Full-body scanners at airports:ବିମାନବନ୍ଦରରେ ଲାଗିବ 'ଫୁଲ୍ ବଡି ସ୍କାନର୍': କକ୍ପିଟ୍ ଆକ୍ରମଣ ପରେ କଡା ସୁରକ୍ଷା
ତେଲ୍ ଆଭିଭ୍ ଅଭିମୁଖେ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଭାରତୀୟ କ୍ୟାପଟେନଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ପରେ ଏବେ ସାଧାରଣ ମେଟାଲ୍ ଡିଟେକ୍ଟର୍ ବଦଳରେ ଅତ୍ୟାଧୁନିକ 'ଫୁଲ୍ ବଡି ସ୍କାନର୍' ଲଗାଯିବ। ଆକ୍ରମଣ ଘଟଣା ପରେ କେନ୍ଦ୍ର ସରକାର ଦେଶର ବିମାନବନ୍ଦର ଗୁଡ଼ିକର ସୁରକ୍ଷା ବଳୟକୁ ସମ୍ପୂର୍ଣ୍ଣ ବଦଳାଇବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ତେଲ୍ ଆଭିଭ୍ ଅଭିମୁଖେ ଯାଉଥିବା ଫ୍ଲାଇଦୁବାଇ ବିମାନ FZ 1073 ରେ କକ୍ପିଟ୍ ଭିତରେ ଘଟିଥିବା ହିଂସାକାଣ୍ଡ ପରେ ଭାରତ ସରକାର ଆଭିଏସନ୍ ସେକ୍ଟରର ସୁରକ୍ଷା ନୀତିକୁ ନେଇ କଠୋର ଆଭିମୁଖ୍ୟ ଆପଣାଇଛନ୍ତି। ସୂଚନା ଅନୁଯାୟୀ, ଫ୍ଲାଇଦୁବାଇ ବିମାନର ସହ-ପାଇଲଟ୍ ଜଣକ ଭାରତୀୟ କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କୁ ଛୁରି ଭଳି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଗୁରୁତର ଆହତ ହୋଇଥିଲେ ମଧ୍ୟ କ୍ୟାପଟେନ୍ ସ୍ମିତ ସାହସର ସହ ତାଙ୍କୁ ପ୍ରତିରୋଧ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ସହ-ପାଇଲଟ୍ଙ୍କୁ ଗିରଫ କରାଯାଇଥିଲା |ଏହି ଘଟଣା ପରେ ବର୍ତମାନ ବିମାନବନ୍ଦର ଗୁଡ଼ିକରେ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟବହୃତ ହେଉଥିବା ପାରମ୍ପରିକ ମେଟାଲ୍ ଡିଟେକ୍ଟର୍ ଏବଂ ସୁରକ୍ଷା କର୍ମୀଙ୍କ ଦ୍ୱାରା କରାଯାଉଥିବା ମାନୁଆଲ୍ ଯାଞ୍ଚ ବ୍ୟବସ୍ଥାରେ ଥିବା ଅନେକ ତ୍ରୁଟିରେ ସୁଧାର କରାଯାଉଛି । ବିଶେଷ କରି ଅଣଧାତବ ବିପଦପୂର୍ଣ୍ଣ ସାମଗ୍ରୀ ଯଥା ପ୍ଲାଷ୍ଟିକ୍ ବିସ୍ଫୋରକ କିମ୍ବା ତରଳ ପଦାର୍ଥକୁ ସାଧାରଣ ମେସିନ ଚିହ୍ନଟ କରିପାରୁନଥିଲା। ଏହି ସମସ୍ୟାର ସମାଧାନ ପାଇଁ ଭାରତୀୟ ବିମାନବନ୍ଦରରେ 'ମିଲିମିଟର୍-ୱେଭ୍ ଟେକ୍ନୋଲୋଜି' ଆଧାରିତ ଫୁଲ୍ ବଡି ସ୍କାନର୍ ବ୍ୟବହାର କରାଯାଉଛି। ଯେଉଁଥିରେ ସ୍କାନର୍ ମାଧ୍ୟମରେ ଯାତ୍ରୀମାନଙ୍କୁ କୌଣସି ପ୍ରକାରେ ନିଜର ପୋଷାକ ଖୋଲିବାକୁ ପଡ଼ିବ ନାହିଁ କିମ୍ବା ସୁରକ୍ଷା କର୍ମୀ ସେମାନଙ୍କୁ ଶାରୀରିକ ଭାବେ ସ୍ପର୍ଶ କରିବେ ନାହିଁ। ଏହି ବ୍ୟବସ୍ଥା ବିମାନବନ୍ଦରରେ ଯାଞ୍ଚ ପ୍ରକ୍ରିୟାକୁ ଅଧିକ ଦ୍ରୁତ କରିବା ସହ ନିରାପତ୍ତା ସ୍ତରକୁ ଶତପ୍ରତିଶତ ସୁରକ୍ଷିତ କରିବ।
ତେବେ କକ୍ପିଟ୍ ଭିତରକୁ ଛୁରି କିଭଳି ଆସିଲା ନା ସେଠାରେ ପୂର୍ବରୁ ଥିବା ଜରୁରୀକାଳୀନ ଫାୟାର୍ ଆକ୍ସ ବ୍ୟବହାର ହୋଇଥିଲା, ତାହା ଏବେ ବି ସ୍ପଷ୍ଟ ହୋଇନଥିବା ବେଳେ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ | ସେ କହିଛନ୍ତି ଯେ, ଆନ୍ତର୍ଜାତୀୟ ସଂସ୍ଥାର ତଦନ୍ତ ରିପୋର୍ଟ ଆସିବା ପରେ ସୁରକ୍ଷା ନିୟମକୁ ଆହୁରି କଡ଼ାକଡ଼ି କରାଯିବ। ଏହି କ୍ରମରେ ମନ୍ତ୍ରଣାଳୟର ସଚିବ ସମୀର ସିହ୍ନା ସୂଚନା ଦେଇଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଦେଶର ୮ଟି ଗୁରୁତ୍ୱପୂର୍ଣ୍ଣ ବିମାନବନ୍ଦରରେ 'ଫୁଲ୍ ବଡି ସ୍କାନର୍' ଲଗାଯିବ ଯେପରି କୌଣସି ବି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ବିମାନ ଭିତରକୁ ମାରାତ୍ମକ ସାମଗ୍ରୀ ନେଇପାରିବେ ନାହିଁ।ଏବଂ ଏହାକୁ ସାରା ଦେଶରେ ବ୍ୟାପକ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।
