ଶାହାରୁଖ ଖାନଙ୍କ କମ୍ପାନୀର ମୃତ ମହିଳା କର୍ମଚାରୀଙ୍କୁ ୬୨ଲକ୍ଷର ବୀମା

ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶାହାରୁଖ ଖାନଙ୍କ ଜଣେ କର୍ମଚାରୀଙ୍କୁ କ୍ଷତିପୂରଣ ବାବଦରେ ମିଳିବ ୬୨ ଲକ୍ଷ ଟଙ୍କା। ଏହି ଅର୍ଥ ମୋଟର ଆକ୍ସିଡେଣ୍ଟ କ୍ଲେମ୍ ଟ୍ରିବ୍ୟୁନାଲ ବା ଏମଏସିଟିର ନିର୍ଦେଶ କ୍ରମେ ବୀମା କମ୍ପାନୀ ପରିବାରକୁ ଦେବ।ଏ ନିଷ୍ପତ୍ତିକୁ କାଏମ ରଖିଲେ ବମ୍ୱେ ହାଇକୋର୍ଟ। ଶାହାରୁଖ ଖାନଙ୍କ ମାଲିକାନାରେ ଥିବା ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ କମ୍ପାନୀରେ କାମ କରୁଥିଲେ ଯୁବତୀ ଜଣକ। ଶାହାରୁଖ ଖାନଙ୍କ ମାଲିକାନାରେ ଥିବା ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ କମ୍ପାନୀରେ କାମ କରୁଥିଲେ ବ୍ୟକ୍ତିଜଣକ। ଯିଏ ମାର୍ଚ୍ଚ ୨୫, ୨୦୧୨ରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଶେଷରେ ମୃତ୍ୟୁମୁଖରେ ପଡ଼ିଥିଲେ। ଜଷ୍ଟିସ ଗିରିଶ କୁଲକର୍ଣ୍ଣି ଓ ଏ ସେଠନାଙ୍କ ଖଣ୍ଡପୀଠ ମୃତ ଚାରୁ ଖଣ୍ଡାଲଙ୍କ ପରିବାରକୁ ଏ ଅର୍ଥ ମିଳିବ ବୋଲି କହିଛନ୍ତି। ଚାରୁ ରେଡ୍ ଚିଲ୍ଲିଜ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ ହାଉସରେ କ୍ୟାରେକ୍ଟର ଆନିମେଟର ଭାବେ କାମ କରୁଥିଲେ। ଅଦାଲତ କହିଛନ୍ତି, ଏକ ଖ୍ୟାତିସମ୍ପନ୍ନ କମ୍ପାନୀରେ ୨୮ ବର୍ଷୀୟା ଚାରୁ କାମ କରୁଥିଲେ। ଏତେ କମ୍ ବର୍ଷ ବୟସରେ ସଡ଼କ ଦୁର୍ଘଟଣାରେ ସେ ଜୀବନ ହାରିଲେ। ୨୦୧୨ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶୀକାର ହେବା ପରେ ସେ ସର୍ଭିକାଲ ସ୍ପାଇନାଲ କର୍ଡ ଇଞ୍ଜୁରୀରେ ପଡ଼ିଥିଲେ। ୫ ବର୍ଷ ଧରି ଏଭଳି କଷ୍ଟକର ଜୀବନକୁ ସାହସର ସହ ସାମ୍ନା କରୁଥିଲେ। ଆଉ ଶେଷରେ ଜାନୁଆରୀ ୧୭, ୨୦୧୭ରେ ଶେଷ ନିଃଶ୍ୱାସ ତ୍ୟାଗ କଲେ। ଦୁର୍ଘଟଣା ପରେ କୋକିଳାବେନ୍ ଧିରୁଭାଇ ଅମ୍ୱାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଚାରୁ। ମାର୍ଚ୍ଚ ୨୫, ୨୦୧୨ରୁ ଜୁନ୍ ୨୯, ୨୦୧୨ ଯାଏ ସେଠାରେ ଚିକିତ୍ସିତ ଥିଲେ। ଚିକିତ୍ସା ଲାଗି ଚାରୁଙ୍କ ପରିବାର ମୋଟ୍ ୨୦ଲକ୍ଷ ଖର୍ଚ୍ଚ କରିସାରିଥିଲେ। ଦୁର୍ଘଟଣା ପରେ ପାରାଲିସିସରେ ଆକ୍ରାନ୍ତ ହୋଇଯାଇଥିଲେ ଚାରୁ। ଆଉ ଦୁର୍ଘଟଣାର ୫ ବର୍ଷ ପରେ ଚାଲିଗଲେ। କିନ୍ତୁ ବୀମା କମ୍ପାନୀ ଚୋଲାମଣ୍ଡଳମ ଜେନେରାଲ ଇନସୁରାନ୍ସ କମ୍ପାନୀ ଏମଏସିଟିର ନିର୍ଦେଶକୁ ନଭେମ୍ୱର ୨୭, ୨୦୨୦ରେ ଚ୍ୟାଲେଞ୍ଜ୍ କରିଥିଲେ। କାରଣ ଚାରୁ ଖଣ୍ଡାଲ କେବଳ ସଡ଼କ ଦୁର୍ଘଟଣା ଲାଗି ମରିନଥିଲେ। ବରଂ ଏଭଳି ଦୁର୍ଘଟଣାର ୫ ବର୍ଷ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ କ୍ଷୁବ୍ଧ ହୋଇଉଠିଥିଲେ ବିଚାରପତି। ବିଚାରପତି କହିଛନ୍ତି, ଯଦି ଜନ୍ମ ଓ ମୃତ୍ୟୁକୁ ପ୍ରତିଟି ମେଡିକାଲ ବିଲ୍ ଓ ଗଣିତ ଭାବେ କଷିବା। ତାହେଲେ ଏହାଠୁ ବଳିକି ଦୁର୍ଭାଗ୍ୟଜନକ କଥା ଆଉ କିଛି ହୋଇନପାରେ। ସେଥିଲାଗି ଏମଏସିଟି ଆଇନଗତ ନୀତିକୁ ଅନୁଧ୍ୟାନ କରି ଏଭଳି କ୍ଷତିପୂରଣ ରାଶି ଦେବାକୁ ଦେଇଥିବା ନିର୍ଦେଶାନାମା ବିଲକୁଲ ଠିକ୍। ଏହା ପରେ ବୀମା କମ୍ପାନୀର ଅପିଲକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। ଏମଏସିଟିର ନିର୍ଦେଶାନାମାରେ କୌଣସି ହସ୍ତକ୍ଷେପ କରିବା ଆବଶ୍ୟକତା ନାହିଁ ବୋଲି ହୃଦବୋଧ କରିଛନ୍ତି କୋର୍ଟ।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *