ମା ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ସ୍ଥାପନ ହୋଇଛି ଶୁଭଖୁଣ୍ଟି

ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ବୁଧବାର  ମଧ୍ୟରାତ୍ରରେ ସ୍ଥାପନ ହୋଇଛି ଶୁଭଖୁଣ୍ଟି । ଶୁଭଖୁଣ୍ଟି ସ୍ଥାପନ ଅବସରରେ ଯାତ୍ରା ଆରମ୍ଭ ଓ ଶେଷ ତାରିଖ ଘୋଷଣା କରିଛନ୍ତି ପାରମ୍ପାରିକ ସିଦ୍ଧାନ୍ତି । ଆସନ୍ତା ଏପ୍ରିଲ ମାସ ୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୨୬ ଦିନ ଧରି ହେବ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଯାତ୍ରାର ପାରମ୍ପରିକ ପୂଜକଙ୍କ ଘରୁ ଶୁଭଖୁଣ୍ଟିକୁ ଅଣାଯାଇ ମାଙ୍କ ବାପା ତଥା ଯାତ୍ରାର ପରିଚାଳକଙ୍କ ଘରେ ରଖାଯାଇଥିଲା । ସେଠାରେ ଦେଶୀ ବେହେରା ଶୁଭଖୁଣ୍ଟିକୁ ପୂଜା କରିଥିଲେ । ପରେ ଏକ ବିରାଟ ପଟୁଆରରେ ମାଙ୍କ ମନ୍ଦିରକୁ ନିଆଯାଇଥିଲା । ମାଙ୍କ ମନ୍ଦିରରେ ପହଞ୍ଚି ଶୁଭଖୁଣ୍ଟିକୁ ମାଙ୍କ ନିକଟରେ ରଖାଯାଇ ପୂଜା କରାଯାଇଥିଲା । ଏହାପରେ ରାତି ୯.୩୦ରେ ଦେଶୀବେହେରା ସାହି ସ୍ଥିତ ମାଙ୍କ ପୀଠମ ଘର ସମ୍ମଖରେ ଏକ ସାଧାରଣ ସଭା ବସିଥିଲା । ଶୁଭଖୁଣ୍ଟିକୁ ପୂଜା କରାଯିବା ସହିତ ସିଦ୍ଧାନ୍ତି ଯେଉଁ ଯାତ୍ରା ଆରମ୍ଭ ଓ ଶେଷ ଦିନ ଧାର୍ଯ୍ୟ କରିଛନ୍ତି ତାହା ମାଙ୍କୁ ଜଣାଇ ଦିଆଯାଇଥିଲା । ଶୁଭଖୁଣ୍ଟି ସ୍ଥାପନ ପରେ ଆଜିଠାରୁ ମାଙ୍କ ଯାତ୍ରା ନିମନ୍ତେ ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହେବ।

ଶୁଭଖୁଣ୍ଟି ସ୍ଥାପନ ଅବସରରେ ହୋଇଥିବା ସାଧାରଣ ସଭାରେ ବ୍ରହ୍ମପୁର ବିଧାୟକଙ୍କ ସମେତ ବହୁ ବରିଷ୍ଠ ନେତା ଏବଂ କର୍ପୋରେଟର ମାନେ ଉପସ୍ଥିତ ଥିଲେ । ତେବେ ପ୍ରତି ଦୁଇ ବର୍ଷରେ ଥରେ ହୋଇଥାଏ ବୁଢ଼ୀ ଠାକୁରାଣୀ ଯାତ୍ରା । ଆଉ ଏହି ଯାତ୍ରାକୁ ସହରବାସୀ ଅନାଇ ବସିଥାନ୍ତି । କେବଳ ସହରବାସୀ ନୁହେଁ ବରଂ ଜିଲ୍ଲା ଓ ଜିଲ୍ଲା ବାହାରୁ ମଧ୍ୟ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ । ମା ଦୁଇ ବର୍ଷ ଧରି ବୋହୁ ଭାବେ ମନ୍ଦିରରେ ପୂଜା ପାଉଥିବା ବେଳେ ନିଜ ମା ଘରକୁ ଆସି ଝିଅ ରୂପରେ ମା ପୂଜା ପାଇଥାନ୍ତି । ଭିଡ଼କୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳାର ସହିତ ମାଙ୍କୁ ଦର୍ଶନ କରିବା ସହ ଯାତ୍ରାକୁ ଉପଭୋଗ କରନ୍ତୁ ବୋଲି କହିଛନ୍ତି ବିଧାୟକ ଓ ପୂର୍ବତନ ବିଧାୟକ ।

 ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ମାଁଙ୍କ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *