Bank Strike: ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ ହଡ଼ତାଳ
ଯଦି ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ଜରୁରୀ କାମ ଅଛି, ତେବେ ଆଜି ହିଁ ସେହି କାମ ସାରି ନେବା ଭଲ। ନହେଲେ ଆପଣଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ । ସେପ୍ଟେମ୍ବର ୧୧ ଅର୍ଥାତ ଆଜି ସାରା ଦେଶରେ ବ୍ୟାଙ୍କ ଆନ୍ଦୋଳନ ଚାଲିଛି।

ଯଦି ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ଜରୁରୀ କାମ ଅଛି, ତେବେ ଆଜି ହିଁ ସେହି କାମ ସାରି ନେବା ଭଲ। ନହେଲେ ଆପଣଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ । ସେପ୍ଟେମ୍ବର ୧୧ ଅର୍ଥାତ ଆଜି ସାରା ଦେଶରେ ବ୍ୟାଙ୍କ ଆନ୍ଦୋଳନ ଜାରି ରହିଛି । ଏହା ପରେ ଶନିବାର ଓ ରବିବାର ଛୁଟି ରହିବ । ଏଥିସହ କିଛି ରାଜ୍ୟରେ ଗଣେଶ ଚତୁର୍ଥୀ ଯୋଗୁଁ ସୋମବାର ଓ ମଙ୍ଗଳବାର ମଧ୍ୟ ବ୍ୟାଙ୍କ ବନ୍ଦ ରହିପାରେ । ଯଦି ଆପଣଙ୍କର ବ୍ୟାଙ୍କରେ କୌଣସି ଜରୁରୀ କାମ ଅଛି ଏବଂ ତାହା କେବଳ ବ୍ୟାଙ୍କ ଶାଖାକୁ ଯାଇ ହିଁ କରାଯାଇପାରିବ, ତେବେ ଏହାକୁ ଟାଳିବା ଆପଣଙ୍କ ପାଇଁ ଭାରି ପଡ଼ିପାରେ । ଆସନ୍ତା କିଛି ଦିନ ମଧ୍ୟରେ ଅନେକ ସ୍ଥାନରେ ବ୍ୟାଙ୍କର ଶାଖା ବନ୍ଦ ରହିବ । ଏପରି ସ୍ଥିତିରେ ଟଙ୍କା ଉଠାଇବା, ଜମା କରିବା କିମ୍ବା ବ୍ୟାଙ୍କ ଶାଖା ସହ ଜଡ଼ିତ ଅନ୍ୟାନ୍ୟ କାମ ପାଇଁ ଆପଣଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିପାରେ । ତେବେ ଏହାର ଅର୍ଥ ଏନୁହେଁ ଯେ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ଡିଜିଟାଲ ବ୍ୟାଙ୍କିଙ୍ଗ , ATM ଏବଂ ଅନ୍ୟାନ୍ୟ ଅନଲାଇନ୍ ବିକଳ୍ପ ମାଧ୍ୟମରେ ଆପଣ ଆପଣଙ୍କର ଅନେକ କାମ କରିପାରିବେ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ସେପ୍ଟେମ୍ବର ୧୧ ତାରିଖରେ ସାରା ଦେଶରେ ବ୍ୟାଙ୍କ ଧର୍ମଘଟ ଘୋଷଣା କରିଛି । ବ୍ୟାଙ୍କ ୟୁନିଅନଗୁଡ଼ିକ ନିଜର ବିଭିନ୍ନ ଦାବି ନେଇ ଏହି ଧର୍ମଘଟ ଡାକରା ଦେଇଛନ୍ତି । ଏହାର ପ୍ରଭାବ ବିଶେଷ କରି ବ୍ୟାଙ୍କ ଶାଖାରେ ହେଉଥିବା ସାଧାରଣ କାର୍ଯ୍ୟକଳାପ ଉପରେ ପଡ଼ିପାରେ । ଧର୍ମଘଟ ପରେ ସେପ୍ଟେମ୍ବର ୧୨ ତାରିଖ ଶନିବାର ଏବଂ ୧୩ ତାରିଖ ରବିବାର ରହିଛି । ଏହା ପରେ କିଛି ରାଜ୍ୟରେ ଗଣେଶ ଚତୁର୍ଥୀ ଯୋଗୁଁ ସୋମବାର ଓ ମଙ୍ଗଳବାର ମଧ୍ୟ ବ୍ୟାଙ୍କ ବନ୍ଦ ରହିବ । ଅର୍ଥାତ୍, କିଛି ସ୍ଥାନରେ ବ୍ୟାଙ୍କ ଶାଖା ସମ୍ବନ୍ଧୀୟ କାମ ପାଇଁ ଗ୍ରାହକମାନଙ୍କୁ ଲଗାତାର ଅନେକ ଦିନ ଅପେକ୍ଷା କରିବାକୁ ପଡ଼ିପାରେ । ବ୍ୟାଙ୍କ ୟୁନିଅନଗୁଡ଼ିକର ପ୍ରମୁଖ ଦାବି ମଧ୍ୟରେ ‘୫ ଦିନିଆ ବ୍ୟାଙ୍କିଙ୍ଗ ସପ୍ତାହ’ ଲାଗୁ କରିବା ଅନ୍ୟତମ । ଏହା ସହିତ ପରଫରାମାନ୍ସ ଲିଙ୍କଡ୍ ଇନସେଣ୍ଟିଭ୍ ସ୍କିମ୍ (PLI Scheme)ର ସମୀକ୍ଷା କରିବାକୁ ମଧ୍ୟ ଦାବି କରାଯାଉଛି । ୟୁନିଅନଗୁଡ଼ିକର କହିବା ଅନୁସାରେ, ସରକାରଙ୍କ ପକ୍ଷରୁ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସପ୍ତାହରେ ୫ ଦିନ କାମ ଏବଂ ଶନିବାର ଓ ରବିବାର ପୂରା ଦିନ ଛୁଟି ଲାଗୁ କରିବାର ପ୍ରତିଶ୍ରୁତି ଦିଆଯାଇଥିଲା । ଏବେ ଏହି ପ୍ରତିଶ୍ରୁତି ପୂରଣ କରାଯିବା ଉଚିତ ବୋଲି ୟୁନିଅନଗୁଡ଼ିକ ଦାବି କରୁଛନ୍ତି । ଏହି ଦାବିଗୁଡ଼ିକର ସମର୍ଥନରେ UFBU ଧର୍ମଘଟ କରିବାର ନିଷ୍ପତ୍ତି ନେଇଛି ।UFBUରେ AIBEA, AIBOC, NCBE, AIBOA, BEFI, INBOC ଏବଂ INBEF ସମେତ ୭ଟି ବ୍ୟାଙ୍କ ୟୁନିଅନ୍ ସାମିଲ ଅଛନ୍ତି । ଏହି ୟୁନିଅନଗୁଡ଼ିକ ଦେଶର ବ୍ୟାଙ୍କିଙ୍ଗ କର୍ମଚାରୀଙ୍କ ୯୦ ପ୍ରତିଶତରୁ ଅଧିକଙ୍କ ପ୍ରତିନିଧିତ୍ୱ କରନ୍ତି ।
