Revenue Loss in Manipur: ହଟିବ ୧୩୧ ଦିନର ଅର୍ଥନୈତିକ ଅବରୋଧ!
ଗୋଟିଏ ବ୍ଲକେଡ୍ର ପ୍ରଭାବ କେତେ ଦୂର ଯାଇପାରେ? ବଡ଼ ଉଦାହରଣ ସାଜିଛି ମଣିପୁରର ଏବେକାର ଆର୍ଥିକ ସ୍ଥିତି । ରାଜ୍ୟରେ ବ୍ଲକେଡ୍ର ଧକ୍କା କେବଳ ରାସ୍ତାରେ ଅଟକିଥିବା ଟ୍ରକ୍କୁ ନୁହେଁ, ଏବେ ସିଧାସଳଖ ରାଜକୋଷ କୁ ଲାଗିଛି। ମୁଖ୍ୟମନ୍ତ୍ରୀ ୱାଇ. କେମଚାନ୍ଦ ସିଂହଙ୍କ ଅନୁସାରେ, ବନ୍ଦ ଓ ଅବରୋଧ କାରଣରୁ ପ୍ରତିଦିନ ପ୍ରତିଦିନ କୋଟି କୋଟି କ୍ଷତି ସସହୁଛି ରାଜ୍ୟ।
ଇମ୍ଫାଲ: ରାସ୍ତାରେ ଅଟକୁଛି ଗାଡ଼ି, ପ୍ରଭାବ ଯାଇ ରାଜକୋଷରେ। ମଣିପୁର ରେ ଜାରି ରହିଥିବା ବନ୍ଦ ଓ ବ୍ଲକେଡ୍ ଯୋଗୁଁ ରାସ୍ତାରେ ମାଲବାହୀ ଗାଡ଼ି ଅଟକିବାରୁ ସାମଗ୍ରୀ ଆସିବା କମୁଛି ଏବଂ ବଜାର କାରବାର ଧିମା ପଡ଼ୁଛି ଏବଂ ଏହାର ପ୍ରଭାବ ପଡ଼ୁଛି ରାଜ୍ୟର ରାଜସ୍ୱ ଆଦାୟରେ। ବିଷ୍ଣୁପୁରରେ ଏକ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୱାଇ. କେମଚାନ୍ଦ ସିଂହ କହିଥିଲେ, ଜାରି ରହିଥିବା ବନ୍ଦ ଓ ବ୍ଲକେଡ୍ ଯୋଗୁଁ ମଣିପୁର ପ୍ରତିଦିନ ପ୍ରାୟ ₹୨୫ରୁ ₹୩୦ କୋଟି ଟିକସ ରାଜସ୍ୱ ହରାଉଛି। ଏହି ଆକଳନ ରାଜ୍ୟର ବର୍ତ୍ତମାନର ଆର୍ଥିକ ଚାପକୁ ସାମ୍ନାକୁ ଆଣିଛି।
ମଣିପୁରର ବ୍ୟବସାୟ ଓ ଯୋଗାଣ ବ୍ୟବସ୍ଥା ମୁଖ୍ୟତଃ ବାହାର ରାଜ୍ୟ ସହ ସଡ଼କ ଯୋଗାଯୋଗ ଉପରେ ନିର୍ଭରଶୀଳ। ଇମ୍ଫାଲକୁ ଯୋଡ଼ୁଥିବା ପ୍ରମୁଖ ଜାତୀୟ ରାଜପଥରେ ଅବରୋଧ କିମ୍ବା ପରିବହନ ବାଧା ଦେଖାଦେଲେ ତାହାର ପ୍ରଭାବ ସିଧାସଳଖ ବଜାରରେ ପଡ଼େ। ବିଶେଷକରି ଅଟୋମୋବାଇଲ୍, ଇଲେକ୍ଟ୍ରୋନିକ୍ସ ଓ ଅନ୍ୟ ଉଚ୍ଚମୂଲ୍ୟର ସାମଗ୍ରୀର ଯୋଗାଣ ବାଧାପ୍ରାପ୍ତ ହେଲେ ରାଜସ୍ୱ ଆଦାୟରେ ବଡ଼ ପ୍ରଭାବ ପଡ଼ିପାରେ। ଅନ୍ୟପଟେ, ଦୈନନ୍ଦିନ ଆବଶ୍ୟକତାର କିଛି ସାମଗ୍ରୀ ପହଞ୍ଚିଲେ ମଧ୍ୟ ସେଗୁଡ଼ିକର ଅନେକ ଅଂଶ ଟିକସ ମୁକ୍ତ ହୋଇଥିବାରୁ ତାହା ରାଜସ୍ୱ ଘାଟତିକୁ ପୂରଣ କରିପାରୁନାହିଁ | ୨୦୨୩ରୁ ଚାଲିଥିବା ମଣିପୁର ସଙ୍କଟ ରାଜ୍ୟର ଅର୍ଥନୀତିକୁ ପୂର୍ବରୁ ହିଁ ଚାପରେ ରଖିଛି। ବ୍ୟବସାୟ, ପରିବହନ ଓ ରୋଜଗାର କ୍ଷେତ୍ରରେ ଏହାର ପ୍ରଭାବ ରହିଥିବା ବେଳେ ଏବେ ରାଜସ୍ୱ ଆଦାୟର ହ୍ରାସ ସରକାର ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ମଣିପୁର ସରକାରଙ୍କ ଚିନ୍ତା ଏଠିରେ ଶେଷ ନୁହେଁ। ଦୀର୍ଘ ସମୟ ଧରି ରାଜସ୍ୱ ଆଦାୟ କମିଲେ ସରକାରଙ୍କ ବିକାଶମୂଳକ ଓ କଲ୍ୟାଣମୂଳକ ଖର୍ଚ୍ଚ ଉପରେ ମଧ୍ୟ ଚାପ ବଢ଼ିପାରେ। ଏହି ପରିସ୍ଥିତିରେ ବ୍ଲକେଡ୍ ଶେଷ କରି ରାଜ୍ୟରେ ସାଧାରଣ ଯାତାୟାତ ଓ ବ୍ୟବସାୟିକ ଗତିବିଧି ସ୍ୱାଭାବିକ କରିବା ସରକାର ପାଇଁ ଏକ ବଡ଼ ପ୍ରସଙ୍ଗ ହୋଇଛି। ଖେମଚାନ୍ଦ ଏଭଳି ଅବରୋଧ ବଦଳରେ ଆଲୋଚନା ମାଧ୍ୟମରେ ମତଭେଦର ସମାଧାନ କରିବାକୁ ଆହ୍ୱାନ ଦେଇଥିଲେ। ତାଙ୍କ ମତରେ, ଆନ୍ଦୋଳନର ପ୍ରଭାବ କେବଳ ସରକାର ଉପରେ ନୁହେଁ, ସାଧାରଣ ଲୋକ ଓ ସମଗ୍ର ଅର୍ଥନୀତି ଉପରେ ପଡ଼ୁଛି। ତେବେ ଆଶ୍ୱସ୍ତର କଥା ଯେ, ୧୩୧ ଦିନର ଅର୍ଥନୈତିକ ଅବରୋଧକୁ ହଟାଇବାକୁ ଆଜି ରାଜି ହୋଇଛି ନାଗା ନେତୃତ୍ୱ। ୟୁନାଇଟେଡ୍ ନାଗା କାଉନସିଲ ବା ୟୁଏନସି ଆଜି ଅସ୍ଥାୟୀ ଭାବେ ଅର୍ଥନୈତିକ ଅବରୋଧ ହଟାଇବାକୁ ସମ୍ମତି ଦେଇଛି। କେନ୍ଦ୍ର, ମଣିପୁର ସରକାରଙ୍କ ସହ ଆସାମରେ ହୋଇଥିବା ଉଚ୍ଚସ୍ତରୀୟ ତ୍ରିପାକ୍ଷିକ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ୟୁଏନସି ଯେଉଁ ଦାବି କରିଥିଲା, କେନ୍ଦ୍ର ସରକାର ତାକୁ ପୂରଣ ଦିଗରେ ସକରାତ୍ମକ ସଙ୍କେତ ଦେବା ପରେ ଏହି ନିଷ୍ପତ୍ତି ନେଇଛି ୟୁଏନସି।ମଣିପୁରରେ United Naga Council (UNC) ଚଳାଇଥିବା ଆର୍ଥିକ ଅବରୋଧର ମୁଖ୍ୟ କାରଣ ହେଉଛି ୬ ଜଣ ନାଗା ନାଗରିକଙ୍କ ହତ୍ୟା ଘଟଣାରେ ନ୍ୟାୟ ଓ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ସେପ୍ଟେମ୍ୱର ୯ରୁ UNC ବ୍ଲକେଡ୍କୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଅଧିକ ତୀବ୍ର କରିଥିଲା। UNCର ପ୍ରମୁଖ ୪ଟି ଦାବି ହେଉଛି: ଛଅ ଜଣ ନାଗାଙ୍କ ହତ୍ୟାରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରାଯାଉ। ଏଥିରେ Leilon Vaiphei ଗାଁର ମୁଖିଆଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି ରହିଛି। Kuki ସଶସ୍ତ୍ର ଗୋଷ୍ଠୀ ସହ ଚାଲିଥିବା Suspension of Operations (SoO) ଚୁକ୍ତି ବାତିଲ୍ କରାଯାଉ। Kuki National Front–President (KNF-P)କୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଉ। ମଣିପୁରର ଉପମୁଖ୍ୟମନ୍ତ୍ରୀ ନେମଚା କିପଗେନଙ୍କୁ ପଦରୁ ହଟାଯାଉ। UNCର ଅବରୋଧ NH-2 (ଇମ୍ଫାଲ–ଦିମାପୁର) ସହ NH-202, NH-37 ଏବଂ NH-102Aକୁ ମଧ୍ୟ ପ୍ରଭାବିତ କରିଛି। ମୁଖ୍ୟତଃ ମାଲବାହୀ ଗାଡ଼ି ଚଳାଚଳକୁ ରୋକାଯାଇଛି। ତେବେ ମେଡିକାଲ୍ ସାମଗ୍ରୀ, ବିଦ୍ୟୁତ, ଟେଲିକମ୍, ପାଣି ଓ ଅନ୍ୟ ଜରୁରୀ ସେବାକୁ ଛାଡ଼ ଦିଆଯାଇଥିବା UNC କହିଛି। ମେ ୧୩, ୨୦୨୬ରେ ୬ ଜଣ ନାଗା ନାଗରିକଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗକୁ କେନ୍ଦ୍ର କରି UNC ଆନ୍ଦୋଳନ ଆରମ୍ଭ କରିଥିଲା। UNCର ଅଭିଯୋଗ ହେଉଛି, ସରକାର ଏହି ଘଟଣାରେ ଆବଶ୍ୟକ ନ୍ୟାୟ ଓ କାର୍ଯ୍ୟାନୁଷ୍ଠାନ କରିନାହାନ୍ତି। ଏହି କାରଣରୁ ହାଇୱେ ଅବରୋଧକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ତୀବ୍ର କରାଯାଇଥିଲା।
