12-hour Odisha Bandh : ରାଜ୍ୟବ୍ୟାପୀ ଜନଜୀବନ ପ୍ରଭାବିତ, ବିଭିନ୍ନ ସ୍ଥାନରେ ରାସ୍ତାରୋକ
ଇଣ୍ଡିଆ ମେଣ୍ଟର ୪ ଦଫା ଦାବିକୁ ନେଇ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦରେ ଅନେକ ଜିଲ୍ଲାରେ ତୀବ୍ର ପ୍ରଭାବ। ରାସ୍ତାରୋକ, ପିକେଟିଂ ଓ ବିକ୍ଷୋଭ ଯୋଗୁଁ ବସ୍ ଚଳାଚଳ ବାଧାପ୍ରାପ୍ତ ହେବା ସହ ଅନେକ ସ୍ଥାନରେ ଦୋକାନବଜାର ବନ୍ଦ। ବନ୍ଦର ପ୍ରଭାବରେ ବିଭିନ୍ନ ସ୍ଥାନରେ ସାଧାରଣ ଜୀବନଯାତ୍ରା ବ୍ୟାହତ।

ଚାରି ଦଫା ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପଡ଼ିଛି। କଂଗ୍ରେସ ଓ ସିପିଆଇ(ଏମଏଲ୍) ଲିବରେସନ୍ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତାରୋକ କରିଛନ୍ତି। ଫଳରେ ଅନେକ ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହେବା ସହ ଦୋକାନ ବଜାର ଓ ବିଭିନ୍ନ ଅନୁଷ୍ଠାନ ବନ୍ଦ ରହିଛି।
ରାୟଗଡ଼ା ଜିଲ୍ଲାର ଗୁଣପୁର ବାଇପାସ୍ ଛକ ନିକଟରେ ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏହାର ପ୍ରଭାବରେ ଗୁଣପୁରରୁ ରାୟଗଡ଼ା, ବ୍ରହ୍ମପୁର, ଜୟପୁର, କୋରାପୁଟ, ପାରଳାଖେମୁଣ୍ଡି, ମୁନିଗୁଡ଼ା ଓ କଳାହାଣ୍ଡି ଅଭିମୁଖେ ବସ୍ ଚଳାଚଳ ବନ୍ଦ ରହିଥିଲା। ସହରର ଅନେକ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।
ସେହିପରି କନ୍ଧମାଳ ଜିଲ୍ଲାର ଫୁଲବାଣୀ, ବାଲିଗୁଡ଼ା ଓ ଘୁ. ,ଉଦୟଗିରି ସମେତ ବିଭିନ୍ନ ବ୍ଲକରେ ବନ୍ଦର ପ୍ରଭାବ ଦେଖାଦେଇଛି। ବାଲିଗୁଡ଼ାରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ବନ୍ଦକୁ ସଫଳ କରିବାକୁ ଉଦ୍ୟମ କରିଛନ୍ତି।
ପିପିଲି ବନ୍ଦ ଯୋଗୁଁ ପଶ୍ଚିମବଙ୍ଗରୁ ଆସିଥିବା କିଛି ଯାତ୍ରୀ ପିପିଲି ଟୋଲ୍ ପ୍ଲାଜା ନିକଟରେ ଅଟକି ରହିଥିଲେ। କୋଳରେ ଛୋଟ ଶିଶୁଙ୍କୁ ଧରି ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ଅଭାବରେ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ। ଆନ୍ଦୋଳନକାରୀଙ୍କୁ ରାସ୍ତା ଛାଡ଼ିବାକୁ ଅନୁରୋଧ କରିଥିଲେ ମଧ୍ୟ ସୁଫଳ ମିଳିନଥିଲା |
ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକ୍ ଓ ଦୁଇଟି ପୌରାଞ୍ଚଳରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଛି। ଜିଲ୍ଲା କଂଗ୍ରେସ ସଭାପତି ଡ. ଲିପିକା ମାଝୀଙ୍କ ନେତୃତ୍ୱରେ ବିଭିନ୍ନ ଛକରେ କଂଗ୍ରେସ କର୍ମୀମାନେ ପ୍ରତିବାଦ କରିଛନ୍ତି।ନବରଙ୍ଗପୁର ସହରର ଚାଉଁରିଆଗୁଡ଼ା ଛକ, କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖ ଓ ମାଝୀଗୁଡ଼ା ଛକରେ ଜାତୀୟ ରାଜପଥ-୨୬ ଅବରୋଧ କରାଯାଇଥିବାରୁ ଉଭୟ ପାର୍ଶ୍ୱରେ ଦୂରଦୂରାନ୍ତର ଗାଡ଼ି ଅଟକି ରହିଥିଲା। ଏହା ଯୋଗୁଁ ଯାତ୍ରୀମାନେ ହଇରାଣ ହୋଇଥିଲେ। ତେବେ ଆମ୍ବୁଲାନ୍ସ, ଔଷଧ ଦୋକାନ ଓ ଅନ୍ୟ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯାଇଛି।
ବୌଦ୍ଧ ଜିଲ୍ଲାର ବୌଦ୍ଧ ସହର ଓ କଣ୍ଟାମାଳରେ ମଧ୍ୟ ବନ୍ଦର ବ୍ୟାପକ ପ୍ରଭାବ ପଡ଼ିଛି। କଂଗ୍ରେସ କର୍ମୀମାନେ ଜାତୀୟ ରାଜପଥ-୫୭ରେ ପହଞ୍ଚି ପ୍ରତିବାଦ ଓ ବିକ୍ଷୋଭ କରିଥିଲେ। ଏଠାରେ ବସ୍ ଚଳାଚଳ ବନ୍ଦ ରହିବା ସହ ସରକାରୀ-ବେସରକାରୀ କାର୍ଯ୍ୟାଳୟ ଓ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା। ତେବେ ହରଭଙ୍ଗା ବ୍ଲକ୍ରେ ବନ୍ଦର ବିଶେଷ ପ୍ରଭାବ ଦେଖାଯାଇନଥିଲା। ସେଠାରେ ଗାଡ଼ିମଟର ଚଳାଚଳ ସ୍ୱାଭାବିକ ରହିବା ସହ ସରକାରୀ-ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ଖୋଲା ରହିଥିଲା |
ସେହିପରି ଏହି ଆନ୍ଦୋଳନ ଟିଟିଲାଗଡ଼, ଢେଙ୍କାନାଳ ଓ ସୋର ଦେଖିବାକୁ ମିଳିଛି |ଆନ୍ଦୋଳନକାରୀଙ୍କ ଚାରି ଦଫା ଦାବି ମଧ୍ୟରେ ଏମଏମଡିଆର୍ ଆଇନ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପାଇଁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା-ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ପ୍ରଦାନ ଅନ୍ତର୍ଭୁକ୍ତ ରହିଛି।
ବିଭିନ୍ନ ଜିଲ୍ଲାରେ ରାସ୍ତାରୋକ, ପିକେଟିଂ ଓ ବିକ୍ଷୋଭ ଜାରି ରହିଥିବାରୁ ଅନେକ ସ୍ଥାନରେ ଯାତାୟାତ ବ୍ୟବସ୍ଥା ଠପ୍ ହୋଇଛି। ବନ୍ଦର ପ୍ରଭାବରେ ସାଧାରଣ ଜୀବନଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି।
