ମାଟ୍ରିକ ପରୀକ୍ଷା ଆରମ୍ଭ ଦିନରେ ଅଘଟଣ

ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ସାହିତ୍ୟ ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ । ପରୀକ୍ଷାରେ ଆସିଥିବା ପ୍ରଶ୍ନ ଗୁଡ଼ିକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ। ଚଳିତବର୍ଷ ମୋଟ ୫ ଲକ୍ଷ ୧୦ହଜାର ୭୭୮  ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ୩ହଜାର ୧୩୩ ଟି ପରୀକ୍ଷା କେନ୍ଦ୍ର କରାଯାଇଛି ଓ ୩୧୪ ଟି ନୋଡାଲ ସେଣ୍ଟର ର ବ୍ୟବସ୍ଥା କରାଯାଇଛି । ଫେବ୍ରୁଆରୀ ୨୧ ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ରେ ଶେଷ ହେବ ମାଟ୍ରିକ ପରୀକ୍ଷା। ରାଜ୍ୟ ସରକାରଙ୍କ ପକ୍ଷରୁ ପରୀକ୍ଷା ଦର୍ପଣ ପିଲାଙ୍କ ପାଇଁ ବାହାର କରାଯାଇଥିବାରୁ ଏହା ବେଶ ଫଳପ୍ରଦ ହୋଇଛି । ପ୍ରଥମ ଦିନ ମାଟ୍ରିକ ପରୀକ୍ଷା ବେଶ ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି । କୌଣସି ପରୀକ୍ଷା କେନ୍ଦ୍ର ରୁ କିଛି ବି ତ୍ରୁଟି ସାମ୍ନା କୁ ଆସିନାହିଁ ବୋଲି ସୂଚନା ଦେଇଛି ବୋର୍ଡ। ପରୀକ୍ଷା ପରିଚାଳନା ରେ ସ୍ୱଚ୍ଛତା ଆଣିବା ପାଇଁ ବୋର୍ଡ କାର୍ଯ୍ୟାଳୟରେ କମାଣ୍ଡ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ମୋଟ ୬୦୦ଟି ପରୀକ୍ଷା କେନ୍ଦ୍ରରେ ଲାଇଭ ଷ୍ଟିମ ବ୍ୟବସ୍ଥା ହୋଇଛି ।

ଏପଟେ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାର ୧୩୪ ଉଚ୍ଚ ବିଦ୍ୟାଳୟ ଓ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ଦୁଇଟି ମିଶାଇ ମୋଟ ୧୩୬ ପରୀକ୍ଷା କେନ୍ଦ୍ରରେ ୨୭ ହଜାର ୯ ଜଣ ରେଗୁଲାର ଏବଂ ଏକ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଖୋର୍ଦ୍ଧା ଉପଖଣ୍ଡରେ ୬୪ ଏବଂ ଭୁବନେଶ୍ୱର ଉପଖଣ୍ଡରେ ୭୨ କେନ୍ଦ୍ର ରହିଛି। ଜିଲ୍ଲାରେ ମୋଟ ୧୨ଟି ନୋଡାଲ କେନ୍ଦ୍ର କରାଯାଇଛି। ସେଥିରୁ ଖୋର୍ଦ୍ଧା ଭୁବନେଶ୍ବରରେ ୬ଟି ଲେଖାଏଁ କେନ୍ଦ୍ର ରହିଛି। ୫୦ଟି କେନ୍ଦ୍ରକୁ ସମ୍ୱେଦନଶୀଳ ଓ ଅତି ସମ୍ୱେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଏହି କେନ୍ଦ୍ରଗୁଡିକରେ ସିସଟିଭି କ୍ୟାମେରା ଖଞ୍ଜାଯାଇଛି। ସେପଟେ ରାୟଗଡ଼ା ଜିଲ୍ଲାର ୫୮ଟି କେନ୍ଦ୍ରର ୧୦ହଜାର ୫୮୮ଜଣ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଉଛନ୍ତି। ପ୍ରତି ସେଣ୍ଟର ରେ ସିସି କ୍ୟାମେରା ଲାଗିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇଛନ୍ତି। ମାଲକାନଗିରି ଜିଲ୍ଲାରେ ୧୩୦ ହାଇସ୍କୁଲ ପାଇଁ ୪୩ ସେଣ୍ଟର ରହିଛି। ଏଥର  ୮୨୨୩ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ୧୦ଟି ନୋଡାଲ ସେଣ୍ଟର ରହିଛି। ସେହିପରି କାମାକ୍ଷାନଗର ଉପଖଣ୍ଡର ୪୧ଟି ପରୀକ୍ଷା କେନ୍ଦ୍ରରେ ୬ ହଜାର ୫୨୩ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି। ଗଞ୍ଜାମ ଜିଲ୍ଲା ବୁଗୁଡାର ସମସ୍ତ ସ୍କୁଲର ଛାତ୍ରଛାତ୍ରୀ ମାନେ କଡା ସୁରକ୍ଷା ମଧ୍ୟରେ ପରୀକ୍ଷା ଦେଇଛନ୍ତି।

ଅନୁଗୁଳ ଜିଲାର ୮ଟି ବ୍ଲକରେ ୧୫ହଜାର ୯୦୭ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଛେଣ୍ଡିପଦା ବ୍ଲକର ୧୪ଟି ପରୀକ୍ଷା କେନ୍ଦ୍ରରେ ୪୨ଟି ଉଚ୍ଚବିଦ୍ୟାଳୟର ସମୁଦାୟ ୨୩୬୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ସେପଟେ କେନ୍ଦୁଝର ଜିଲ୍ଲାରେ ୧୪୩ଟି ପରୀକ୍ଷା କେନ୍ଦ୍ରରେ ଜିଲ୍ଲାର ୪୭୮ଟି ଉଚ୍ଚ ବିଦ୍ୟାଳୟର ୨୩ ହଜାର ୯୬୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ପରୀକ୍ଷାର୍ଥୀଙ୍କ ପାଇଁ ସହାୟକ ଲେଖକର ବ୍ୟବସ୍ଥା ହୋଇଥିବା ବେଳେ, ଅଧିକ ୩୦ ମିନିଟ୍ ପରୀକ୍ଷା ସମୟ ରଖାଯାଇଛି । ବାଲେଶ୍ୱର ଜିଲ୍ଲାରେ ୧୮୬ ଟି ସେଣ୍ଟରରେ ମୋଟ ୩୧୦୪୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଢେଙ୍କାନାଳ ଜିଲ୍ଲାର ମଧ୍ୟ ମାଟ୍ରିକ ଛାତ୍ରଛାତ୍ରୀ ପ୍ରଥମ ଦିନରେ ପରୀକ୍ଷା ଦେଇ ଖୁସି ବ୍ୟକ୍ତ କରିଛନ୍ତି।

ଅନ୍ୟପଟେ ପରୀକ୍ଷା ଆଗରୁ ଅଘଟଣ। ମାଟ୍ରିକ ପିଲାଙ୍କୁ ନେଇ ପରୀକ୍ଷାକେନ୍ଦ୍ରକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବୋଲେରୋ l ୧୧ ପରୀକ୍ଷାର୍ଥୀ ଆହତ ହୋଇଛନ୍ତି l କେନ୍ଦ୍ରାପଡା ରାଜନଗର ବ୍ଲକ ଅନ୍ତର୍ଗତ ବିବେକାନନ୍ଦ ହାଇସ୍କୁଲର ୧୧ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବୋଲେରୋ ଡାଙ୍ଗମାଳ ସ୍ଥିତ ନାଗାନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ପରୀକ୍ଷା ଦେବାକୁ ଯାଉଥିଲା l କୃଷ୍ଣନଗର ଠାରେ ବୋଲେରୋ ଟି ଏକ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଓଲଟି ପଡିଥିଲା l ସେପଟେ ପରୀକ୍ଷା ଦେବାକୁ ଯିବା ଆଗରୁ ଚାଲିଗଲା ଜୀବନ l ବାହାନଗା ବ୍ଲକ ବାରିପଦା ଗ୍ରାମର କୈଳାସ ମାଝୀଙ୍କ ପୁଅ ଚନ୍ଦ୍ରଶେଖର ସ୍ଥାନୀୟ ଉଦୟ ନାରାୟଣ ହାଇସ୍କୁଲ ଛାତ୍ର ଅଧ୍ୟୟନ କରୁଥିଲା l ଦୁଇଦିନ ତଳେ ଚନ୍ଦ୍ରଶେଖର ପଡୋଶୀ ଘରେ ଭୋଜି ଖାଇ ପେଟ କାଟୁଥିଲା l ସକାଳେ କଲ୍ୟାଣୀ ନୂଆପୁର ହାଇସ୍କୁଲ କେନ୍ଦ୍ରକୁ ଯିବାପାଇଁ ପ୍ରସ୍ତୁତ ହେଉଥିଲା l ଗାଧୋଇବା ପରେ ହଠାତ ଟଳି ପଡିବାରୁ ତାକୁ ସୋର ଡାକ୍ତରଖାନା ପରିବାର ଲୋକେ ନେଇ ଆସିଥିଲେ l ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି l

ପିଲାମାନେ ଚାପ ମୁକ୍ତ ସହ ଶାନ୍ତି ଶୃଙ୍ଖଳାରେ ପରୀକ୍ଷା ଦେବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପରୀକ୍ଷା ସୁରୁଖୁରୁରେ ସମ୍ପାଦନା ପାଇଁ ବୋର୍ଡ ପକ୍ଷରୁ କରାଯାଇଥିବା ବ୍ୟବସ୍ଥାକୁ ନେଇ ପରୀକ୍ଷାର୍ଥୀ ଖୁସି ଜାହିର କରିଥିବା ବେଳେ ଆଗାମୀ ଦିନର ପରୀକ୍ଷା ମଧ୍ୟ ବେଶ ଭଲ ହେବ ବୋଲି ଆଶା ରଖିଛନ୍ତି ଛାତ୍ରଛାତ୍ରୀ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *