ଦୁର୍ଘଟଣା

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଉତ୍ତରାଖଣ୍ଡର କେଦାରନାଥରେ ଦୁର୍ଘଟଣା। କେଦାରନାଥ ଯାଉଥିବା ତୀର୍ଥଯାତ୍ରୀଙ୍କ ହେଲିକପ୍ଟର ଦୁର୍ଘଟଣା। ତୀର୍ଥଯାତ୍ରା ହେଲା ଶେଷଯାତ୍ରା। ଛାଇ ଆସିଲା ମୃତ୍ୟୁର କଳାବାଦଲ। ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୫ ଜଣ ଯାତ୍ରୀଙ୍କ ସମେତ ୨ ଜଣ ପାଇଲଟ୍ ଅଛନ୍ତି। କୁହାଯାଉଛି କେଦାରନାଥଠାରୁ ୨ କିଲୋମିଟର ଦୂରରେ ଥିବା ଗରୁଡଚଟ୍ଟୀରେ ଏହି ଦୁର୍ଘଟଣା ଘଟିଛି। ଗୁପ୍ତକାଶୀରୁ କେଦାରନାଥ ପର୍ଯ୍ୟନ୍ତ ଉଡାଣ ଭରିଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ହେଲିକପ୍ଟରଟି ଜଳିପୋଡି ଖଣ୍ଡ ବିଖଣ୍ଡିତ ହୋଇପଡିଥିବାର ଭିଡିଓ ସାମ୍ନାକୁ ଆସିଛି। ହେଲିକପ୍ଟରଟି ଉତ୍ତରାଖଣ୍ଡର ସବୁଠୁ ବଡ ପର୍ଯ୍ୟଟନ କ୍ଷେତ୍ର କେଦାରନାଥରୁ ୫ ଜଣ ଯାତ୍ରୀଙ୍କୁ ନେଇ ଗୁପ୍ତକାଶୀ ଯାଉଥିବାବେଳେ ଅଧା ବାଟରେ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟକୁ ଜୋରଦାର କରିଛନ୍ତି। ପ୍ରକୃତରେ କେଉଁ କାରଣ ପାଇଁ ହେଲିକପ୍ଟରଟି ଦୁର୍ଘଟଣା ହେଲା ଜଣାପଡିନି। ଦୁର୍ଘଟଣା ଖରାପ ପାଗ ଯୋଗୁଁ ହୋଇଛି ନା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଛି, ତାହାକୁ ନେଇ ଯାଞ୍ଚ ଚାଲିଛି। କିନ୍ତୁ ଖରାପ ପାଗ ହେଲିକପ୍ଟର ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଇଛି। ଘନ କୁହୁଡି ଯୋଗୁଁ ରାସ୍ତା ଦେଖା ନଯିବାରୁ ହେଲିକପ୍ଟରଟି ଦୁର୍ଘଟଣା ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଏହି ପ୍ରାଇଭେଟ କମ୍ପାନୀର ହେଲିକପ୍ଟରରେ ୭ ଜଣ ଲୋକ ଥିଲେ। ଶ୍ରଦ୍ଧାଳୁମାନେ କେଦାରନାଥ ମନ୍ଦିର ପରିଦର୍ଶନ କରିବାକୁ ଯାଉଥିଲେ। କିନ୍ତୁ ଅଧାବାଟରେ ତାଙ୍କୁ ଅନାଇ ବସିଥିଲା ମୃତ୍ୟୁର କଳାବାଦଲ। କେହି କିଛି ଭାବିବା ଆଗରୁ ସବୁକିଛି ଶେଷ ହୋଇଯାଇଥିଲା। ହେଲିକପ୍ଟରଟି ରାସ୍ତାରେ ଖସିପଡିଥିଲା। ଫଳରେ ହେଲିକପ୍ଟରରେ ଥିବା ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ,କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ  ସମେତ ଅନେକ ବରିଷ୍ଠ ବ୍ୟକ୍ତି ଦୁର୍ଘଟଣାକୁ ଦେଇ ଦୁଃଖବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

Related Articles

Leave a Reply

Your email address will not be published.

Back to top button