ବିଜେପି କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା
କଟକରେ ଶେଷ ହୋଇଛି ଓଡ଼ିଶା ବିଜେପିର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ। ବୈଠକରେ ପାରିତ ହୋଇଛି ରାଜନୈତିକ ଚିଠା। ଦୁଇ ବର୍ଷର ବିଜେପି ସରକାରର ବିକାଶମୂଳକ କାର୍ଯ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ରଖିଛନ୍ତି ରିପୋର୍ଟ। ଏହାସହ ବିରୋଧୀ ଦଳର ଆଚରଣକୁ ନେଇ ପାରିତ ହୋଇଛି ନିନ୍ଦା ପ୍ରସ୍ତାବ।
କଟକ: କଟକରେ ଶେଷ ହୋଇଛି ଦୁଇ ଦିନିଆ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଗଠନ, ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳ, ଜନକଲ୍ୟାଣମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନେଇ ବିସ୍ତୃତ ଆଲୋଚନା ହୋଇଛି। ବୈଠକର ଶେଷ ଦିନରେ ବିଜେପି ପକ୍ଷରୁ ଏକ ରାଜନୈତିକ ପ୍ରସ୍ତାବ ଗୃହୀତ ହୋଇଛି। ଏଥିରେ କଂଗ୍ରେସ ଓ ବିଜେଡିକୁ ନେଇ ଦଳ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧି, ‘ବନ୍ଦେ ମାତରମ୍’, ମହିଳା ସଂରକ୍ଷଣ ବିଲ୍ ଏବଂ ଖଣିଜ ସମ୍ପଦ ସମ୍ପର୍କିତ ଆଇନ ସଂଶୋଧନ ପ୍ରସଙ୍ଗରେ ବିରୋଧୀଙ୍କ ଆଭିମୁଖ୍ୟକୁ ବିଜେପି ପ୍ରଶ୍ନ କରିଛି। ବିଜେପିର ଅଭିଯୋଗ ଅନୁସାରେ, ବିରୋଧୀ ଦଳଗୁଡ଼ିକ ବିଭିନ୍ନ ଜାତୀୟ ପ୍ରସଙ୍ଗରେ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି। ଏଥିସହ ମହିଳା ସଂରକ୍ଷଣ ବିଲ୍ ଓ ଏଫ୍ସିଆର୍ଏ ପ୍ରସଙ୍ଗରେ ମଧ୍ୟ ବିରୋଧୀଙ୍କ ଆଭିମୁଖ୍ୟକୁ ନେଇ ଦଳ ଆପତ୍ତି ଉଠାଇଛି। ବିଜେଡିକୁ ନେଇ ମଧ୍ୟ ବିଜେପି ଅନେକ ଅଭିଯୋଗ ଆଣିଛି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ତଦନ୍ତ କମିଶନ ସମ୍ପର୍କିତ ଫାଇଲ୍ ଗାଏବ ହେବା ପ୍ରସଙ୍ଗରେ ପୂର୍ବତନ ସରକାରକୁ ବିଜେପି ଦାୟୀ କରିଛି। ଏହା ସହ ନିକଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହୋଇଥିବା ବନ୍ୟାକୁ ନେଇ ବିଜେଡି ନେତାଙ୍କ ମନ୍ତବ୍ୟକୁ ମଧ୍ୟ ଦଳ ସମାଲୋଚନା କରିଛି। ଏହି ସମସ୍ତ ଅଭିଯୋଗ ବିଜେପିର ରାଜନୈତିକ ପ୍ରସ୍ତାବର ଅଂଶ।
ଅନ୍ୟପଟେ, ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସଂଗଠନ ବି.ଏଲ୍. ସନ୍ତୋଷ କାର୍ଯ୍ୟକର୍ତ୍ତାଙ୍କୁ ‘ସେବା ଭାବ’କୁ ଦଳର ମୂଳମନ୍ତ୍ର କରି ଲୋକଙ୍କ ନିକଟରେ ରହିବାକୁ ଆହ୍ୱାନ ଦେଇଛନ୍ତି। ସରକାରୀ ଯୋଜନା, ସୁବିଧା ଓ ମୌଳିକ ଅଧିକାର ଯେପରି ଶେଷ ସ୍ତରର ଲୋକଙ୍କ ପାଖରେ ପହଞ୍ଚିବ, ସେଥିପାଇଁ କାମ କରିବାକୁ ସେ କହିଛନ୍ତି। ଆଗାମୀ ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନକୁ ନଜରରେ ରଖି ସଂଗଠନକୁ ତୃଣମୂଳସ୍ତରରେ ଆହୁରି ମଜବୁତ କରିବା ଉପରେ ବିଜେପି ଗୁରୁତ୍ୱ ଦେଇଛି। ଲୋକଙ୍କ ସହ ସିଧାସଳଖ ସମ୍ପର୍କ ବଢ଼ାଇବା ଏବଂ ସରକାରୀ ଯୋଜନାର ଲାଭ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦିଆଯାଇଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନକୁ ଲକ୍ଷ୍ୟ ରଖି ଦଳ ଆଗାମୀ ଦିନର ରାଜନୈତିକ ଓ ସାଂଗଠନିକ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିଛି। ଏବେ ତୃଣମୂଳସ୍ତରରେ ଏହି ରଣନୀତି କେତେ ପ୍ରଭାବୀ ହେଉଛି, ତାହା ଆଗାମୀ ନିର୍ବାଚନରେ ସ୍ପଷ୍ଟ ହେବ।
