ଜମି ଆବଣ୍ଟନରେ ହୋଇଥିବା ଦୁର୍ନୀତିକୁ ନେଇ ଅଡ଼ୁଆରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା

ଜମି ଆବଣ୍ଟନରେ ହୋଇଥିବା ଦୁର୍ନୀତିକୁ ନେଇ ଅଡ଼ୁଆରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା। ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ମାମଲା ଚାଲିବ ବୋଲି ସବୁଜ ସଙ୍କେତ ଦେଇଛନ୍ତି ରାଜ୍ୟପାଳ ଥାଓ୍ୱରଚାନ୍ଦ ଗେହଲଟ। ଆରଟିଆଇ କର୍ମୀ ଟିଜେ ଆବ୍ରାହମ, ପ୍ରଦୀପ ଓ ସ୍ନେହମୟୀ କୃଷ୍ଣାଙ୍କ ଅଭିଯୋଗ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଭ୍ରଷ୍ଟାଚାର ମାମଲା ଚାଲିବ ଓ ତଦନ୍ତ ହେବ ବୋଲି ରାଜ୍ୟପାଳ ଅନୁମତି ଦେବା ପରେ କର୍ଣ୍ଣାଟକ ରାଜନୀତି ସରଗରମ ହୋଇଛି। ମହୀଶୁର ନଗର ଉନ୍ନୟନ ପ୍ରାଧିକରଣ ବା ମୁଡ଼ା ଭୂମି ଆବଣ୍ଟନରେ ମୁଖ୍ୟମନ୍ତ୍ରୀଙ୍କ ସଂପୃକ୍ତି ନେଇ ଆରୋପ ରହିଥିଲା। ନିଜ ପତ୍ନୀ ପାର୍ବତୀ ସିଦ୍ଧରମେୟାଙ୍କୁ ଅନୁଚିତ ଫାଏଦା ଦେବାକୁ କୁଆଡ଼େ ସିଦ୍ଧରମେୟାଙ୍କ ହାତ ଥିଲା। ଦୁର୍ନୀତିର ତଦନ୍ତକୁ ଅନୁମତି ଦେବା ଆଗରୁ ଜୁଲାଇ ୨୬ରେ ମୁଖ୍ୟମନ୍ତ୍ରୀଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଥିଲେ ରାଜ୍ୟପାଳ। ଆଉ ୭ ଦିନ ଭିତରେ ସ୍ପଷ୍ଟିକରଣ ଲୋଡ଼ିଥିଲେ। ମାମଲା କାହିଁକି ଚାଲିବନି କହି କାରଣଦର୍ଶାଅ ନୋଟିସ ଜବାବରେ ସରକାର କହିଥିଲେ ନୋଟିସ ଫେରାଇନିଅନ୍ତୁ। ନିଜ ପଦର ଦୁରୁପଯୋଗ ବନ୍ଦ କରନ୍ତୁ। ଯଦିଓ ସିଦ୍ଧରମେୟା ଆଗରୁ ଏସବୁ ଅଭିଯୋଗକୁ ଖଣ୍ଡନ କରିସାରିଛନ୍ତି। ଆଉ ମୁଖ୍ୟମନ୍ତ୍ରୀ ସତ୍ତ୍ୱେ ସେ କଦାପି ଯାଞ୍ଚ ପ୍ରକ୍ରିୟାରେ କୌଣସି ହସ୍ତକ୍ଷେପ କରିନାହାନ୍ତି ବୋଲି କହିଥିଲେ। ଯଦି ନଗର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଜମି, ତାହେଲେ ସେ ଏହାକୁ ଫେରାଇବାକୁ ବି ରାଜି। ୨୦୨୧ରେ କେଶର ଗାଁରେ  ସିଦ୍ଧରମେୟାଙ୍କ ୩ ଏକର ଜମିକୁ ବିକାଶକାମ ଲାଗି ଅଧିଗ୍ରହଣ କରିଥିଲା ମୁଡ଼ା। କ୍ଷତିପୂରଣ ବାବଦରେ ଆବଣ୍ଟିତ ଜମିକୁ ପାର୍ବତୀ ବିଜୟନଗରରେ ବିକିଥିଲେ।  ଅଭିଯୋଗ ଥିଲା କି, ଆବଣ୍ଟିତ ଜମିର ବଜାର ମୂଲ୍ୟ ତାଙ୍କ ଜମିଠାରୁ ଯଥେଷ୍ଟ ଅଧିକା ଥିଲା। ଜମି ଆବଣ୍ଟନ ପ୍ରକ୍ରିୟା ଅବୈଧ ଭାବରେ ହେରଫେର୍ ହୋଇଥିଲା। ସିଦ୍ଧରମେୟାଙ୍କ ପତ୍ନୀଙ୍କୁ ୧୪ଟି ଭଲ ଲୋକେସନରେ ଜମି ଆବଣ୍ଟିତ କରିଥିଲା ମୁଡା। ସେପଟେ ଏହାକୁ ନେଇ ରାଜନୀତିକ ଘମାସାନ ହୋଇଛି। କର୍ଣ୍ଣାଟକ ସରକାରର ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ କହିଛନ୍ତି, ରାଜଭବନର ଦୁରୁପଯୋଗ କରି ବିଜେପି ଦ୍ୱାରା ଲୋକତାନ୍ତ୍ରିକ ଭାବେ ନିର୍ବାଚିତ ସରକାରଙ୍କୁ ଦୁର୍ବଳ ଲାଗି ପ୍ରୟାସ ହେଉଛି। ରାଜ୍ୟର ସାମ୍ୱିଧାନିକ ମୁଖ୍ୟ ରାଜ୍ୟପାଳ ନିଜର ରାଜନୈତିକ ଆକାଙ୍କ୍ଷାକୁ ଚରିତାର୍ଥ ସକାଶେ ସାମ୍ୱିଧାନିକ ସଂକଟକୁ ଛିଡ଼ା କରୁଛନ୍ତି। ଏଭଳି ନିଷ୍ପତ୍ତି ବିରୁଦ୍ଧରେ ହାଇକୋର୍ଟ ଯିବେ ସରକାର। ସିଦ୍ଧରମେୟାଙ୍କ ଓକିଲ କହିଛନ୍ତି, ପାର୍ବତୀଙ୍କ ଜମି ଦର ୫୭ କୋଟି ଟଙ୍କା ଥିଲା। କିନ୍ତୁ ତାଙ୍କୁ କେବଳ ୧୫ରୁ ୧୬ କୋଟି କ୍ଷତିପୂରଣ ମିଳିଥିଲା।

ଜମିର କ୍ଷତିପୂରଣ ପାଇଁ ଜାଲି ଦସ୍ତାବିଜ୍ ଲଗାଇଥିବା ଆରୋପ ରହିଛି। ମୁଡା ଘୋଟାଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ସମେତ ୯ଜଣଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି। ସିଦ୍ଧରମେୟା, ତାଙ୍କ ପତ୍ନୀ ଓ ସମ୍ପର୍କୀୟଙ୍କ ସହ ମୁଡା ଅଧିକାରୀ ସଲାସୁତୁରାରେ ମୂଲ୍ୟବାନ ଜାଗା ହାତେଇବାକୁ କାରସାଦି କରିଥିଲେ। ମୂଲ୍ୟବାନ ଜମି ହାତେଇବାକୁ ଜାଲି ଦସ୍ତାବିଜ୍ ତିଆରି ହୋଇଥିଲା। ୨୦୨୧ରେ ମୁଡା ସ୍କିମ ଅନୁସାରେ, କୌଣସି ଜମି ଉପରେ ଆବାସିକ ଲେଆଉଟ୍ ବିକାଶ ପାଇଁ ଜମି ଅଧିଗ୍ରହଣ କରିପାରିବ। ଅଧିଗ୍ରହଣ ବଦଳରେ ବିକଳ୍ପ ଭାବରେ କ୍ଷତିପୂରଣ ବାବଦରେ ଜମି ମାଲିକଙ୍କୁ ୫୦ ପ୍ରତିଶତ ଜମି କୌଣସି ଭଲ ଲୋକେସନରେ ଦିଆଯିବ। ୨୦୨୩ରେ ବିବାଦ ଦେଖି ଏହି ସ୍କିମକୁ ନଗର ଉନ୍ନୟନ ମନ୍ତ୍ରୀ ବୈରାଠୀ ସୁରେଶ ପ୍ରତ୍ୟାହାର କରିନେଇଥିଲେ। ଗଲା ୪ ବର୍ଷ ଭିତରେ ୫୦ : ୫୦ ଅନୁପାତରେ ୬ହଜାରରୁ ଅଧିକ ସାଇଟ୍ ଆବଣ୍ଟିତ ହୋଇଛି। ମୁଡା ଘୋଟାଲାରେ ଅବୈଧ ଆବଣ୍ଟନ ଲାଗି ୪୫ କୋଟି ଟଙ୍କାର ରାଜସ୍ୱ ହାନୀ ହୋଇଛି। ସେଥିଲାଗି ସିଦ୍ଧରମେୟା, ତାଙ୍କ ପତ୍ନୀ, ପୁଅ ଓ ମୁଡାର କମିଶନରଙ୍କ ବିରୁଦ୍ଧରେ ମାମଲା ଚଲାଇବାକୁ ଦାବି ହୋଇଥିଲା।

୨୦୦୯ରେ ଆଗ ଆରମ୍ଭ ହୋଇଥିଲା ଏହି ସ୍କିମ୍। ୨୦୨୦ରେ ତତ୍କାଳୀନ ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିଦେଇଥିଲେ। ତେବେ ଭ୍ରଷ୍ଟାଚାର ମାମଲାର ତଦନ୍ତକୁ ରାଜ୍ୟପାଳ ଅନୁମତି ଦେବା ପରେ ଏବେ ଟେନସନରେ ପଡ଼ିଛନ୍ତି କର୍ଣ୍ଣାଟକ ସରକାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *