ଅଭିଷେକ ବାନାର୍ଜୀଙ୍କ ଅଫିସ୍ରେ ଭଙ୍ଗାରୁଜା, ବିଜେପିକୁ ଦାୟୀ କଲେ ଟିଏମସି ସାଂସଦ
ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ପାର୍ଟି ଅଫିସ୍ରେ ଭଙ୍ଗାରୁଜା ଓ ଲୁଟପାଟ ହୋଇଥିବା ଅଭିଯୋଗ। ଘଟଣାର CCTV ଫୁଟେଜ୍ ସୋସିଆଲ ମିଡିଆ ‘X’ରେ ସେୟାର କରି ଅଭିଷେକ ବାନାର୍ଜୀ ଏହି ଆକ୍ରମଣ ପାଇଁ ବିଜେପିକୁ ଦାୟୀ କରିଛନ୍ତି।

କୋଲକାତାର କାମାକ୍ ଷ୍ଟ୍ରିଟ୍ରେ ଥିବା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ପାର୍ଟି ଅଫିସ୍ରେ ଭୋର ପ୍ରାୟ ୪ଟା ୩୦ରେ ଭଙ୍ଗାରୁଜା ଓ ଲୁଟପାଟ ହୋଇଥିବା ଅଭିଯୋଗ ହୋଇଛି। ମୁଖାପିନ୍ଧା ଓ ହେଲମେଟ୍ ପିନ୍ଧିଥିବା କିଛି ବ୍ୟକ୍ତି ଅଫିସ୍ରେ ପଶି ଆସବାବପତ୍ର ଓ ଇଲେକ୍ଟ୍ରୋନିକ୍ ସାମଗ୍ରୀ ନଷ୍ଟ କରିବା ସହ ଟିଭି, ପ୍ରିଣ୍ଟର ଆଦି ନେଇଯାଇଥିବା ଦାବି କରିଛନ୍ତି ଅଭିଷେକ। ଘଟଣାର CCTV ଫୁଟେଜ୍ ସୋସିଆଲ ମିଡିଆ ‘X’ରେ ସେୟାର କରି ଅଭିଷେକ ବାନାର୍ଜୀ ଏହି ଆକ୍ରମଣ ପାଇଁ ବିଜେପିକୁ ଦାୟୀ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଅଫିସ୍ରେ ଥିବା କର୍ମଚାରୀଙ୍କୁ ମାଡ଼ ମରାଯିବା ସହ ମୋବାଇଲ୍ ଫୋନ୍ ଛଡ଼ାଇ ନିଆଯାଇଥିଲା। ପୁଲିସକୁ ବାରମ୍ବାର ଫୋନ୍ ଓ ଇମେଲ୍ କରାଯାଇଥିଲେ ମଧ୍ୟ ପ୍ରାୟ ଦୁଇ ଘଣ୍ଟା ଧରି ପୁଲିସ୍ର ପ୍ରତିକ୍ରିୟା ମିଳିନଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଅଭିଷେକ ରାଜ୍ୟପାଳ, କେନ୍ଦ୍ର ଗୃହମନ୍ତ୍ରୀ ଓ କଲକାତା ହାଇକୋର୍ଟଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ ଟାର୍ଗେଟ୍ କରି ଇସ୍ତଫା ଦାବି କରିଛନ୍ତି। ଅନ୍ୟପକ୍ଷରେ, ବିଜେପି ଅଭିଷେକଙ୍କ ଅଭିଯୋଗକୁ ଖଣ୍ଡନ କରିଛି। ଦଳୀୟ ନେତା ଶମୀକ ଭଟ୍ଟାଚାର୍ଯ୍ୟ ଏହି ଘଟଣାରେ ବିଜେପିର କୌଣସି ସମ୍ପୃକ୍ତି ନଥିବା କହିଛନ୍ତି। ଘଟଣାରେ ସନ୍ଦେହରେ ୬ ଜଣଙ୍କୁ ପୁଲିସ ପଚରାଉଚରା କରିଥିବା ରିପୋର୍ଟ ଆସିଛି। ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ ଏହି ଅଫିସ୍ରେ ଲାଗିଥିବା ଏକ ବିବାଦୀୟ ହୋର୍ଡିଂ ହଟାଇବାକୁ ନେଇ ଟିଏମସି କର୍ମୀ ଓ ପୁଲିସ-ପୌରସଂସ୍ଥା ମଧ୍ୟରେ ବିବାଦ ହୋଇଥିଲା।
