ନୂଆଁଖାଇ ପୂର୍ବରୁ ନୂଆଁଖାଇ ପାଳିତ
ବାଞ୍ଜିବାହାଲି ମହିମା ମଠରେ ନିଆରା ଢଙ୍ଗରେ ପାଳିତ ହେଲା ନବାନ୍ନ ପର୍ବ। ଶୂନ୍ୟ ବ୍ରହ୍ମଙ୍କୁ ନବାନ୍ନ ଅର୍ପଣ କଲେ ମହିମାଧର୍ମୀ ସାଧୁସନ୍ଥ ଓ ଭକ୍ତ; ଭଜନ-କୀର୍ତ୍ତନରେ ମୁଖରିତ ହେଲା ଆଶ୍ରମ ପରିବେଶ।
ବରଗଡ଼: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ବରଗଡ଼ ସହର ଉପକଣ୍ଠ ବାଞ୍ଜିବାହାଲି ମହିମା ଆଶ୍ରମରେ ନିଆରା ଢଙ୍ଗରେ ପାଳିତ ହୋଇଛି ନୂଆଁଖାଇ ପର୍ବ। ଶ୍ରାବଣ ପୂର୍ଣ୍ଣିମା ଅବସରରେ ମହିମାଧର୍ମୀ ସାଧୁସନ୍ଥ ଓ ଭକ୍ତମାନେ ଏକାଠି ହୋଇ ନବାନ୍ନ ଭକ୍ଷଣ କରିବା ସହ ଜଗତର ମଙ୍ଗଳ ଓ କଲ୍ୟାଣ ପାଇଁ ଶୂନ୍ୟ ବ୍ରହ୍ମଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଆଶ୍ରମ ପରିସରରେ ପୂଜାର୍ଚ୍ଚନା, ଭଜନ-କୀର୍ତ୍ତନ ସାଙ୍ଗକୁ ଶୂନ୍ୟ ବ୍ରହ୍ମଙ୍କ ଧ୍ୟାନରେ ନିମଗ୍ନ ଥିଲେ ସାଧୁସନ୍ଥ। ଏହାକୁ ନେଇ ଆଶ୍ରମ ପରିବେଶ ଆଧ୍ୟାତ୍ମିକ ଓ ଉତ୍ସବମୁଖର ହୋଇଉଠିଥିଲା। ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମା ଦିନ ବାଞ୍ଜିବାହାଲି ମହିମା ଆଶ୍ରମରେ ମହିମାଧର୍ମୀ ସାଧୁସନ୍ଥ ଓ ଭକ୍ତମାନେ ନୂଆଁଖାଇ ପାଳନ କରିଆସୁଛନ୍ତି। ଚଳିତ ବର୍ଷ ମଧ୍ୟ ଏହି ପରମ୍ପରାକୁ ବଜାୟ ରଖି ଧୁମ୍ଧାମରେ ନବାନ୍ନ ପର୍ବ ପାଳନ କରାଯାଇଛି। ଏହି ଅବସରରେ ଶ୍ରାବଣ ଚତୁର୍ଦ୍ଦଶୀ ସନ୍ଧ୍ୟାରେ ଜଗତର ମଙ୍ଗଳ କାମନା କରି ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇଥିଲା। ପୂର୍ଣ୍ଣିମା ସକାଳେ ଅନ୍ନ ହାଣ୍ଡିକୁ ଶୂନ୍ୟ ଦିଗକୁ ବଢ଼ାଇ ଶୂନ୍ୟ ବ୍ରହ୍ମଙ୍କୁ ନବାନ୍ନ ଅର୍ପଣ କରାଯାଇଥିଲା। ପରେ ଆଶ୍ରମର ମୁଖ୍ୟ ସାଧୁ ଶ୍ୟାମ ଦାସଙ୍କ ଦ୍ୱାରା ନବାନ୍ନ ଚାରୁ ବଣ୍ଟନ କରାଯାଇଥିଲା। ସାଧୁସନ୍ଥ ଓ ଭକ୍ତମାନେ ଏକାଠି ନବାନ୍ନ ଭକ୍ଷଣ କରିଥିଲେ। ନବାନ୍ନ ଭକ୍ଷଣ ପରେ ମହିମା ଦେବଙ୍କ ଆଶୀର୍ବାଦ କାମନା କରି ସମସ୍ତେ ଭଜନ-କୀର୍ତ୍ତନରେ ମଜ୍ଜି ଯାଇଥିଲେ। ଆଶ୍ରମ ପରିସର ‘ମହିମା ଅଲେଖ’ ଧ୍ୱନିରେ ମୁଖରିତ ହୋଇଉଠିଥିଲା।
ମହିମାଧର୍ମର ନିଆରା ପରମ୍ପରା
୧୮୨୬ ମସିହାରୁ ମହିମାଧର୍ମର ସୃଷ୍ଟି ହୋଇଥିବା କୁହାଯାଏ। ପରବର୍ତ୍ତୀ ସମୟରେ ସନ୍ଥକବି ଭୀମ ଭୋଇ ଏହି ଧର୍ମର ବ୍ୟାପକ ପ୍ରଚାର କରିଥିଲେ। ମହିମାଧର୍ମକୁ ସନାତନୀ ଧର୍ମର ଏକ ଯୁଗୋପଯୋଗୀ ଧାରା ଭାବେ ଅନେକେ ବର୍ଣ୍ଣନା କରୁଥିବାବେଳେ ଜନସମାଜକୁ ଶୃଙ୍ଖଳିତ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ମତ ପ୍ରକାଶ ପାଇଥାଏ। ମହିମାଧର୍ମରେ ଶୂନ୍ୟ ବ୍ରହ୍ମଙ୍କୁ ଉପାସନା କରାଯାଏ। ଶୂନ୍ୟ ବ୍ରହ୍ମଙ୍କଠାରୁ ସମସ୍ତ ଦେବଦେବୀ ପରିଚାଳିତ ବୋଲି ବିଶ୍ୱାସ ରହିଥିବାରୁ ମହିମାଧର୍ମୀ ସାଧୁସନ୍ଥମାନେ ପଶ୍ଚିମ ଓଡ଼ିଶାର ପାରମ୍ପରିକ ନୂଆଁଖାଇ ପୂର୍ବରୁ ନିଜସ୍ୱ ପରମ୍ପରା ଅନୁସାରେ ନୂଆଁଖାଇ ପାଳନ କରି ଶୂନ୍ୟ ବ୍ରହ୍ମଙ୍କୁ ନବାନ୍ନ ଅର୍ପଣ କରିଥାନ୍ତି।
ବାଞ୍ଜିବାହାଲି ମହିମା ଆଶ୍ରମରେ ଏହି ପରମ୍ପରା ଆଜି ମଧ୍ୟ ଅତୁଟ ରହିଛି। ପ୍ରତିବର୍ଷ ଏହି ନିଆରା ନୂଆଁଖାଇ ଉତ୍ସବରେ ଅଧିକରୁ ଅଧିକ ମହିମାଧର୍ମୀ ଭକ୍ତ ଯୋଡ଼ି ହେଉଥିବାରୁ ଆଶ୍ରମକୁ ଭକ୍ତଙ୍କ ସୁଅ ଛୁଟୁଛି। ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପୂର୍ବରୁ ମହିମାଧର୍ମୀ ସାଧୁସନ୍ଥଙ୍କ ଏହି ନୂଆଁଖାଇ ପାଳନ କେବଳ ଏକ ଧାର୍ମିକ ପରମ୍ପରାକୁ ଜୀବନ୍ତ ରଖିନାହିଁ, ବରଂ ଅଞ୍ଚଳରେ ନୂଆଁଖାଇ ଆଗମନର ବାର୍ତ୍ତା ମଧ୍ୟ ଦେଇଛି। ଏହାକୁ ନେଇ ସାଧୁସନ୍ଥ ଓ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଛି।
