ବଜେଟରେ ପାତରଅନ୍ତରକୁ ନେଇ ପ୍ରତିବାଦ, ଲୋକସଭାରେ ବିରୋଧୀଙ୍କ ହଙ୍ଗାମା

ବଜେଟରେ ପାତରଅନ୍ତରକୁ ନେଇ ପ୍ରତିବାଦ। ଲୋକସଭାରେ ବିରୋଧୀଙ୍କ ହଙ୍ଗାମା ଓ ରାଜ୍ୟସଭାରେ କକ୍ଷତ୍ୟାଗ। କେବଳ ଚୌକି ରକ୍ଷା ଲାଗି ଏହି ବଜେଟ୍ ତିଆରି ହୋଇଥିବା ନେଇ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଗମ୍ଭୀର ଆରୋପ ଲଦିଥିଲେ ମୋଦି ସରକାରଙ୍କ ଉପରେ। ସେପଟେ ଏହାର ଜବାବରେ ଅର୍ଥ ମନ୍ତ୍ରୀ କହିଛନ୍ତି, ସାଧାରଣରେ ବିଭ୍ରାନ୍ତି ସୃଷ୍ଟି କରିବାକୁ ଫନ୍ଦି କରୁଛନ୍ତି ବିରୋଧୀ। କୌଣସି ରାଜ୍ୟର ନାଁ ମୁହଁରେ ନେଲେ ଏହାର ଅର୍ଥ ନୁହେଁ ଯେ, ଅନ୍ୟ ରାଜ୍ୟ କେନ୍ଦ୍ରର ଅବହେଳା ଓ ଅଣଦେଖାର ଶୀକାର ହେଲା।

ବଜେଟ୍‌ରେ ପାତରଅନ୍ତର। ମୋଦି ନିଜ ଚୌକି ସୁରକ୍ଷା ପାଇଁ ମେଣ୍ଟ ସହଯୋଗୀ ଜେଡିୟୁ ଓ ଟିଡିପିକୁ ଖୁସି କରିବାକୁ ଏଭଳି ପାତରଅନ୍ତର ନୀତି ଆପଣାଇଲେ ବଜେଟରେ। ସେଥିଲାଗି ବିହାର ଓ ଆନ୍ଧ୍ରକୁ ଅର୍ଥ ଅଜାଡିଦେଲେ। ସଂସଦ ଆରମ୍ଭ ପୂର୍ବରୁ ବିରୋଧୀ ସଂସଦ ଭବନ ପରିସରରେ ବଜେଟ୍ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଭଳି ଭେଦଭାବକୁ ବରଦାସ୍ତ କରାଯିବନି ବୋଲି ନାରାବାଜି କରିଥିଲେ। ଏହା ପରେ ଅଧିବେଶନ ଆରମ୍ଭ ମାତ୍ରେ ଲୋକସଭାରେ ହଙ୍ଗାମା କରିଥିଲେ ବିରୋଧୀ ଦଳ। ରାଜ୍ୟସଭାରେ ବିରୋଧୀ କକ୍ଷତ୍ୟାଗ କରିଥିଲେ। ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ, କେବଳ ଦୁଇଟି ରାଜ୍ୟକୁ ଛାଡ଼ିଦେଲେ ସମସ୍ତ ରାଜ୍ୟର ପ୍ଲେଟ୍ ଖାଲି ପଡ଼ିଲା। କକ୍ଷତ୍ୟାଗକୁ ନେଇ କଡ଼ା ସମାଲୋଚନା କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼। ଯଦି ରାଜନୀତିକ ଏଜେଣ୍ଡାରେ ଗୃହକୁ ଅଚଳ କରିବାକୁ ଅସ୍ତ୍ର ଭାବେ ଧରାଯିବ, ତା ହେଲେ ଏହା ଗଣତନ୍ତ୍ର ଲାଗି ବିପଦ।

ସେପଟେ ବଜେଟରେ ପାତରଅନ୍ତର ନେଇ ନୀତି ଆୟୋଗ ବୈଠକକୁ ବୟକଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ତାମିଲନାଡ଼ୁ, ତେଲେଙ୍ଗାନା, କର୍ଣ୍ଣାଟକ ଓ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ। ଜୁଲାଇ ୨୭ରେ ନୀତି ଆୟୋଗ ବୈଠକ ଅଛି। ବିରୋଧୀଙ୍କୁ ଜବାବ ଦେଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଯଦି ନିର୍ଦ୍ଦିଷ୍ଟ ରାଜ୍ୟର ନାଁ ବକ୍ତବ୍ୟରେ ରହିଲା। ଏହାର ଅର୍ଥ ନୁହେଁ ଯେ, ଅନ୍ୟ ରାଜ୍ୟକୁ ଏ ସବୁ ବିକାଶମୂଳକ ଯୋଜନାରୁ ବଞ୍ଚିତ କରାଯିବ। ଏହା ବିରୋଧୀଙ୍କ ବିଧିବଦ୍ଧ ଚକ୍ରାନ୍ତ ଓ ସାଧାରଣରେ ଧାରଣା ସୃଷ୍ଟି କରାଯାଉଛି ଯେ, ଅନ୍ୟ ରାଜ୍ୟକୁ କିଛି ଦେଲାନି କେନ୍ଦ୍ର।

ବଜେଟ୍‌ରେ ମେଣ୍ଟ ପ୍ରୀତିରେ ଉବୁଟୁବୁ ସହ ନିଜ ଚୌକି ସୁରକ୍ଷାରେ ମାତିଥିବା ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଅଣ-ବିଜେପି ଶାସିତ ରାଜ୍ୟ ପ୍ରତି ଅଣଦେଖା ଓ ଅବହେଳାକୁ ଗଣ୍ଠି କରିଥିବା ବେଳେ ସଂସଦ ଏହାକୁ ନେଇ ସରଗରମ ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *