ଦୁର୍ଘଟଣା

ମାଲଦାରେ ବାଣ କାରଖାନାରେ ବିସ୍ଫୋରଣ : ଜଣେ ମୃତ, ୩ ଗୁରୁତର

କୋଲକାତା : ପୂର୍ବ ମେଦିନିପୁର ଏବଂ ଦକ୍ଷିଣ ୨୪ ପ୍ରଗଣା ପରେ ଏବେ ମାଲଦାରେ ଏକ ବାଣ କାରଖାନାରେ ଘଟିଛି ବିସ୍ଫୋରଣ । ଏହି ବିସ୍ଫୋରଣରେ ଜଣକର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି ।

ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ମାଲଦାର ଇଂରେଜ ବଜାର ନଗରପାଳିକାର ନେତାଜୀ ନଗରପାଳିକା ବଜାର ଅଂଚଳରେ ମଙ୍ଗଳବାର ସକାଳ ପ୍ରାୟ ୬ଟା ୪୫ ମିନିଟ୍ ସମୟରେ ବାଣ କାରଖାନାରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଏହାପରେ କାରଖାନାରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗର ୫ଟି ଗାଡ଼ି ଘଟଣାସ୍ଥଳରେ ପହଂଚି ଥିଲା । ବେଶ୍ କିଛି ସମୟର କସରତ ପରେ ନିଆଁକୁ ଆୟତ କରିଥିଲା ଅଗ୍ନିଶମ ବାହିନୀ । ୪ ଜଣଙ୍କୁ ଏହା ମଧ୍ୟରୁ ଉଦ୍ଧାର କରାଯାଇ ମାଲଦା ମେଡ଼ିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ତିନି ଜଣ ମେଡ଼ିକାଲରେ ଚିକିତ୍ସାଧିନ ରହିଛନ୍ତି । ମୃତକ ଜଣକ ଏହି ବାଣ କାରଖାନାରେ କାମ କରୁଥିଲେ । ତେବେ ତାଙ୍କ ପରିଚୟ ମିଳିପାରିନାହିଁ ।

ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାର ବଜବଜ ଅଂଚଳରେ ରବିବାର ବିଳମ୍ବିତ ରାତିରେ ଏକ ଘରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଅନୁରୂପ ଭାବେ ଗତ କିଛି ଦିନ ତଳେ ରାଜ୍ୟର ମେଦିନିପୁର ଜିଲ୍ଲାର ଏଗରାରେ ବାଣ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା ।

Related Articles

Leave a Reply

Your email address will not be published.

Back to top button