ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାଙ୍କୁ କଡ଼ା ବିରୋଧ ସହ ଆକ୍ରମଣ ଉଦ୍ୟମ। ଲକିସରାଇରୁ ଲଢ଼ୁଥିବା ବିଜୟ ସିହ୍ନାଙ୍କୁ ଆରଜେଡି କର୍ମୀ ଘେରିଗଲେ। ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ବେଳେ ବିଜୟଙ୍କ କନଭଏ ଉପରକୁ ଆକ୍ରମଣ ହୋଇଛି। ଲକିସରାଇ ବିଧାନସଭା ଆସନରେ ଥିବା କିଛି ବୁଥକୁ ଅନୁଧ୍ୟାନ କରିବାକୁ ଯିବା ବେଳେ ଏଭଳି ଆକ୍ରୋଶର ଶୀକାର ହୋଇଛନ୍ତି ବିଜୟ। ଆରଜେଡିର କିଛି ସମର୍ଥକ ତାଙ୍କ କାରକୁ ଘେରିଯିବା ସହ ଚପଲ ଫିଙ୍ଗିଥିଲେ। ମୁର୍ଦ୍ଦାବାଦ ନାରା ଲଗାଇ ଗାଡ଼ିକୁ ପଥର ଓ ଗୋବର ମାଡ଼ କରିଥିବା ଅଭିଯୋଗ ହୋଇଛି। ବିଜୟ ବୁଥ୍ ଆଡ଼କୁ ଯାଉଥିବା ବେଳେ ଯିବାକୁ ଦେଲେନି। ଏ ସବୁ ପୁଲିସ ଉପସ୍ଥିତିରେ ଘଟୁଥିଲା। ଏଭଳି ହରକତ ଦେଖି ଗାଡ଼ି ଭିତରୁ ବାହାରି ବିଜୟ କହିଥିଲେ, ଏ ସବୁ କାରନାମ ଆରଜେଡି ଗୁଣ୍ଡାଙ୍କର। ଏନଡିଏ ସତ୍ତାକୁ ଆସୁ। ଏମାନଙ୍କ ଛାତିରେ ବୁଲଡୋଜର ଚଲାଇବି। ଏ ଗୁଣ୍ଡା ତାଙ୍କୁ ଗାଁ ଭିତରକୁ ଯିବାକୁ ଦେଉନାହାନ୍ତି। ତାଙ୍କ ପୁଲିଂ ଏଜେଣ୍ଟକୁ ତଡ଼ିଦେଲେ ଆଉ ଭୋଟ ଦେବାକୁ ବି ଛାଡ଼ିଲେନି। ଖୋରିୟାରି ଗାଁର ବୁଥ୍ ନମ୍ୱର ୪୦୪ ଓ ୪୦୫ରେ ଏଭଳି ଅଘଟଣର ଆରୋପ ଲଦିଛନ୍ତି ବିଜୟ। ଆକ୍ରୋଶିତ ଭିଡ଼ରୁ ବିଜୟଙ୍କୁ ସୁରକ୍ଷିତ ଭାବେ ବାହାର କରିବାକୁ ପୁଲିସ ବେଶ୍ ନାକେଦମ୍ ହୋଇପଡ଼ିଥିଲା। ପରିସ୍ଥିତି ଅସମ୍ଭାଳ ଦେଖି ବିଜୟ ତୁରନ୍ତ ଏସପିଙ୍କୁ ଫୋନ୍ ଲଗାଇଥିଲେ। ତୁରନ୍ତ ସ୍ପେଶିଆଲ ଫୋର୍ସ ପଠାଇବାକୁ ନିର୍ଦେଶ ଦେଇଥିଲେ। ନଚେତ୍ ସେ ସେଠାରେ ହିଁ ଧାରଣାରେ ବସିବେ। ଏସପି ବହୁତ ଦୁର୍ବଳ ଓ ଭୟାଳୁ ବୋଲି କହିଛନ୍ତି ବିଜୟ। ଆରଜେଡି ବୁଥ୍ ଜବରଦଖଲ କରୁଛି। କିନ୍ତୁ ଏସ୍ପି ନୀରବ ବୋଲି ସାଙ୍ଘାତିକ ଅଭିଯୋଗ କରିଛନ୍ତି ବିଜୟ।ଏଭଳି ଘଟଣାକୁ ନେଇ ଡିଜି ଓ ନିର୍ବାଚନ କମିଶନଙ୍କୁ ଅବଗତ କରାଇଛନ୍ତି ବିଜୟ। ଅବଶ୍ୟ ଡେପୁଟି ସିଏମଙ୍କ ରାଗ ଦେଖି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଲକିସରାଇ ଏସପି ଅଜୟ କୁମାର ଓ ପୁଲିସ ଫୋର୍ସ। ଏସପି କହିଛନ୍ତି, ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଦୋଷୀଙ୍କୁ ଚିହ୍ନଟ ସରିଛି। ଖୁବଶୀଘ୍ର କାର୍ଯାନୁଷ୍ଠାନ ହେବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now