ବହୁ ଚର୍ଚ୍ଚିତ ଲୁମେକ୍ସ ଲୁଟ୍ ମାମଲାରେ କିଙ୍ଗପିନ୍ ଦମ୍ପତ୍ତି ରାଜୀବ ଦାସ ଓ ସୋନିଆ ତ୍ରିପାଠୀଙ୍କୁ ବାନ୍ଧିଥିଲା ପୁଲିସ। ତା ପୁଣି ଅନେକ ତୁମ୍ୱିତୋଫାନ ପରେ। ରାଜନୈତିକ କମ୍ପନରୁ ନେଇ ନ୍ୟାୟ ଲାଗି ପୀଡ଼ିତାଙ୍କ ରୀତିମତ ସଂଘର୍ଷରୁ। କମିଶନରେଟ ପୁଲିସ ଓ ଇଓଡବ୍ଲୁ ଭିତରେ ଲାଗିଥିଲା ଯେମିତି ପ୍ରତିଯୋଗିତା। ଏହାରି ଭିତରେ ସରକାର ବଦଳିଗଲାଣି। କିନ୍ତୁ ଅନ୍ୟ ଅଭିଯୁକ୍ତ ଆଜି ଯାଏ ଆଇନ ସହ ଲୁଚକାଳି ଖେଳ ଖେଳୁଛନ୍ତି। ବଡ଼ କଥା ହେଲା ବିରୋଧୀ ଦଳରେ ଥିବାବେଳେ ଯେଉଁ ବିଧାୟକ ଏହି ପ୍ରସଙ୍ଗକୁ ନେଇ ବିଧାନସଭା ଭିତରେ ଓ ବାହାରେ ହୁଲସ୍ତୁଲ କରୁଥିଲେ, ସେମାନଙ୍କ ଭିତରୁ ଆଜି ଅନେକ ମନ୍ତ୍ରୀ। ସେଥିଲାଗି ଆଶା କରାଯାଉଛି, ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ଧରିବା ସହ ପୀଡ଼ିତାଙ୍କ କଷ୍ଟଅର୍ଜିତ ଅର୍ଥ ବି ଫେରିବ।
ବିଜେଡି ସରକାର ଅମଳରେ ମୁଖ୍ୟମନ୍ତ୍ରୀ, ଫାଇଭ-ଟି ସଚିବ, ଗୃହ ସଚିବଙ୍କଠୁ ନେଇ ଡିଜିଙ୍କ ଯାଏ ନ୍ୟାୟ ଲାଗି ଫେରାଦ୍ ହୋଇଥିଲେ ପୀଡ଼ିତା। ଏବେ ବିଜେପି ସରକାର ଅମଳରେ ବି ସେୟା କରୁଛନ୍ତି। ପ୍ରସଙ୍ଗ ସମାନ। କିନ୍ତୁ ସରୁନି ପୀଡ଼ିତାଙ୍କ ସଂଘର୍ଷ। ବହୁ ଚର୍ଚ୍ଚିତ ଲୁମେକ୍ସ, ବ୍ରାଇଟ ହୋମ୍ସ ଡେକର ଭଳି ଫ୍ରଡ୍ ସଂସ୍ଥା ନାଁରେ କୋଟି କୋଟି ଟଙ୍କା ଚୂନ ଲଗାଇଥିବା ଅଧିକାଂଶ ଅଭିଯୁକ୍ତ ଆଜି ଯାଏ ବି ଆଇନର ଫାଶରୁ ଦୂରରେ। ୫ ଅଭିଯୁକ୍ତଙ୍କ ଭିତରୁ ମୁଖ୍ୟ କିଙ୍ଗପିନ୍ ଦମ୍ପତ୍ତି ରାଜୀବ ଦାସ ଓ ସୋନି଼ଆ ତ୍ରିପାଠୀଙ୍କୁ ବି ଖସାଇବାକୁ କେତେ ଯେ ଫନ୍ଦି ହୋଇଥିଲା, ତାହା ଅତୀତ। ବିଭିନ୍ନ ଗଣମାଧ୍ୟମରେ ଏହା ବାହାରିନଥିଲେ କି ବିଧାନସଭାରେ ଏହାକୁ ନେଇ ବିରୋଧୀ ତୁମ୍ୱିତୋଫାନ କରିନଥିଲେ ହୁଏତ ଆଜି ଯାଏ ମୁଖ୍ୟ କାର୍ପଟଦାର ଦମ୍ପତ୍ତି ସେମିତି ବେଧଡ଼କ ବୁଲୁଥାଆନ୍ତେ। ନ୍ୟାୟ ଲାଗି ସଂଘର୍ଷ ଜାରି ରଖିଛନ୍ତି ପୀଡ଼ିତା। ବଡ଼ କଥା ହେଲା ନୂଆ ସରକାର ଆସିବା ପରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ ଧରିବ। ଏହା ସହ କୋଟି କୋଟି ଟଙ୍କା ହରାଇଥିବା ପୀଡ଼ିତା ପୁଣି ନିଜର କଷ୍ଟଅର୍ଜିତ ଅର୍ଥ ପାଇବେ ବୋଲି ଆଶା ରଖିଛନ୍ତି। ସେଥିଲାଗି ତ ଗଲା ଅକ୍ଟୋବର ୨୧ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ନ୍ୟାୟଭିକ୍ଷା କରିଛନ୍ତି ପୀଡ଼ିତା। ମୁଖ୍ୟମନ୍ତ୍ରୀ ବି ସବୁ ଶୁଣିବା ପରେ ଗୃହ ବିଭାଗକୁ ନିର୍ଦେଶ ଦେଇଛନ୍ତି। ଆଉ ପୀଡ଼ିତାଙ୍କୁ ନ୍ୟାୟ ମିଳିବ ବୋଲି ଆଶ୍ୱସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାରି ଭିତରେ ପୀଡ଼ିତା ଡିଜିପି ଓ୍ୱାଇ ବି ଖୁରାନିଆ ଓ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ରଙ୍କୁ ବି ଭେଟି ଗୁହାରି କରିଛନ୍ତି। ସେତେବେଳେ ବିରୋଧୀ ଦଳରେ ଥିଲା ବେଳେ କଂଗ୍ରେସ ସହ ବିଜେପିର ଅନେକ ବିଧାୟକ ଲୁମେକ୍ସ ଲୁଟ୍ ପ୍ରସଙ୍ଗ ବିଧାନସଭା ଭିତରେ ଓ ବାହାରେ ଉଠାଇ ସରକାରଙ୍କୁ ଅକଳରେ ପକାଇଦେଇଥିଲେ। ସେଥିଲାଗି ତ ରାତାରାତି କମିଶନରେଟ ପୁଲିସରୁ ତଦନ୍ତ ଦାୟିତ୍ୱ କାଢ଼ିଦେଇ ଇଓଡବ୍ଲୁକୁ ହସ୍ତାନ୍ତର କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୟକ୍ରମେ ଏବେ ବିଜେପି ଶାସନ କ୍ଷମତାରେ। ବିରୋଧୀ ଆସନରେ ବସି ଯେଉଁ ବିଧାୟକମାନେ ଲୁମେକ୍ସ ଲୁଟ୍ କଥା ଉଠାଇଥିଲେ, ସେମାନଙ୍କ ଭିତରୁ ଅନେକ ଆଜିକାର ମନ୍ତ୍ରୀ। ଏମାନଙ୍କ ଭିତରେ ଅଛନ୍ତି ମୁକେଶ ମହାଲିଙ୍ଗ, ରବି ନାଏକ, ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ। ପୂର୍ବତନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବିଧାନସଭା ଭିତରେ ଏହାକୁ ନେଇ ସରକାରଙ୍କୁ ଘେରିଥିଲା ବେଳେ ବାହାରେ ଏବେକାର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନବୀନ ସରକାର ଓ ପୁଲିସର ଅପରାଧୀଙ୍କ ସହ ସଲାସୁତୁରାକୁ ନେଇ ଟାର୍ଗେଟ କରିଥିଲେ। କଂଗ୍ରେସର ତାରାପ୍ରସାଦ ବାହିନୀପତିଙ୍କ ଚିଠିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲିସର ଅବହେଳା ଓ ଜଣେ ନିର୍ଦ୍ଦିଷ୍ଟ ଆଇପିଏସଙ୍କ ଛତ୍ରଛାୟାରେ ଅପରାଧୀ ସୁରକ୍ଷିତ ସନ୍ଦର୍ଭରେ ଏହାର ତ୍ୱରିତ ତଦନ୍ତ ଲାଗି ନିର୍ଦେଶ ଦେବାକୁ ବାଧ୍ୟ ହୋଇଯାଇଥିଲେ। ଏବେ ଦେଖିବାର କଥା, ସରକାର ବଦଳିବା ପରେ ଲୋକଙ୍କ ସରକାର କହୁଥିବା ମୋହନ ସରକାର ଅନ୍ୟ ୩ ଅଭିଯୁକ୍ତ ହିମାଂଶୁ, ବିମଳ ଓ ଉଷାରାଣୀଙ୍କ ବାବଦରେ କି ଠୋସ୍ ପଦକ୍ଷେପ ନେଉଛନ୍ତି। ରାଜୀବ ଦାସ୍ ୧୮ ମାସ ହେଲା ଜେଲରେ। ପୁଲିସ ଠୋସ୍ ପ୍ରମାଣ ପାଇଥିବାରୁ ବେଲ୍ ବି ପାଇପାରୁନାହାନ୍ତି ରାଜୀବ। ସମଦଶା ତାଙ୍କ ପତ୍ନୀ ସୋନିଆଙ୍କ କ୍ଷେତ୍ରରେ ବି। ଜାଲି ଦସ୍ତାବିଜ ବଳରେ କୋଟି କୋଟି ଟଙ୍କାର ଚୂନ ଲଗାଇଥିବା ୫ ଅଭିଯୁକ୍ତଙ୍କୁ ଆଇନଗତ ଜାଲରେ ଛନ୍ଦିବାକୁ ପୀଡିତାଙ୍କ ନ୍ୟାୟଗତ ସଂଘର୍ଷ ଆରମ୍ଭ ହୋଇଥିଲା ନଭେମ୍ୱର ୨୦୨୧ରୁ। ଇନଫୋସିଟି ପୁଲିସ କିନ୍ତୁ କିଛି କରୁନଥିଲା। ଏପରିକି ହାଇକୋର୍ଟଙ୍କ ନିର୍ଦେଶକୁ ବି ବାଏଁ ବାଏଁ ଉଡ଼ାଇଦେବାକୁ ବସିଥିଲେ ତତ୍କାଳୀନ ସିପି, ଡିସିପିଙ୍କଠୁ ନେଇ ଅନେକ ବଡ଼ବଡ଼ିଆ। ଏବେ ଆଶା କରାଯାଉଛି ଯେ, ଅନ୍ତତଃ ନୂଆ ସରକାରରେ ନ୍ୟାୟ ପାଇଁ ନୂଆ ଆଶାସଞ୍ଚାର ହୋଇଥିବା ପୀଡ଼ିତାଙ୍କ ଦୀର୍ଘଦିନର ସଂଘର୍ଷର ଅନ୍ତ ହେବ। ଅଭିଯୁକ୍ତ ବନ୍ଧା ହେବେ, ପୀଡ଼ିତା ଟଙ୍କା ଫେରସ୍ତ ପାଇବେ। ଏଭଳି ଠକାମୀରେ ଯେଭଳି ଆଉ କେହି ନ ପଡ଼ନ୍ତୁ, ସେଥିଲାଗି ଏଭଳି ଅପରାଧିକ ମାନସିକତାର ରାକେଟକୁ ଆଇନ ଅନୁସାରେ କଡ଼ା ଦଣ୍ଡବିଧାନ ହେବା ଜରୁରୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now