ଦିଲ୍ଲୀ ସରକାରଙ୍କ ନୂଆ ସ୍କିମ୍ ,ତେଜିଲା ରାଜନୀତି

ଦିଲ୍ଲୀ ସରକାରଙ୍କ ନୂଆ ସ୍କିମ୍ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନକୁ ନେଇ ତେଜିଲା ରାଜନୀତି। ଏହି ସ୍କିମରେ ମହିଳାଙ୍କୁ ମାସିକ ୨୧ଶହ ଟଙ୍କା ଭତ୍ତା ମିଳିବ। ଏ ନେଇ ଆପ୍ ଦଳ ପକ୍ଷରୁ ବିଧିବଦ୍ଧ ଘୋଷଣା ପରେ ଏହାକୁ ଗଣ୍ଠି କରିଛି ବିରୋଧୀ ଦଳ। ୨୧ଶହ ଟଙ୍କାର କ୍ରେଡିଟ କାର୍ଡକୁ ନେଇ ଦିଲ୍ଲୀ ପଲିଟିକ୍ସ ସରଗରମ ହୋଇଛି। ବିଜେପି କହିଛି, ଏହା ଜୁମଲା। କେଜ୍ରିଓ୍ୱାଲଙ୍କ ଷ୍ଟଣ୍ଟ ପଲିଟିକ୍ସ। ମହିଳା ଓ ଶିଶୁ ବିକାଶ ବିଭାଗ ବିଜ୍ଞାପନ ପ୍ରକାଶ କରି ସ୍ପଷ୍ଟ କରିଛି ଯେ, ଏମିତି କୌଣସି ଯୋଜନା ନାହିଁ। ନାଗରିକଙ୍କୁ ସତର୍କ କରାଇଛି। ଏକ ରାଜନୀତିକ ଦଳ ଏଭଳି ନୋଟିସ୍ ବାହାର କରିଛି। କିନ୍ତୁ ଦିଲ୍ଲୀ ସରକାର ଏଭଳି କୌଣସି ବିଜ୍ଞାପନ କି ନୋଟିସ୍ ଜାରି କରିନାହାନ୍ତି ବୋଲି ସ୍ପଷ୍ଟ କରିଛି ବିଭାଗ। ଏମିତି କୌଣସି ଲୋଭନୀୟ ସ୍କିମର ପ୍ରଲୋଭନରେ ପଡ଼ନ୍ତୁନି। ତା ସହ ଏହି ଯୋଜନା ନାଁରେ ପଞ୍ଜୀକରଣ ଆଳରେ ବ୍ୟକ୍ତିଗତ ବିବରଣୀ ଯେମିତି କି ବ୍ୟାଙ୍କ ଆକାଉଣ୍ଟ, ଆଧାର, ଭୋଟର ଆଇଡି, ଫୋନ ନମ୍ୱର କି ଆବାସିକ ଠିକଣା ଆଦି ସମ୍ୱେଦନଶୀଳ ତଥ୍ୟ ସାର୍ବଜନୀକ ଡୋମେନରେ ଦିଅନ୍ତୁନି। କୌଣସି ଦଳ ଏଭଳି ସ୍କିମ୍ ନାଁରେ ଲୋକଙ୍କଠୁ ବ୍ୟକ୍ତିଗତ ତଥ୍ୟ ହାସଲ କରୁଥିଲେ, ଏହା ବେଆଇନ୍। ଏମିତି କେହି କଲେ, ସାଇବର ଅପରାଧ, ବ୍ୟାଙ୍କିଂ ଧୋକାରେ ପଡ଼ିବାର ଆଶଙ୍କା ରହିଛି। ସଚେତନ ନ ହୋଇ ଲୋଭରେ ପଡ଼ି କେହି ଏମିତି କଲେ, ନିଜେ ଦାୟୀ ରହିବେ। ଦିଲ୍ଲୀ ସରକାର ବୁଧବାର ମହିଳା ସମ୍ମାନ ଯୋଜନା ଓ ସଞ୍ଜିବନୀ ଯୋଜନାକୁ ନେଇ ଲୋକଙ୍କୁ ଆଲର୍ଟ କରିଛନ୍ତି। ଦିଲ୍ଲୀ ବିଜେପି କହିଛି, କେଜ୍ରିଓ୍ୱାଲ ଦିଲ୍ଲୀବାସୀଙ୍କୁ ଡିଜିଟାଲ ଠକେଇ ଆଡ଼କୁ ଟାଣିଲେଣି। ଦିଲ୍ଲୀରେ ଆପ୍ ସରକାରରେ ଅଛି। କିନ୍ତୁ ନିଜ ବିଭାଗ ଏମିତି ସ୍ପଷ୍ଟିକରଣ ଦେଇ ଚେତାବନୀ ଜାରି କରିବା ପଛର ରହସ୍ୟ କଅଣ। ଏହା ଅତିଶୀ ଓ ଅରବିନ୍ଦଙ୍କ ଭିତରେ କ୍ଷମତା ଲଢ଼େଇର ପରିଣାମ। କୌଣସି ସ୍କିମ୍ ଆସିଲେ ତା ପାଇଁ ବଜେଟରେ ପ୍ରାବଧାନ ରୁହେ। ମଞ୍ଜୁରୀ ପାଇବା ପରେ ନୋଟିଫିକେସନ ବାହାରେ। କିନ୍ତୁ କେଜ୍ରିଓ୍ୱାଲ ଲୋକଙ୍କ ସହ ଛଳନା କରି ଭ୍ରମିତ କରିବାରେ ଲାଗିଛନ୍ତି।

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ଦଳ ପ୍ରତିଶୃତି ଦେଇଛି ଯେ, ମହିଳା ସମ୍ମାନ ଯୋଜନାରେ ପ୍ରତି ଯୋଗ୍ୟ ମହିଳାଙ୍କୁ ମାସିକ ୨୧ଶହ ଟଙ୍କା ମିଳିବ। ରେଜିଷ୍ଟ୍ରେସନ ପ୍ରକ୍ରିୟା ବେଳେ ମହିଳାଙ୍କୁ ଏକ ପ୍ଲାଷ୍ଟିକ୍ କାର୍ଡ ଦିଆଯିବ। ଏହି କାର୍ଡ ଆକ୍ଟିଭ୍ ହେଲେ ଯାଇ ଅର୍ଥରାଶି ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ଏହି ସ୍କିମର ଶୁଭାରମ୍ଭ କରିଥିଲେ ଓ ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ସାର୍ବଜନୀନ କରିଥିଲେ। ୧୮ ବର୍ଷରୁ ଅଧିକ ସମସ୍ତ ମହିଳାଙ୍କୁ ଏବେ ମାସିକ ହଜାରେ ଟଙ୍କା ମିଳିବ। ଆଉ ନିର୍ବାଚନ ପରେ ଏହାକୁ ୨୧ଶହ କରିଦିଆଯିବ। ଆଉ ସଞ୍ଜୀବନି ଯୋଜନାରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ନାଗରିକଙ୍କୁ ସରକାରୀ ବା ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ମିଳିବ। ତେବେ କେଜ୍ରିଓ୍ୱାଲଙ୍କ ଦୁଇଟି ବଡ଼ ଘୋଷଣାକୁ ଅସ୍ୱୀକାର କରିଛନ୍ତି ଦିଲ୍ଲୀ ସରକାର ବୋଲି ବିଜେପି ଆରୋପ ଲଦିଛି। ତେବେ କେଜ୍ରିଓ୍ୱାଲ ଓ ଅତିଶୀ ମିଳିତ ସାମ୍ୱାଦିକ ସମ୍ମିଳନୀରେ ସଙ୍ଗୀନ ଆରୋପ ଆଣିଛନ୍ତି ୟେ, ଦିଲ୍ଲୀ ବିଧାନସଭା ଆପ୍ ଜିତୁଛି।  ବିଜେପି ଚାପରେ କିଛି ଅଫିସର ଏଭଳି ବିଭ୍ରାନ୍ତିକର ବିଜ୍ଞାପନ ଦେଇଛନ୍ତି। ସଂପୃକ୍ତ ଅଫିସରଙ୍କ ବିରୁଦ୍ଧରେ ଆକ୍ସନ ସହ ପୁଲିସ କାର୍ଯ୍ୟାନୁଷ୍ଠାନ ବି ହେବ। ଦିଲ୍ଲୀ ସରକାର ଏଭଳି ସ୍କିମ ନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇସାରିଛି। ଅତିଶୀଙ୍କୁ ମିଛ ମାମଲାରେ ଗିରଫ କରିବାକୁ ଷଡ଼ଯନ୍ତ୍ର ହେଉଛି। କେଜ୍ରିଓ୍ୱାଲଙ୍କୁ ଗାଳି ଓ ଦିଲ୍ଲୀ ବାସୀଙ୍କୁ ମିଳୁଥିବା ସେବାରେ ପ୍ରତିବନ୍ଧକ ଲାଗି ନିରନ୍ତର ଲାଗିଛି ବିଜେପି।  ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ବୋଲି ପଚାରିଛନ୍ତି କେଜ୍ରିଓ୍ୱାଲ୍। ନିର୍ବାଚନୀ ଘୋଷଣା ମୁତାବକ ଯେଉଁମାନେ ରେଜିଷ୍ଟ୍ରେସନ କରିଛନ୍ତି, ସେମାନଙ୍କୁ ୨୧ଶହ ମିଳିବ। ବସ୍ତି ଯାଇ ବାସ୍ତବତା ଦେଖୁ ଗଣମାଧ୍ୟମ। ବିଜେପିର ମିଛ ଧରାପଡ଼ିବ।

ଦିଲ୍ଲୀ ସରକାର ଯେଉଁ ନିଷ୍ପତ୍ତି ନେଲେ। ଯାହାକୁ କ୍ୟାବିନେଟ୍ ଆପ୍ରୁଭାଲ୍ ମିଳିସାରିଛି। ତା ସତ୍ତ୍ୱେ ମହିଳା ଶିଶୁବିକାଶ, ସ୍ୱାସ୍ଥ୍ୟ ବିଭାଗ କାହିଁକି ଏଭଳି ବିଜ୍ଞାପନ ଜାରି କଲେ, ତାହା ହିଁ ବଡ଼ କଥା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *