ସ୍କଲାରସିପ୍ ନାଁରେ ନୋଟିସ୍, ଟଙ୍କା ଫେରସ୍ତ ପାଇଁ ଚାପ
ସ୍କଲାରସିପ୍ ନେଇନଥିବା ଅଭିଯୋଗ କରୁଥିବା ଜଣେ ଆଦିବାସୀ ଯୁବତୀଙ୍କୁ ମିଳିଛି ସ୍କଲାରସିପ୍ ଫେରସ୍ତ ପାଇଁ ବାରମ୍ବାର ନୋଟିସ୍। ନୋଟିସ୍ ରେ ଥିବା ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ତାଙ୍କର ନୁହେଁ ବୋଲି ଅଭିଯୋଗ। ଘଟଣାକୁ ନେଇ ଜାଲିଆତିର ଅଭିଯୋଗ ଆଣି ତଦନ୍ତ ଦାବି କରିଛନ୍ତି ପରିବାର।
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ୍ ବୋଇରଗାଁ ପଞ୍ଚାୟତ ଅଧୀନ ନିମନା ଗାଁର ସାନବୁଡ଼ୁ ମାଝୀଙ୍କ ଝିଅ ଲକ୍ଷ୍ମୀ ମାଝୀ। ଗାଁ ସ୍କୁଲ୍ରୁ ମ୍ୟାଟ୍ରିକ୍ ପାସ୍ କରିବା ପରେ ବୋଡେ଼ନ କଲେଜ୍ରେ +୨ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ଲକ୍ଷ୍ମୀ। ଲକ୍ଷ୍ମୀଙ୍କ ଅଭିଯୋଗ ଅନୁସାରେ, ପାଠ ପଢ଼ିବା ସମୟରେ ସେ କୌଣସି ସ୍କଲାରସିପ୍ ପାଇନଥିଲେ। କିନ୍ତୁ ୨୦୧୭-୧୮/୧୯ ଶିକ୍ଷାବର୍ଷରେ ଖୋର୍ଦ୍ଧାସ୍ଥିତ ଇଣ୍ଟରନ୍ୟାସନାଲ୍ ପଲିଟେକ୍ନିକ୍ ଇନଷ୍ଟିଚ୍ୟୁଟ୍ରେ ପଢ଼ୁଥିବା ଦର୍ଶାଇ ତାଙ୍କ ନାଁରେ ପୋଷ୍ଟ-ମାଟ୍ରିକ୍ ସ୍କଲାରସିପ୍ ବାବଦରେ ୫୬ ହଜାର ୪୪୦ ଟଙ୍କା ପ୍ରଦାନ କରାଯାଇଥିବା ନୋଟିସ୍ରେ ଦର୍ଶାଯାଇଛି। ଏହି ଟଙ୍କା ଫେରସ୍ତ କରିବା ପାଇଁ ଖୋର୍ଦ୍ଧା ୱେଲଫେୟାର୍ ଡିପାର୍ଟମେଣ୍ଟ ପକ୍ଷରୁ ବୋଡେ଼ନ ତହସିଲଦାରଙ୍କ ଜରିଆରେ ବାରମ୍ବାର ନୋଟିସ୍ ଦିଆଯାଉଥିବା ଲକ୍ଷ୍ମୀ ଅଭିଯୋଗ କରିଛନ୍ତି। ତେବେ ନୋଟିସ୍ରେ ଯେଉଁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପ୍ରଦାନ କରାଯାଇଥିବା ଦର୍ଶାଯାଇଛି, ସେହି ଆକାଉଣ୍ଟ ତାଙ୍କର ନୁହେଁ ବୋଲି ମଧ୍ୟ ଲକ୍ଷ୍ମୀଙ୍କ ଅଭିଯୋଗ। ଏହା ପଛରେ ଜାଲିଆତି ହୋଇଥିବା ଅଭିଯୋଗ କରି ଘଟଣାର ଉଚିତ ତଦନ୍ତ ଦାବି କରିଛନ୍ତି ପରିବାର।
ଅନ୍ୟପଟେ, ଲକ୍ଷ୍ମୀଙ୍କ ପରିବାରର କହିବା ଅନୁସାରେ, ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ୨୦୧୬ ମସିହାରୁ ଲକ୍ଷ୍ମୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ବର୍ତ୍ତମାନ ସେ ବେଙ୍ଗାଲୁରୁରେ କାମ କରି ଗୁଜୁରାଣ ମେଣ୍ଟାଉଥିବା ପରିବାର ପକ୍ଷରୁ କୁହାଯାଇଛି। ଏପରି ସ୍ଥିତିରେ ଖୋର୍ଦ୍ଧାର ଏକ ପଲିଟେକ୍ନିକ୍ ଇନଷ୍ଟିଚ୍ୟୁଟ୍ରେ ପଢ଼ୁଥିବା ଦର୍ଶାଇ ତାଙ୍କ ନାଁରେ ସ୍କଲାରସିପ୍ ଟଙ୍କା ଦିଆଯାଇଥିବା ଏବଂ ଏବେ ସେହି ଟଙ୍କା ଫେରସ୍ତ ପାଇଁ ନୋଟିସ୍ ଆସୁଥିବା ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରକୃତରେ କାହା ନାଁରେ, କେଉଁ ଆକାଉଣ୍ଟକୁ ଏବଂ କେଉଁ ଆଧାରରେ ସ୍କଲାରସିପ୍ ଟଙ୍କା ପ୍ରଦାନ କରାଯାଇଥିଲା, ତାହା ସ୍ପଷ୍ଟ କରିବାକୁ ଦାବି ହୋଇଛି।
ଏ ନେଇ ବୋଡେ଼ନ ତହସିଲଦାରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ କ୍ୟାମେରା ସାମ୍ନାରେ କୌଣସି ମତାମତ ଦେବାକୁ ମନା କରିଥିଲେ। ତେବେ ଲକ୍ଷ୍ମୀଙ୍କ ନାଁରେ ଦର୍ଶାଯାଇଥିବା ସ୍କଲାରସିପ୍ ଏବଂ ବ୍ୟାଙ୍କ ଆକାଉଣ୍ଟର ସତ୍ୟତା କ’ଣ, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
