ଏକାଦଶୀରେ ବଡ଼ ଅଘଟଣ- ଦଳାଚକଟାରୁ ୧୦ ମୃତ

ଆନ୍ଧ୍ରରେ ଦଳାଚକଟା। ବଡ଼ ଅଘଟଣ। ଶ୍ରୀକାକୁଲମର କାଶୀବୁଗାରେ ଥିବା ଭେଙ୍କଟେଶ୍ୱର ମନ୍ଦିରର ଦଳାଚକଟାରୁ ୧୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଏକାଦଶୀ ପର୍ବ ପାଇଁ ପ୍ରବଳ ଭିଡ଼ ହୋଇଥିଲା। ଅନେକ ଆହତ ହୋଇଛନ୍ତି। ମନ୍ଦିରରେ ଦର୍ଶନ ଲାଗି ପ୍ରବଳ ଭିଡ଼ ହୋଇଥିଲା। ଅଚାନକ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ପରସ୍ପର ଉପରେ ଚଢ଼ିଗଲେ। ଘଟଣା ପରେ ତୁରନ୍ତ ପ୍ରଶାସନ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲା। ଘଟଣାରେ ଦୁଃଖପ୍ରକାଶ କରିବା ସହ ଆହତଙ୍କୁ ତ୍ୱରିତ ଉନ୍ନତ ଚିକିତ୍ସା ଦେବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ। ଏ ଘଟଣାରେ ଗଭୀର ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଗୃହମନ୍ତ୍ରୀ ଅମିତ ଶାହା, ଉପମୁଖ୍ୟମନ୍ତ୍ରୀ ପଓ୍ୱନ କଲ୍ୟାଣ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ମନ୍ଦିର ଭିତରେ ଦଳାଚକଟା ବେଳେ ଛାତି ଥରାଇଲା ଭଳି ଅନେକ ଭିଡ଼ିଓ ସାମ୍ନାକୁ ଆସିଛି। ଅନେକ ଲୋକ ଅଚେତ ହୋଇପଡ଼ିଥିଲେ। ଅଧିକାଂଶ ମହିଳା ଭକ୍ତ ଥିଲେ। ମନ୍ଦିର ପରିସରରେ ସାମଗ୍ରୀ ଏପଟେ ସେପଟେ ପଡିଥିଲା। ଆହତ ଶ୍ରଦ୍ଧାଳୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମନ୍ଦିର ବେଢ଼ାରେ ଥିବା ସଂକୀର୍ଣ୍ଣ ବାଟ ଦେଇ ପୁଜା ଫୁଲତୋଡ଼ାର ବାକ୍ସ ଧରି ଛିଡ଼ା ହୋଇଥିଲେ ଶ୍ରଦ୍ଧାଳୁ। କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କ ସମାଗମରେ କମ୍ପୁଥିଲା ମନ୍ଦିର ପରିସର। ଠେଲାପେଲାରୁ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। କେମିତି ଜୀବନ ବିକଳରେ ପଦାକୁ ବାହାରିବେ, ସେ ଚିନ୍ତାରେ ଥିଲା ବେଳେ ଅଚାନକ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ସୂଚନା ଅନୁସାରେ, ସ୍ଥାନୀୟ ପ୍ରଶାସନକୁ ମନ୍ଦିର କର୍ତ୍ତୃପକ୍ଷ କେତେ ଭକ୍ତଙ୍କ ସମାଗମ ହେବ, ସେ ନେଇ ଆଗୁଆ ସୂଚନା ଦେଇନଥିଲେ। ଶ୍ରୀକାକୁଲମ ମନ୍ଦିର ଘରୋଇ ପରିଚାଳିତ। ଏହି ମନ୍ଦିରର ପରିଚାଳନା ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନରେ ଆସୁନି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ପୁଅ ମନ୍ତ୍ରୀ ନାରା ଲୋକେଶ ଘଟଣାସ୍ଥଳକୁ ଯାଇ ପୀଡ଼ିତ ପରିବାର ଓ ଆହତଙ୍କୁ ଭେଟିଛନ୍ତି। ବିରୋଧୀ ଦଳ ନେତା ଓ୍ୱାଇଏସ ଜଗନମୋହନ ରେଡ୍ଡୀ ଏ ଘଟଣାରେ ମର୍ମାହତ ବୋଲି କହିବା ସହ ସରକାରଙ୍କ ବିଫଳତାକୁ ଏଥିଲାଗି ଦାୟୀ କରିଛନ୍ତି। ସମାନ ଘଟଣା ଆଗରୁ ତିରୁପତି ଓ ସୀମାଞ୍ଚଳମରେ ଘଟିଥିଲେ ସୁଦ୍ଧା ସରକାର ଚେତିଲେନି କହି ନାଇଡ଼ୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜଗନମୋହନ। ଅସମ୍ଭାଳ ଭିଡ଼ ନେଇଗଲା ଜୀବନ। ତେବେ ଭିଡ଼ ନିୟନ୍ତ୍ରଣ କରିବାକୁ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲା କି ନାହିଁ ପୁଲିସ ଓ ପ୍ରଶାସନ। ତାକୁ ନେଇ ତନାଘନା ଆରମ୍ଭ ହୋଇଛି। କେଉଁ ପରିସ୍ଥିତିରେ ଦଳାଚକଟା ଭଳି ସ୍ଥିତି ଉପୁଜିଲା, ତାହାର ତଦନ୍ତ ନିର୍ଦେଶ ଦେଇଛନ୍ତି ସରକାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *