Baby Food Packet Guidelines:ବେବି ଫୁଡ୍ ପ୍ୟାକେଟ୍ରୁ ହଟିବ ମା’-ଛୁଆର ଫଟୋ
କମ୍ପାନୀଙ୍କ ଚାଲାକି ଶେଷ! ବେବି ଫୁଡ୍ ପ୍ୟାକେଟ୍ରୁ ହଟିବ ମା’-ଛୁଆର ଫଟୋ | ମହାରାଷ୍ଟ୍ର FDA କମିଶନର ତୁକାରାମ ମୁଣ୍ଡେ ସର୍ଜିକାଲ ଷ୍ଟ୍ରାଇକ୍ ପରେ ନେଲେ ବଡ଼ ପଦକ୍ଷେପ | "ମା’ କ୍ଷୀର ହିଁ ସର୍ବୋତ୍ତମ" -ବେବି ଫୁଡ୍ ପ୍ୟାକେଟ୍ରେ ଲେଖିବାକୁ ହେବ ଚେତାବନୀ, ନିୟମ ଭାଙ୍ଗିଲେ ଦେବାକୁ ପଡିବ ୧୦ ଲକ୍ଷ ଜୋରିମନା |
ମହାରାଷ୍ଟ୍ର: ଗତ କିଛି ମାସ ମଧ୍ୟରେ ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (FDA) ମହାରାଷ୍ଟ୍ରରେ ହୋଟେଲ ଓ ଖାଦ୍ୟ ସାମଗ୍ରୀ ସମ୍ବନ୍ଧୀୟ ସ୍ୱଚ୍ଛତା ଓ ଅନିୟମିତତା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ଏବେ ଟାର୍ଗେଟରେ ବେବି ଫୁଡ୍ ତିଆରି କରୁଥିବା କମ୍ପାନୀ | ବର୍ତ୍ତମାନର ସମୟରେ ସହରୀ ଅଞ୍ଚଳରେ ନବଜାତ ଶିଶୁଙ୍କୁ ମା’ କ୍ଷୀର ବଦଳରେ ପ୍ୟାକେଟ୍ ବେବି ଫୁଡ୍ ଦେବାର ଝୁଙ୍କ ଦ୍ରୁତ ଗତିରେ ବଢ଼ିବାରେ ଲାଗିଥିବାବେଳେ, FDA କମିଶନର ତୁକାରାମ ମୁଣ୍ଡେ ବେବି ଫୁଡ୍ ତିଆରି କରୁଥିବା ବ୍ରାଣ୍ଡଗୁଡ଼ିକର ବେପାରୀ ସେଲ୍ସ ଷ୍ଟ୍ରାଟେଜି ଉପରେ ବ୍ରେକ୍ ଲଗାଇଛନ୍ତି। ଶିଶୁ ସ୍ୱାସ୍ଥ୍ୟ ଉପରେ ଏକ ସାଂଘାତିକ ସର୍ଭେ ରିପୋର୍ଟର ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିବାପରେ FDA ତରଫରୁ ନୂଆ ଗାଇଡ୍ଲାଇନ୍ ଲାଗୁ କରାଯାଇଛି | ଏହି ନୂଆ ନିୟମ ଅନୁଯାୟୀ, ୨ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ସେରିଏଲ୍, ଫର୍ମୁଲା ମିଲ୍କ କିମ୍ବା ସପ୍ଲିମେଣ୍ଟ୍ରି ଫୁଡ୍ ପ୍ୟାକେଟ୍ ଉପରେ ମା’ ଏବଂ ଶିଶୁର କୌଣସି ଆକର୍ଷଣୀୟ ଫଟୋ ରହିପାରିବ ନାହିଁ।
ସର୍ଭେ ରିପୋର୍ଟର ତଥ୍ୟ ଅନୁଯାୟୀ, ମା’ କ୍ଷୀର ନ ମିଳିବା କାରଣରୁ ପିଲାଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମି କମି ଯାଉଛି । ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ଶିଶୁ ଜନ୍ମର ପ୍ରଥମ ଘଣ୍ଟାରୁ ନେଇ ୬ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନର ହାର ୭୫.୨ ପ୍ରତିଶତ ରହିଥିବାବେଳେ ସହରୀ ଅଞ୍ଚଳରେ ମାତ୍ର ୫୨.୮ ପ୍ରତିଶତ ରହିଥିବା ସର୍ଭେରୁ ଜଣାପଡ଼ିଛି | ତେବେ ଚିନ୍ତା ବଢ଼ାଉଛି ରାଜ୍ୟରେ ୧୦ରୁ ୧୨ ବର୍ଷ ବୟସର ପ୍ରାୟ ୨୫ ପ୍ରତିଶତ ପିଲା ହାଇ ବ୍ଲଡପ୍ରେସର ଏବଂ ମଧୁମେହ ଭଳି ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେବା। ଯାହାର ସିଧାସଳଖ ସମ୍ପର୍କ ଶିଶୁ ଅବସ୍ଥାରେ ସ୍ତନ୍ୟପାନ ନକରିବା ଏବଂ କେମିକାଲ ଯୁକ୍ତ ପ୍ୟାକେଟ୍ ଖାଦ୍ୟ ଖାଇବା ସହ ରହୁଛି ।
ଏହିଭଳି ପରିସ୍ଥିତିରେ ଶିଶୁ ଖାଦ୍ୟ କମ୍ପାନୀ ଗୁଡିକର ସେଲ୍ସ ଷ୍ଟ୍ରାଟେଜି ଉପରେ ରୋକ ଲଗାଇବାକୁ ଯାଇ କମିଶନର ମୁଣ୍ଡେ ସ୍ପଷ୍ଟ କରିଛନ୍ତି ଯେ,ବର୍ତ୍ତମାନ କମ୍ପାନୀଗୁଡ଼ିକ ନିଜ ଉତ୍ପାଦକୁ ମା’ କ୍ଷୀର ସହିତ ସମାନ ବୋଲି ଦାବି କରିପାରିବେ ନାହିଁ। ପ୍ୟାକେଟ୍ରେ ସ୍ପଷ୍ଟ ଭାବେ ଲେଖିବାକୁ ହେବ ଯେ, ୬ ମାସ ପରେ ହିଁ ପିଲାକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଏହି ସପ୍ଲିମେଣ୍ଟ୍ରି ଖାଦ୍ୟ ଦିଆଯାଇପାରିବଏବଂ ସମସ୍ତ ପ୍ୟାକେଟ୍ର ସମ୍ମୁଖ ଭାଗରେ ବଡ଼ ଅକ୍ଷରରେ "ମା’ କ୍ଷୀର ହିଁ ସର୍ବୋତ୍ତମ" ଲେଖିବାକୁ ବାଧ୍ୟତାମୂଳକ | କମ୍ପାନୀଗୁଡ଼ିକ ପ୍ୟାକେଟ୍ ଉପରେ "ହ୍ୟୁମାନାଇଜ୍ଡ" କିମ୍ବା "କମ୍ପ୍ଲିଟ୍ ଫୁଡ୍" ଭଳି ଶବ୍ଦ ଲେଖି ଗ୍ରାହକଙ୍କୁ ବିଭ୍ରାନ୍ତ କରିପାରିବେ ନାହିଁ।ଏପରିକି ଡାକ୍ତରମାନେ ମଧ୍ୟ ପ୍ରେସକ୍ରିପସନରେ କୌଣସି ନିର୍ଦ୍ଦିଷ୍ଟ ବ୍ରାଣ୍ଡର ନାମ ଲେଖି ପ୍ରମୋଟ୍ କରିପାରିବେ ନାହିଁ।
ଯଦି କୌଣସି କମ୍ପାନୀ ଏହି ଆଦେଶ ଉଲ୍ଲଂଘନ କରେ କିମ୍ବା ଭ୍ରମାତ୍ମକ ବିଜ୍ଞାପନ ଦିଏ, ତେବେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମନା ହେବ।ସେହିପରି ନିମ୍ନମାନର ଖାଦ୍ୟ ପାଇଁ ୫ ଲକ୍ଷ ଏବଂ ମିସବ୍ରାଣ୍ଡିଂ ପାଇଁ ୩ ଲକ୍ଷ ଟଙ୍କା ଜରିମାନା ସହ ଲାଇସେନ୍ସ ବାତିଲ କରାଯିବ। ଗମ୍ଭୀର ମାମଲାରେ ଆଜୀବନ କାରାଦଣ୍ଡର ମଧ୍ୟ ପ୍ରାବଧାନ ରହିଛି।
ଏହି ନିୟମ କେବଳ ଉତ୍ପାଦକ ନୁହେଁ, ବରଂ ଆମଦାନୀକାରୀ, ହସ୍ପିଟାଲ, ମେଡିକାଲ ଷ୍ଟୋର ଏବଂ ଆମାଜନ କିମ୍ବା ଫ୍ଲିପକାର୍ଟ ଭଳି ଇ-କମର୍ସ ପ୍ଲାଟଫର୍ମ ଉପରେ ମଧ୍ୟ ସମାନ ଭାବରେ ଲାଗୁ ହେବ। କୌଣସି କମ୍ପାନୀ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଫ୍ରି ସାମ୍ପଲ୍, କ୍ୟାଶ୍ବ୍ୟାକ୍ କିମ୍ବା ଡିସକାଉଣ୍ଟ କୁପନ ଦେଇପାରିବେ ନାହିଁ। ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ଦ୍ୱାରା ହେଉଥିବା ପ୍ରମୋସନକୁ ମଧ୍ୟ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପ୍ରଶାସନର ଏହି ପଦକ୍ଷେପ ଶିଶୁର ସୁରକ୍ଷିତ ଭବିଷ୍ୟତ ପାଇଁ ଏକ ଉପଯୁକ୍ତ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି।
