକ୍ଷରେ ସରକାର ଓଡ଼ିଆ ଭାଷା ପ୍ରତି ସମ୍ମାନ ଜଣାଇ କ୍ୟାବିନେଟ ବୈଠକରେ ବିଭିନ୍ନ ଆଇନ ପ୍ରଣୟନ କରିଥିଲେ ସୁଦ୍ଧା ରାଷ୍ଟ୍ରାୟତ ଉଦ୍ୟୋଗ ସେଲ୍‌ର ବଲାଣି ଖଣି ଉକ୍ତ ନିୟମକୁ ବାଏଁ ବାଏଁ କରି ଉଡାଇ ଦେଇଥିବା ପରିଲକ୍ଷିତ ହୋଇଛି । ତେବେ ବଲାଣି ଖଣି କର୍ତୃପକ୍ଷର ଓଡ଼ିଆ ଭାଷା ପ୍ରତି ଉପେକ୍ଷା ବିରୋଧରେ ପ୍ରଶାସନ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ସେ ନେଇ ଅଂଚଳର ଓଡ଼ିଆ ପ୍ରେମୀଙ୍କ ନଜର ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *