ଷ୍ଟାମ୍ପ ଡ୍ୟୁଟି ସନ୍ଦର୍ଭରେ ଆସିଲା ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି। କୌଣସି ସମ୍ପତ୍ତିର ବେଞ୍ଚମାର୍କ ଭାଲ୍ୟୁ ତୁଳନାରେ ଷ୍ଟାମ୍ପ ଡ୍ୟୁଟି କମ୍ ଦେଇଥିଲେ ପକ୍ଷଙ୍କୁ ବିନା ଶୁଣାଣୀରେ ଏକତରଫା କବଲା ରଦ୍ଦ କରିପାରିବେନି ପଞ୍ଜୀକରଣ ଅଧିକାରୀ। ଏହା ଭାରତୀୟ ଷ୍ଟାମ୍ପ ଅଧିନିୟମ, ୧୮୯୯ର ଧାରା ୪୭(ଏ)ର ବିରୁଦ୍ଧାଚରଣ କରୁଛି। ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ୍ ଜେବି ପର୍ଦ୍ଦିଓ୍ୱାଲା ଓ ଜଷ୍ଟିସ୍ ଆର.ମହାଦେବନ ଏକ ମାମଲାର ଶୁଣାଣୀ କରି ମାଡ୍ରାସ ହାଇକୋର୍ଟଙ୍କ ରାୟକୁ କାଏମ ରଖି ଏଭଳି ରାୟ ଦେଇଛନ୍ତି। ଯେଉଁଠି ସମ୍ପତ୍ତିର ମୂଲ୍ୟାଙ୍କନକୁ ସଂଶୋଧିତ କରିବା ଓ ଅତିରିକ୍ତ ଷ୍ଟାମ୍ପ୍ ଶୁଳ୍କ ଦାବି କରି ରାଜସ୍ୱ ଅଧିକାରୀ ବିକ୍ରିକବଲାକୁ ରଦ୍ଦ କରିଦେଇଥିବା ଆଦେଶକୁ ଖାରଜ କରିଦିଆଯାଇଛି। ମାମଲା ଥିଲା କିଛି ଏମିତି। ସେପ୍ଟେମ୍ୱର ୨୦୦୨ରେ ପି.ବାବୁ ନାମକ ବ୍ୟକ୍ତି ଦୁଇଟି ବିକ୍ରିକବଲା ବା ସେଲଡିଡ୍ ଜରିଆରେ ୧ଲକ୍ଷ ୨୦ହଜାର ଓ ୧ଲକ୍ଷ ୩୦ହଜାର ଟଙ୍କାର ଷ୍ଟାମ୍ପଡ୍ୟୁଟି ଦେଇ ସମ୍ପତ୍ତିର ପଞ୍ଜୀକରଣ କରିଥିଲେ। ପଞ୍ଜୀକରଣ ବେଳେ ସମ୍ପତ୍ତିର ଅବମୂଲ୍ୟାୟନ ବା ବେଞ୍ଚମାର୍କ ଭାଲ୍ୟୁରୁ କମ୍ ଷ୍ଟାମ୍ପଡ୍ୟୁଟି ଲାଗିଥିବା ସନ୍ଦେହ କରିଥିଲେ ସବ-ରେଜିଷ୍ଟ୍ରାର। ସେଥିଲାଗି ଏହାକୁ ଷ୍ଟାମ୍ପ ଡେପୁଟି କଲେକ୍ଚରଙ୍କ ପାଖକୁ ପଠାଇ ଦିଆଯାଇଥିଲା। ଆଉ ଯାଞ୍ଚ ପରେ ସମ୍ପତ୍ତିର ବଜାର ମୂଲ୍ୟକୁ ସଂଶୋଧିତ କରି ଏହାକୁ ୫୧ଲକ୍ଷ୧୬ହଜାର୬ଶହ ଓ ୧୦ଲକ୍ଷ୩୬ହଜାର୯୩୭ ଟଙ୍କା କରିଦେଇଥିଲେ ଷ୍ଟାମ୍ପ ଡେପୁଟି କଲେକ୍ଟର। ଯାହାକି ମୂଳ ଷ୍ଟାମ୍ପଡ୍ୟୁଟି ତୁଳନାରେ ଯଥେଷ୍ଟ ଅଧିକ ଥିଲା। ତେବେ ଏହି ସଂଶୋଧିତ ମୂଲ୍ୟ ସମ୍ପତ୍ତିର ନିରୀକ୍ଷଣ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା ଉପରେ ନିର୍ଦ୍ଧାରଣ ହୋଇଥିଲା। ପି. ବାବୁ ଏହି ସଂଶୋଧିତ ଷ୍ଟାମ୍ପ ଡ୍ୟୁଟିକୁ ଚ୍ୟାଲେଞ୍ଜ କରିଥିବା ଅପିଲକୁ ଆଇଜିଆର ଖାରଜ କରିଦେବାରୁ ମାଡ୍ରାସ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଉ ସଂଶୋଧିତ ଷ୍ଟାମ୍ପ ଡ୍ୟୁଟି ମୂଲ୍ୟାଙ୍କନ ବେଳେ ଆବଶ୍ୟକୀୟ ପ୍ରକ୍ରିୟାଗତ ଅନିୟମିତତାକୁ ଦେଖି ଅପିଲକୁ ଗ୍ରହଣ କରିଥିଲେ ହାଇକୋର୍ଟ। ଆଉ ରାୟ ଦେଇଥିଲେ ଯେ, ପୁନଃମୂଲ୍ୟାୟନ ଲାଗି ଯେଉଁ ପ୍ରକ୍ରିୟା ଅନୁପାଳନ ହେବା କଥା, ତାହା ହୋଇନି। ଏଭଳି କାର୍ଯ୍ୟାନୁଷ୍ଠାନ ବେଆଇନ ବୋଲି କହିଥିଲେ ହାଇକୋର୍ଟ। ବିଶ୍ୱାସ ବଳରେ ଅନୁମାନ ଆଧାରରେ ବଜାର ଦର ଏତିକି ହୋଇଥିବ କହି ଅଧିକାରୀଙ୍କ ମନମାନି ଚଳିବନି। ଏହା ଯୁକ୍ତିସଙ୍ଗତ ଓ ପାରଦର୍ଶିତା ଯାଞ୍ଚ ଆଧାରରେ ହେବା ଜରୁରୀ। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଆଇଜିଆର। ସର୍ବୋଚ୍ଚ ଅଦାଲତ ମୁଖ୍ୟତଃ ୩ଟି ଦିଗକୁ ନିରୀକ୍ଷଣ କରିଥିଲେ। ସମ୍ପତ୍ତିର କମ୍ ମୂଲ୍ୟାୟନ ହୋଇଥିବାର ଆଧାର ଦର୍ଶାଇ ରେଫରାଲର ବୈଧତା, ତାମିଲନାଡୁ ଷ୍ଟାମ୍ପ ଡ୍ୟୁଟି ଅଧିନିୟମ ୧୯୬୮ ଅନୁସାରେ ନିରପେକ୍ଷ ଯାଞ୍ଚରେ ନିୟମର ଅନୁପାଳନ, ପ୍ରଭାବିତ ପକ୍ଷକୁ ନୋଟିସ୍ କି ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଥିଲା କି। ଆଉ ରାୟ ଦେଇଥିଲେ ଯେ, ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା ନୋଟିସରେ କମ୍ ମୂଲ୍ୟାୟନ ଉପରେ ସନ୍ଦେହ କରିବାର ପର୍ଯ୍ୟାପ୍ତ କାରଣ ନଥିଲା। ଏହା ଷ୍ଟାମ୍ପ ଡ୍ୟୁଟିର ଧାରା ୪୭(ଏ)ର ଉଲ୍ଲଂଘନ କଲା। ତାମିଲନାଡ଼ୁ ଷ୍ଟାମ୍ପ କଲେକ୍ଟର ବି ନିୟମ ଅନୁପାଳନ କଲେନି। ଶୁଣାଣୀର ସୂଚନା ପକ୍ଷଙ୍କୁ ନ ଦେଇ ବଜାରମୂଲ୍ୟ ନିର୍ଧାରଣ ରଦ୍ଦ କରିଥିଲେ। ସେଥିଲାଗି ଆଇଜିଆର, ସବ-ରେଜିଷ୍ଟ୍ରାର ଓ ଷ୍ଟାମ୍ପ ଡ୍ୟୁଟି କଲେକ୍ଟରଙ୍କ ଭଳି ସମସ୍ତ ରାଜସ୍ୱ ଅଧିକାରୀ ଷ୍ଟାମ୍ପ ଅଧିନିୟମ ଅନୁପାଳନରେ ବିଫଳ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଯଦି ଦସ୍ତାବିଜକୁ ବିନା କୌଣସି ତର୍ଜମାରେ ସିଧା କଲେକ୍ଚରଙ୍କୁ ପଠାଯାଉଛି। ତାହେଲେ ଏହା ପୁରା ଯାଞ୍ଚ ଓ ଅନ୍ତିମ ନିର୍ଣ୍ଣୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ସମ୍ପତ୍ତିର ଅବମୂଲ୍ୟାୟନକୁ ନେଇ ସନ୍ଦେହ ଥିଲେ ପକ୍ଷକୁ ପର୍ଯ୍ୟାପ୍ତ ସୁଯୋଗ ନ ଦେଇ ନିଜେ ନିଜେ ପଞ୍ଜୀକରଣ ଅଧିକାରୀ କୌଣସି ଅନ୍ତିମ ନିଷ୍ପତ୍ତିରେ ପହଞ୍ଚିବା ଯୁକ୍ତିଯୁକ୍ତ ନୁହେଁ କହି ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now