Actor Raju Kher :ଚ୍ୟାନେଲ ହଠାତ୍ ଗାୟବ, ଘର ବିକି ହରାଇଲେ ଟଙ୍କା :ଆର୍ଥିକ ସଙ୍କଟରେ ଅଭିନେତା ରାଜୁ ଖେର
ଅଭିନେତା ଅନୁପମ ଖେରଙ୍କ ଭାଇ ରାଜୁ ଖେର ନିଜର ଦୁର୍ଦ୍ଦିନର କାହାଣୀ ବାଣ୍ଟି କହିଛନ୍ତି ଯେ,ଏକ ନୂଆ ଟିଭି ଚ୍ୟାନେଲ ପାଇଁ ନିଜ ଘର ବିକି ଏକ ପ୍ରୋଗ୍ରାମରେ ଟଙ୍କା ଲଗାଇଥିଲେ | କିନ୍ତୁ ହଠାତ୍ ଚ୍ୟାନେଲ ହିଁ ଗାୟବ ହୋଇଗଲା | ସେହି ସମୟରେ ବଡ଼ ଭାଇ ଅନୁପମ ଖେର ତାଙ୍କୁ ଆଶା ମୁତାବକ ଆର୍ଥିକ ସାହାଯ୍ୟ କରିନଥିବା କାରଣରୁ ସେ ଦୁଃଖୀ ଥିଲେ, କିନ୍ତୁ ପରେ ସେ ଭାଇର ନିଜସ୍ୱ ସଂଘର୍ଷକୁ ବୁଝିପାରିଥିଲେ।
ବଲିଉଡର ଜଣାଶୁଣା ଅଭିନେତା ଅନୁପମ ଖେରଙ୍କ ଭାଇ ତଥା ଅଭିନେତା-ନିର୍ଦ୍ଦେଶକ ରାଜୁ ଖେର ନିକଟରେ ସିଦ୍ଧାର୍ଥ କନ୍ନନଙ୍କ ପଡକାଷ୍ଟରେ ଜୀବନର ସବୁଠାରୁ କଠିନ ସମୟ ସମ୍ପର୍କରେ ଖୁଲାସା କରିଛନ୍ତି। ଟିଭି ପ୍ରୋଜେକ୍ଟରେ ଟଙ୍କା ଲଗାଇବା ପରେ ଚ୍ୟାନେଲ ହଠାତ୍ ବନ୍ଦ ହୋଇଯିବା ରାଜୁ ଖେରଙ୍କ ଜୀବନର ଏକ କଠିନ ସମୟ ଥିଲା। ସେହି ସମୟରେ ଘରଭଡ଼ା ଦେବାର ଚାପ ମଧ୍ୟ ବଢ଼ିଥିଲା ଏବଂ ସେ ବଡ଼ ଭାଇ ଅନୁପମ ଖେରଙ୍କ ସାହାଯ୍ୟ ଆଶା କରିଥିଲେ।
ରାଜୁ କହିଛନ୍ତି,ଏକ ନୂତନ ଟିଭି ଚ୍ୟାନେଲ୍ ଆସୁଥିବା ବେଳେ ସେ 'ଲାଇଫ୍ କେ ଲିୟେ କୁଛ ଭି କରେଗା' ନାମକ ଏକ ପ୍ରୋଗ୍ରାମ ତିଆରି କରିଥିଲେ ଏବଂ ନିଜ ୪-ବିଏଚ୍କେ ଘର ବିକ୍ରି କରି ସେଥିରେ ସବୁ ଟଙ୍କା ବିନିଯୋଗ କରିଥିଲେ।କିନ୍ତୁ ହଠାତ୍ ଚ୍ୟାନେଲଟି ଗାୟବ ହୋଇଯାଇଥିଲା।ଏହି କାରଣରୁ ରାଜୁଙ୍କୁ ଭଡ଼ା ଦେବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା।ଏହି ଦୁଃସମୟରେ ରାଜୁ ଭାବିଥିଲେ ଅନୁପମ ତାଙ୍କୁ ସାହାଯ୍ୟ କରିବେ। କିନ୍ତୁ ସେତେବେଳେ ଅନୁପମ ମଧ୍ୟ ଭଲ ରୋଲ୍ ପାଇଁ କାମ ବନ୍ଦ କରି ନିଜର ସଂଘର୍ଷ ଦେଇ ଗତି କରୁଥିଲେ। ରାଜୁ କହିଛନ୍ତି, ସେତେବେଳେ ତାଙ୍କୁ ଲାଗିଥିଲା ଯେ ଭାଇ ଚାହିଁଥିଲେ ତାଙ୍କୁ ସାହାଯ୍ୟ କରିପାରିଥାନ୍ତେ। କିନ୍ତୁ ପରେ ଅନୁପମଙ୍କ ନିଜ ସଂଘର୍ଷକୁ ବୁଝିବା ପରେ ରାଜୁଙ୍କ ଧାରଣା ବଦଳିଥିଲା।ଏପଟେ ଅନୁପମ ମଧ୍ୟ ନିଜ ଭାଇଙ୍କ ସହ ସମ୍ପର୍କକୁ ନେଇ ଭାବପ୍ରବଣ ହୋଇ କହିଥିଲେ ଯେ ସେ ବର୍ଷ ବର୍ଷ ଧରି ରାଜୁଙ୍କ ଯତ୍ନ ନେଇଆସିଛନ୍ତି। ରାଜୁଙ୍କ ପାଇଁ ଚେକ୍ ସାଇନ୍ କରିବାଠାରୁ ଘରର ଖର୍ଚ୍ଚ ପର୍ଯ୍ୟନ୍ତ ସେ ସାହାଯ୍ୟ କରୁଥିବା କହିଥିଲେ।ଏବଂ ତାଙ୍କ ପତ୍ନୀ କିରଣ ଖେର ମଧ୍ୟ ଏଥିରେ କେବେ କୌଣସି ପ୍ରଶ୍ନ କରିନାହାନ୍ତି।
