ସବୁଦିନ ପାଇଁ ଇହ ଜଗତରୁ ବିଦାୟ ନେଇଛନ୍ତି କାକଟପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ ରାଜନେତା ସୁରେନ୍ଦ୍ର ନାଥ ନାୟକ । ଦୀର୍ଘଦିନରୁ ସେ ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡ଼ିତ ଥିଲେ । ମସ୍ତିସ୍କାଘାତ ଯୋଗୁଁ ସେ ୨୦୧୯ ମସିହାରୁ ଚିକିତ୍ସିତ ହେଉଥିଲେ । ଶେଷରେ ୯୩ ବର୍ଷ ବୟସରେ ଶୁକ୍ରବାର ସକାଳେ ପ୍ରାଣତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି। ବିଧାନସଭା ପରିସରରେ ୨ଉପମୁଖ୍ୟମନ୍ତ୍ରୀ ଙ୍କ ସମେତ ବହୁ ବରିଷ୍ଠ ନେତା, ବିଧାୟକ ଓ ମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶେଷ ଦର୍ଶନ କରିବା ଗଭୀର ଶୋକ ପ୍ରକାଶ କରିଛନ୍ତି। ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । କାକଟପୁରବାସୀଙ୍କ ସେବା ଓ କଲ୍ୟାଣ ଦିଗରେ ତାଙ୍କ ଉତ୍ସର୍ଗୀକୃତ ଉଦ୍ୟମ ସର୍ବଦା ସ୍ମରଣୀୟ ବୋଲି କହିଛନ୍ତି ନବୀନ ।
କାକଟପୁର ରାଜନୀତିରେ ଜଣେ ଦକ୍ଷ ଏବଂ ଲୋକପ୍ରିୟ ରାଜନେତା ଥିଲେ ସୁରେନ୍ଦ୍ର । କାକଟପୁର ବିଧାନସଭା ଆସନରୁ ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଅସ୍ତରଙ୍ଗ ପଞ୍ଚାୟତର ସରପଞ୍ଚ ଭାବେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ୧୯୭୧ ସମିହାରେ ସେ ପ୍ରଥମେ ଉତ୍କଳ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ଜନତା ଦଳରୁ ଟିକଟ ପାଇ ୧୯୯୦ ବିଧାନସଭା ନିର୍ବାଚନ ଓ ୧୯୯୫ରେ ଉପନିର୍ବାଚନରେ ବିଜୟ ହାସଲ କରିଥିଲେ । ଏହାପରେ ୨୦୦୦ ଏବଂ ୨୦୦୪ରେ ବିଜେଡ଼ି ଟିକଟରେ ନିର୍ବାଚନ ଲଢି କାକଟପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ନିଜର ରାଜନୈତିକ କ୍ୟାରିଅର ମଧ୍ୟରେ ସେ ଶିକ୍ଷା , ସ୍ୱାସ୍ଥ୍ୟ , ରାଜସ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ରାଜସ୍ୱ ମନ୍ତ୍ରୀ ସମୟରେ ଓଡ଼ିଶାରେ ୧୩ ରୁ ୩୦ ଜିଲ୍ଲା ଗଠନ ହୋଇଥିଲା ।
ସୁରେନ୍ଦ୍ର ନାୟକ ସାଧାରଣଲୋକଙ୍କ ମଧ୍ୟରେ ଅତ୍ୟନ୍ତ ପ୍ରିୟପାତ୍ର ଥିଲେ । ଜଣେ ସୁଦକ୍ଷ ରାଜନେତାଙ୍କୁ ହରାଇ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now