CEC Gyanesh Kumar:ଜାଣନ୍ତୁ ଜ୍ଞାନେଶ କୁମାରଙ୍କ ଟ୍ରାକରେକର୍ଡ..
ମାର୍ଚ୍ଚ ୧୫ରେ ସେ କାର୍ଯ୍ୟଭାର ସମ୍ଭାଳିଥିଲେ। ଆଉ ଏହାର ପର ଦିନ ହିଁ ଲୋକସଭା ନିର୍ବାଚନର କାର୍ଯ୍ୟକ୍ରମ ଘୋଷଣା କଲେ। ନିର୍ବାଚନ ଆୟୁକ୍ତ ପଦ ସମ୍ଭାଳିବାର ବର୍ଷେ ପରେ ତାଙ୍କୁ ମୁଖ୍ୟ ନିର୍ବାଚନ କମିଶନର କଲେ ସରକାର। ଏହା ପୂର୍ବରୁ ସେ ୫ ବର୍ଷ ଗୃହ ମନ୍ତ୍ରାଳୟରେ କାମ କରିଥିଲେ।ମୁଖ୍ୟ ନିର୍ବାଚନ କମିଶନର ଭାବେ ତାଙ୍କ କାର୍ଯ୍ୟକାଳ ଜାନୁଆରୀ ୨୦୨୯ ଯାଏ ରହିବ

କାହିଁକି ଚର୍ଚ୍ଚାରେ ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ଏ ଉତ୍ତର ଏବେ ସଡ଼କରୁ ନେଇ ସୁପ୍ରିମକୋର୍ଟ ଯାଏ ପ୍ରାୟ ଉଣାଅଧିକେ ସମସ୍ତେ ଜାଣିଥିବେ। ହେଲେ ତାଙ୍କର ଅତୀତ କଅଣ। ତାଙ୍କର କାର୍ଯ୍ୟଦକ୍ଷତା କଅଣ। କେମିତି ସେ ଏଭଳି ଗୁରୁଦାୟିତ୍ୱ ପଦରେ ବସିଲେ। ଆସନ୍ତୁ ଜାଣିବା। ଜ୍ଞାନେଶ କୁମାର ହେଉଛନ୍ତି ୧୯୮୮ ବ୍ୟାଚର କେରଳ କ୍ୟାଡ଼ର ଆଇଏଏସ। ସେ ଜାନୁଆରୀ ୩୧, ୨୦୨୪ରେ କେନ୍ଦ୍ର ସମବାୟ ସଚିବ ପଦରୁ ଅବସର ନେଇଥିଲେ। କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଅନ୍ତର୍ଗତ ମନ୍ତ୍ରାଳୟରେ ସେ ମେ ୨୦୨୨ରୁ ସଚିବ ଥିଲେ। ଏହାର ୨ ମାସ ପରେ ମାର୍ଚ୍ଚ ୧୪, ୨୦୨୪ରେ ତାଙ୍କୁ ନିର୍ବାଚନ ଆୟୁକ୍ତ କରାଯାଇଥିଲା। ମାର୍ଚ୍ଚ ୧୫ରେ ସେ କାର୍ଯ୍ୟଭାର ସମ୍ଭାଳିଥିଲେ। ଆଉ ଏହାର ପର ଦିନ ହିଁ ଲୋକସଭା ନିର୍ବାଚନର କାର୍ଯ୍ୟକ୍ରମ ଘୋଷଣା କଲେ। ନିର୍ବାଚନ ଆୟୁକ୍ତ ପଦ ସମ୍ଭାଳିବାର ବର୍ଷେ ପରେ ତାଙ୍କୁ ମୁଖ୍ୟ ନିର୍ବାଚନ କମିଶନର କଲେ ସରକାର। ଏହା ପୂର୍ବରୁ ସେ ୫ ବର୍ଷ ଗୃହ ମନ୍ତ୍ରାଳୟରେ କାମ କରିଥିଲେ। ମେ ୨୦୧୬ରୁ ସେପ୍ଟେମ୍ୱର ୨୦୧୮ ଯାଏ ସଂଯୁକ୍ତ ସଚିବ ଓ ସେପ୍ଟେମ୍ୱର ୨୦୨୮ରୁ ଏପ୍ରିଲ ୨୦୨୧ ଯାଏ ଅତିରିକ୍ତ ସଚିବ ପଦରେ ଥିଲେ। ଅତିରିକ୍ତ ସଚିବ ପଦରେ ଥିଲା ବେଳେ ଜମ୍ମୁକଶ୍ମୀର ମାମଲାକୁ ଦେଖୁଥିଲେ ଜ୍ଞାନେଶ। ଅଗଷ୍ଟ ୨୦୧୯ରେ ଅନୁଛେଦ ୩୭୦ ରଦ୍ଦ କରାଗଲା ବୋଲି ସରକାର ଘୋଷଣା କରିଥିଲେ। କିଛି ରିପୋର୍ଟ ମୁତାବକ, ଅନୁଛେଦ ୩୭୦ ରଦ୍ଦ କରି ଆଇନ ତିଆରି ବେଳେ ସେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଲଗାତାର ସଂସଦ ଆସୁଥିଲେ। ଜ୍ଞାନେଶ କୁମାର ନିର୍ବାଚନ କମିଶନର ଥିଲା ବେଳେ ୨୦୨୪ ଲୋକସଭା ନିର୍ବାଚନ ହୋଇଥିଲା ଓ ଅନୁଛେଦ ୩୭୦ର ସମାପ୍ତି ପରେ କେନ୍ଦ୍ରଶାସିତ ଜମ୍ମୁକଶ୍ମୀରରେ ପ୍ରଥମ ଥର ବିଧାନସଭା ନିର୍ବାଚନ ହୋଇଥିଲା। ଏହା ବ୍ୟତୀତ ହରିଆଣା, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ଦିଲ୍ଲୀରେ ବି ବିଧାନସଭା ନିର୍ବାଚନ ହୋଇଥିଲା। ମୁଖ୍ୟ ନିର୍ବାଚନ କମିଶନର ଭାବେ ତାଙ୍କ କାର୍ଯ୍ୟକାଳ ଜାନୁଆରୀ ୨୦୨୯ ଯାଏ ରହିବ। ତାଙ୍କ କାର୍ଯ୍ୟକାଳରେ ୨୦ ବିଧାନସଭା ନିର୍ବାଚନ ହେବ। ଏହା ସହ ୨୦୨୭ରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ଲାଗି ବି ନିର୍ବାଚନ ହେବ। ୨୦୨୯ରେ ଲୋକସଭା ନିର୍ବାଚନର ପ୍ରସ୍ତୁତି ବି ତାଙ୍କ କାର୍ଯ୍ୟକାଳରେ ହେବ। ହେଲେ ଏବେ ଅକଳରେ ପଡ଼ିଯାଇଛନ୍ତି ଜ୍ଞାନେଶ କୁମାର। ଜ୍ଞାନେଶ କୁମାରଙ୍କୁ ନେଇ ଏବେ ବିବାଦ ଦେଖାଦେଇଛି। ବିଶେଷ କରି Special Intensive Revision (SIR) ମାଧ୍ୟମରେ ଭୋଟର ତାଲିକା ସଂଶୋଧନ, ଭୋଟରଙ୍କ ନାମ ବାଦ୍ ଦେବା, Form-6ରେ ପରିବର୍ତ୍ତନ ଏବଂ ନିର୍ବାଚନ କମିଶନର ଭିତରେ ମତଭେଦକୁ ନେଇ ପ୍ରଶ୍ନ ଉଠିଛି। ରିପୋର୍ଟ ଅନୁସାରେ, ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଜୋଶୀ ବିଭିନ୍ନ ନିଷ୍ପତ୍ତିକୁ ନେଇ ପ୍ରାୟ ୧୪ ଥର ଆପତ୍ତି ଉଠାଇଥିବା ଦାବି କରାଯାଇଛି। ଏହି ଆପତ୍ତିଗୁଡ଼ିକ ମଧ୍ୟରୁ କିଛି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ନିକଟକୁ ମଧ୍ୟ ପଠାଯାଇଥିବା ରିପୋର୍ଟରେ କୁହାଯାଇଛି। ଏହି ମତଭେଦରେ ଭୋଟରଙ୍କ ନାମ ବାଦ୍ ଓ ପୁନଃ ଯୋଡ଼ାଯିବା, Form-6ରେ ପରିବର୍ତ୍ତନ, ଭୋଟର ତାଲିକା ଡାଟାବେସ୍ର ନିୟନ୍ତ୍ରଣ ଏବଂ ପଶ୍ଚିମବଙ୍ଗର ଭୋଟର ସମ୍ପର୍କିତ ଅପିଲ୍ ଭଳି ପ୍ରସଙ୍ଗ ରହିଥିବା ରିପୋର୍ଟ ହୋଇଛି। ଭୋଟର ତାଲିକାର Special Intensive Revision ବା SIR ଏହି ବିବାଦର ମୁଖ୍ୟ କେନ୍ଦ୍ରରେ ରହିଛି। SIR ଅଧୀନରେ ଭୋଟର ତାଲିକାର ଯାଞ୍ଚ ଓ ସଂଶୋଧନ କରାଯାଉଛି।ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଡ୍ରାଫ୍ଟ ଭୋଟର ତାଲିକାରୁ କୋଟି କୋଟି ନାମ ବାଦ୍ ପଡ଼ିଥିବା ନେଇ ଚର୍ଚ୍ଚା ହୋଇଛି। ତେବେ ଡ୍ରାଫ୍ଟ ତାଲିକାରୁ ନାମ ବାଦ୍ ପଡ଼ିବା ଅର୍ଥ ସବୁ କ୍ଷେତ୍ରରେ ଭୋଟ ଅଧିକାର ସ୍ଥାୟୀ ଭାବେ ହରାଇବା ନୁହେଁ; ଆପତ୍ତି ଓ ଅପିଲ୍ର ବ୍ୟବସ୍ଥା ରହିଛି।ନୂଆ ଭୋଟର ଭାବେ ପଞ୍ଜୀକରଣ ପାଇଁ ବ୍ୟବହୃତ Form-6ରେ କିଛି ପରିବର୍ତ୍ତନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।ରିପୋର୍ଟ ଅନୁସାରେ, ନୂଆ ଆବେଦନକାରୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ନାମ ପୂର୍ବରୁ ହୋଇଥିବା SIR ଭୋଟର ତାଲିକାରେ ଥିଲା କି ନାହିଁ, ସେ ସମ୍ପର୍କରେ ତଥ୍ୟ ମଗାଯାଇଥିବା ନେଇ ଆପତ୍ତି ଉଠିଥିଲା। ନିର୍ବାଚନ କମିଶନର ଡିଜିଟାଲ୍ ବ୍ୟବସ୍ଥା ଏବଂ ଭୋଟର ତାଲିକାର ଡାଟା ନିୟନ୍ତ୍ରଣକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ରିପୋର୍ଟ ଅନୁସାରେ, ଡାଟାବେସ୍ର ନିୟନ୍ତ୍ରଣ ଅଧିକ ସେଣ୍ଟ୍ରାଲାଇଜଡ ହେଉଥିବା ନେଇ ଦୁଇ ନିର୍ବାଚନ କମିଶନର ଚିନ୍ତା ପ୍ରକାଶ କରିଥିଲେ। ଏହି ବିବାଦ ଏବେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଛି। ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ ପିଟିସନ୍ ଦାଖଲ ହୋଇଥିବା ରିପୋର୍ଟ ଆସିଛି। ଏଥିରେ SIR ସମ୍ପର୍କିତ କିଛି ନିଷ୍ପତ୍ତି, Form-6ର ପରିବର୍ତ୍ତନ ଏବଂ ନିର୍ବାଚନୀ ଡାଟାବେସ୍ ସମ୍ପର୍କରେ ଯାଞ୍ଚ ଓ ଅଡିଟ୍ ଦାବି କରାଯାଇଛି। ତେବେ ଜ୍ଞାନେଶ କୁମାରଙ୍କୁ ସିଇସି ପଦରେ ନିଯୁକ୍ତିକୁ ନେଇ କଂଗ୍ରେସ ବିରୋଧ କରିଥିଲା। ସେ ଆଇଆଇଟି କାନପୁରରୁ ସିଭିଲ ଇଞ୍ଜିନିୟରିଂରେ ବିଟେକ୍ କରିଛନ୍ତି। ସେ ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଫାଇନାନ୍ସିଆଲ ଆନାଲିଟିକ୍ସ ଅଫ ଇଣ୍ଡିଆରୁ ବିଜନେସ ଫାଇନାନ୍ସ ପଢ଼ିଥିଲେ।
