ଶ୍ରୀଲଙ୍କା ନୌସେନା ଗୁଳିମାଡ଼ରେ ଭାରତୀୟ ମତ୍ସଜୀବୀ ଆହତ

ଶ୍ରୀଲଙ୍କା ନୌସେନା ଗୁଳିମାଡ଼ରେ ଭାରତୀୟ ମତ୍ସଜୀବୀ ଆହତ । ଶ୍ରୀଲଙ୍କା ହାଇ କମିଶନଙ୍କୁ ଭାରତର ନୋଟିସ । ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ ଭାରତ ସରକାର ।

ଡେଲଫଟ ଦ୍ୱୀପ ନିକଟରେ ଭାରତୀୟ ମତ୍ସଜୀବୀଙ୍କ ଉପରେ ଗୁଳିମାଡ଼ କରିଥିଲା ଶ୍ରୀଲଙ୍କାର ନୌସେନା । ଯାହାକୁ ଅତ୍ୟନ୍ତ ବିରଳ ଘଟଣା କୁହାଯାଇଛି । ୧୩ଜଣଙ୍କ ମଧ୍ୟରୁ ୫ଜଣ ଆହତ ହୋଇଛନ୍ତି । ସେ ମଧ୍ୟରେ ୨ଜଣ ଗୁରୁତର ଅଛନ୍ତି । ସେମାନେ ଜାଫନା ଟିଚିଂ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଭାରତୀୟ ଦୂତାବାସର ଅଧିକାରୀ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ସେପଟେ କଲମ୍ୱୋରେ ଥିବା ଭାରତୀୟ ହାଇକମିଶନ ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରଣାଳୟ ନିକଟରେ ଏ ପ୍ରସଙ୍ଗ ରଖିଛନ୍ତି। ନୂଆଦିଲ୍ଲୀ ସ୍ଥିତ ଶ୍ରୀଲଙ୍କାର କାର୍ଯ୍ୟକାରୀ ହାଇ କମିସନରଙ୍କୁ ସମନ କରାଯାଇଛି । ତେବେ ନୌସେନା ଅଧିକାରୀ କହିଛନ୍ତି ଭାତୀୟ ମତ୍ସଜୀବୀ ନୌଅଧିକାରୀଙ୍କ ଉପରେ ପ୍ରଥମେ ଆକ୍ରମଣ କରିଥିଲେ । ତାଙ୍କ ଠାରୁ ବନ୍ଧୁକ ଛଡ଼ାଇବାକୁ ପ୍ରୟାସ କରିଥିବା ପାଲଟା ଅଭିଯୋଗ ହୋଇଛି । ଭାରତୀୟ ପ୍ରତିଆକ୍ରମଣରେ ଆହତ ହୋଇଛନ୍ତି କହିବା ସହ ଗୁଳି ଭୁଲବଶତଃ ଚାଲିଥିବା ସଫେଇ ଦେଇଛନ୍ତି ।

ଦୁଇ ରାଷ୍ଟ୍ରର ସରକାରଙ୍କ ମଧ୍ୟରେ ହୋଇଥିବା ସହମତି ଦୃଷ୍ଟିରୁ କେଉଁ ପରିସ୍ଥିତିରେ ମଧ୍ୟ ବଳପ୍ରୟୋଗ କରାଯାଇ ପାରିବନି। ଯାହାର ପାଳନ ଜରୁରୀ ବୋଲି ମତ ପ୍ରକାଶ ପାଇଛି । ସେପଟେ ଶ୍ରୀଲଙ୍କାର ମତ୍ସ୍ୟପାଳନ ମନ୍ତ୍ରୀ କହିଛନ୍ତି, ଭାରତୀୟ ମାଛ ଧରାଳିଙ୍କ ତରଫରୁ ବେଆଇନ ଭାବେ ମାଛ ଧରା ବନ୍ଦ ହେବା ଦରକାର । ଯେଁ ପ୍ରକାର ଟ୍ରଲର ଭାରତୀୟ ମତ୍ସଜୀବୀ ବ୍ୟବହାର କରୁଛନ୍ତି ତାହା ସମୁଦ୍ରର ସ୍ଥିତି ପ୍ରଭାବିତ କରୁଛି ଏବଂ ତା ଉପରେ ଶ୍ରୀଲଙ୍କାରେ ପ୍ରତିବନ୍ଧକ ଲାଗିଛି ।

ପୂର୍ବରୁ ମଧ୍ୟ ୨୦୨୩ରେ ଶ୍ରୀଲଙ୍କା ନାଭି ୨୪୦ ଜଣ ଭାରତୀୟ ମତ୍ସଜୀବୀଙ୍କୁ ସମୁଦ୍ର ସୀମା ପାର କରିବା ଅଭିଯୋଗରେ ଅଟକ ରଖିଥିଲେ । ତାଙ୍କ ଦେଶର ଜଳକ୍ଷେତ୍ରରେ ଅବୈଧ ପ୍ରବେଶ କରି ମାଛ ଧରୁଥିବା ଅଭିଯୋଗରେ ବାରମ୍ୱାର ଏଭଳି ଆଭିମୁଖ୍ୟ ନେଇ ଆସିଛି ଶ୍ରୀଲଙ୍କା । ୨୦୨୪ ଡିସେମ୍ୱର ସୁଦ୍ଧା ସେ ସଂଖ୍ୟା ବଢି ୫୩୫ରେ ପହଞ୍ଚିଥିଲା । ୨୦୨୫ରେ ଏହାରି ମଧ୍ୟରେ ୬୦ରୁ ଅଧିକ ମାଛ ଧରାଳି ଗିରଫ ହୋଇ ସାରିଲେଣି । ରାଜ୍ୟସଭାରେ ବୈଦେଶିକ ବ୍ୟାପାର ରାଜ୍ୟ ମନ୍ତ୍ରୀ ଏହି ତଥ୍ୟ ରଖିଥିଲେ । ଡିସେମ୍ୱର ୨୦୨୪ରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକେ ଦିଲ୍ଲୀ ଆସିଥିବା ବେଳେ ମଧ୍ୟ ଏ ପ୍ରସଙ୍ଗ ଉଠିଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ପରେ ସଂଯୁକ୍ତ ବୟାନ ଆସିଥିଲା । ଉଭୟ ପକ୍ଷ କୌଣସି ହିଂସାକୁ ପ୍ରଶ୍ରୟ ଦେବେ ନାହିଁ କହିଥିଲେ । ଦୁଇ ପକ୍ଷର ମାଛ ଧରାଳି ଯେଉଁ ସମସ୍ୟାକୁ ସାମ୍ନା କରୁଛନ୍ତି ତାକୁ ଉଭୟ ରାଷ୍ଟ୍ର ଶୀର୍ଷ ନେତୃତ୍ୱ ସ୍ୱୀକାର କରିଥିଲେ । ଏବେ ଶ୍ରୀଲଙ୍କା ନୌସେନା ସହ ମୁହାଁମୁହିଁ ହୋଇଥିବା ସମସ୍ତ ମତ୍ସଜୀବୀ ତାମିଲନାଡ଼ୁ ଓ ପୁଡୁଚେରୀର ବାସିନ୍ଦା । ସେମାନେ ୨୬ ଜାନୁଆରୀ ସକାଳୁ ପୁଡ଼ୁଚେରୀସ୍ଥିତ କରାଇକଲ ପୋର୍ଟ ଅଞ୍ଚଳରୁ ମାଛଧରା ପାଇଁ ସମୁଦ୍ରକୁ ଯାଇଥିଲେ।ସେହି ସମୟରେ ଦେଶର ସାମୁଦ୍ରିକ ସୀମା ପାର କରି ପନୋଶୀ ରାଷ୍ଟ୍ରର ସମୁଦ୍ର ଆଡକୁ ପ୍ରବେଶ କରିଥିଲେ। ତେବେ ତାମିଲନାଡ଼ୁ ଏବଂ ଉତ୍ତର ଶ୍ରୀଲଙ୍କାର ମାଛ ଧରାଳିଙ୍କ ମଧ୍ୟରେ ଏହି ପୁରୁଣା ସଂଘର୍ଷ ନୂଆ ରୁପରେ ସାମ୍ନାକୁ ଆସୁଛି । ଯେଉଁଥିରେ ନୌସେନାର ଭୂମିକାକୁ ନେଇ ଏଥର ପ୍ରଶ୍ନ ଉଠିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *