Brazil Road Accident : ଶେଷ ଯାତ୍ରାରେ ବି ଅଲଗା ହେଲାନି ପରିବାର: ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ମାଲିକଙ୍କ ପାଖରେ କଫିନ୍ରେ ଶୋଇଲା ପୋଷା କୁକୁର
ବ୍ରାଜିଲର BR-163 ରାଜପଥରେ ଟ୍ରକ୍ ସହ ଫୋର୍ଡ ରେଞ୍ଜର୍ର ମୁହାଁମୁହିଁ ଧକ୍କାରେ ବାପା, ଦୁଇ ଝିଅ ଓ ପୋଷା କୁକୁର ‘ଲୋଲା’ଙ୍କ ମୃତ୍ୟୁ। ଅନ୍ତିମ ବିଦାୟରେ ଲୋଲା ପାଇଁ ମଧ୍ୟ ରଖାଗଲା ଛୋଟ କଫିନ୍।

ସାଓ ଗାବ୍ରିଏଲ୍ ଡୋ ଓଏଷ୍ଟେ (ବ୍ରାଜିଲ୍): ଜଣେ ନିକଟତର ପ୍ରିୟଜନଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଯାଉଥିବା ବେଳେ ବ୍ରାଜିଲରୁ ଏକ ଦୃଦୟବିଦାରକ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ସମେତ ସେମାନଙ୍କର ପ୍ରିୟ ପୋଷା କୁକୁରର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୭ ତାରିଖରେ ୪୨ ବର୍ଷୀୟ ଆଣ୍ଟୋନିଓ ପେଡ୍ରୋ ଜାର୍ଡିନ୍ ଫିଲ୍ହୋ ନିଜର ଦୁଇ ଝିଅ, ୧୫ ବର୍ଷୀୟା ମାରିଆ ଫର୍ଣ୍ଣାଣ୍ଡା, ୧୧ ବର୍ଷୀୟା ମାରିଆ କାରୋଲିନା ଏବଂ ସେମାନଙ୍କର ପୋଷା କୁକୁର 'ଲୋଲା' ସହ କାର୍ରେ ଯାତ୍ରା କରୁଥିଲେ। ସେମାନେ ନିଜର ଅଜାଙ୍କ ଶ୍ରାଦ୍ଧକର୍ମରେ ଯୋଗଦେବା ପାଇଁ ସିନୋପ୍ରୁ କାମ୍ପୋ ଗ୍ରାଣ୍ଡେ ଆଡ଼କୁ ଯାଉଥିବା ସମୟରେ, BR-163 ରାଜପଥରେ ସେମାନଙ୍କ ଫୋର୍ଡ ରେଞ୍ଜର ଗାଡ଼ିଟି ଏକ ବିପରୀତ ଆଡ଼ୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ସମେତ କୁକୁରଟିର ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ ଯେ, ଏହି ପରିବାର ପୂର୍ବରୁ ମଧ୍ୟ ଏକ ଗଭୀର ଶୋକ ଦେଇ ଗତି କରୁଥିଲେ। ୨୦୨୫ ଜାନୁଆରୀରେ କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ଝିଅମାନଙ୍କ ମା' କ୍ରିଷ୍ଟିନା ମାଚିନସ୍କିଙ୍କର ଦେହାନ୍ତ ହୋଇଥିଲା। ବର୍ଷକ ମଧ୍ୟରେ ପରିବାରର ଅବଶିଷ୍ଟ ସଦସ୍ୟଙ୍କ ଏପରି ଆକସ୍ମିକ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି।
ସେପ୍ଟେମ୍ବର ୮ ତାରିଖରେ ବେଲା ଭିଷ୍ଟାଠାରେ ଆୟୋଜିତ ଶୋକସଭାରେ ଏକ ଭାବବିହ୍ୱଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ପରିବାରର ଅନୁମତି କ୍ରମେ ଫ୍ୟୁନେରାଲ ହୋମ୍ ପକ୍ଷରୁ ସେମାନଙ୍କ ପୋଷା କୁକୁର 'ଲୋଲା' ପାଇଁ ମଧ୍ୟ ଏକ ଛୋଟ କଫିନ୍ ପ୍ରସ୍ତୁତ କରାଯାଇଥିଲା। ମୃତ ଆଣ୍ଟୋନିଓ, ତାଙ୍କ ଦୁଇ ଝିଅ ଏବଂ ସେମାନଙ୍କ ଗୋଟିଏ କୋଣରେ ଫୁଲରେ ସଜାଯାଇଥିବା ଲୋଲାର କଫିନ୍କୁ ଏକାଠି ରଖାଯାଇ ଅନ୍ତିମ ବିଦାୟ ଦିଆଯାଇଥିଲା। ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ଲୋଲା କେବଳ ଏକ ପୋଷା ପ୍ରାଣୀ ନଥିଲା, ବରଂ ପରିବାରର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା। ଏହି ଅନ୍ତିମ ସଂସ୍କାରର ଚିତ୍ର ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ବିଶ୍ୱବ୍ୟାପୀ ଅନେକ ଲୋକଙ୍କ ଆଖିରେ ଲୁହ ଆଣିଦେଇଛି।
