Development Projects At Sambalpur: ସମ୍ବଲପୁରରେ ୯୬୦ କୋଟିର ୫୦ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ, ଲୋକାର୍ପିତ ହେଲା ଡପ୍ଲର ପାଣିପାଗ ରାଡାର
ମ୍ବଲପୁରରେ ୯୬୦ କୋଟି ଟଙ୍କାର ୫୦ଟି ବିକାଶ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ସହ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍ଲର ପାଣିପାଗ ରାଡାର ଲୋକାର୍ପିତ ହୋଇଛି। ରାଡାର ଦ୍ୱାରା ପଶ୍ଚିମ ଓଡ଼ିଶାର ୧୩ଟି ଜିଲ୍ଲାର ପାଣିପାଗ ତଥ୍ୟ ଓ ପୂର୍ବାନୁମାନ ଅଧିକ ସୁଦୃଢ଼ ହେବ।

ଭୁବନେଶ୍ୱର/ସମ୍ବଲପୁର, ୧୬ ସେପ୍ଟେମ୍ବର ୨୦୨୬: ସମ୍ବଲପୁର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାୟ ୯୬୦ କୋଟି ଟଙ୍କାର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଆୟୋଜିତ ସମାରୋହରେ ୧୩୩.୪୭ କୋଟି ଟଙ୍କାର ୧୫ଟି ସମ୍ପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ ହୋଇଥିବା ବେଳେ ୮୨୫.୮୩ କୋଟି ଟଙ୍କାର ୩୫ଟି ନୂଆ ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ଏହି ଅବସରରେ ସମ୍ବଲପୁରରେ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍ଲର ପାଣିପାଗ ରାଡାର୍ (DWR) ମଧ୍ୟ ଲୋକାର୍ପିତ ହୋଇଛି। ଏହା ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ପାଣିପାଗ ନିରୀକ୍ଷଣ ଓ ପୂର୍ବାନୁମାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ। ରାଡାରଟି ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବ ଏବଂ ପ୍ରାୟ ୨୫୦ କିଲୋମିଟର ପରିଧିରେ ପାଣିପାଗ ସମ୍ପର୍କିତ ସଠିକ୍ ତଥ୍ୟ ଯୋଗାଇବା ସହ ୪୫୦ କିଲୋମିଟର ପର୍ଯ୍ୟନ୍ତ ପାଣିପାଗର ଗତିବିଧି ନିରୀକ୍ଷଣରେ ସହାୟକ ହେବ। ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା, ଅନୁଗୁଳ, କଳାହାଣ୍ଡି, କେନ୍ଦୁଝର ଓ ଢେଙ୍କାନାଳ ଭଳି ୧୩ଟି ଜିଲ୍ଲା ଏହାଦ୍ୱାରା ଉପକୃତ ହେବେ। ଏହାସହ ଛତିଶଗଡ଼ ଓ ଝାଡ଼ଖଣ୍ଡର କିଛି ଅଞ୍ଚଳ ମଧ୍ୟ ଏହାର ନିରୀକ୍ଷଣ ପରିସରରେ ରହିବ। ରାଡାର ଜରିଆରେ ବଜ୍ରଝଡ଼, ବଜ୍ରପାତ, ପ୍ରବଳ ବର୍ଷା ଓ କୁଆପଥର ବର୍ଷା ଭଳି ପାଣିପାଗ ଘଟଣାର ଆଗୁଆ ସୂଚନା ମିଳିପାରିବ। ପ୍ରତି ୧୦ ମିନିଟ୍ରେ ବୃଷ୍ଟିପାତର ଆକଳନ କରିବା ସହ ହୀରାକୁଦ ଜଳଭଣ୍ଡାରର ଜଳପ୍ରବାହ ପରିଚାଳନାରେ ମଧ୍ୟ ଏହା ସହାୟକ ହେବ। କୃଷି, ଜଳସେଚନ, ବିଦ୍ୟୁତ, ଶିଳ୍ପ ଓ ପରିବହନ କ୍ଷେତ୍ରରେ ମଧ୍ୟ ଏହାର ଉପଯୋଗ ରହିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଡପ୍ଲର ରାଡାର ଧନଜୀବନ ସୁରକ୍ଷା ସହ ଜଳସେଚନ ଓ ବିପର୍ଯ୍ୟୟ ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ପାରାଦୀପ ଓ ଗୋପାଳପୁର ପରେ ସମ୍ବଲପୁରରେ ଏହା ରାଜ୍ୟର ତୃତୀୟ ଡପ୍ଲର ରାଡାର ବୋଲି ସେ କହିଛନ୍ତି। ଆଗାମୀ ଦିନରେ ବାଲେଶ୍ୱର, ଭୁବନେଶ୍ୱର ଓ ପୁରୀରେ ମଧ୍ୟ ଡପ୍ଲର ରାଡାର ସ୍ଥାପନ ପାଇଁ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ, ସମ୍ବଲପୁରରେ ଚଳିତ ବର୍ଷ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ପ୍ରାୟ ୧,୯୧୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଅଇଁଠାପାଲି ବସ୍ ଟର୍ମିନାଲ୍, ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ପ୍ରକଳ୍ପ, ବୁର୍ଲା ଓ ହୀରାକୁଦ ରିଙ୍ଗ୍ ରୋଡ୍, ରେମେଡ୍-ହୀରାକୁଦ ୪-ଲେନ୍ ରାସ୍ତା ଆଦି ପ୍ରକଳ୍ପର ମଧ୍ୟ ଉଲ୍ଲେଖ କରିଛନ୍ତି। ସମ୍ବଲପୁରରେ ୧,୫୨୧ କୋଟି ଟଙ୍କାର ୪-ଲେନ୍ ବାଇପାସ୍, VIMSARର ୧,୭୦୦ କୋଟି ଟଙ୍କାର ସମ୍ପ୍ରସାରଣ, ୧୦୦ କୋଟି ଟଙ୍କାର Aqua Park ଓ ୧୦୦ କୋଟି ଟଙ୍କାର ‘ସମଲେଇ ଫେଜ୍-୨’ ପ୍ରକଳ୍ପ ମଧ୍ୟ ତ୍ୱରାନ୍ୱିତ ହେଉଥିବା ସେ ସୂଚନା ଦେଇଛନ୍ତି। ସମାରୋହରେ କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଆଭାସୀ ମାଧ୍ୟମରେ ଯୋଗଦେଇ ସମ୍ବଲପୁର ଡପ୍ଲର ରାଡାରକୁ ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥା ପାଇଁ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି। ଦେଶରେ ଆଗାମୀ ଦିନରେ ଆହୁରି ୪୦ଟି ଡପ୍ଲର ରାଡାର ଯୋଡ଼ାଯିବ ବୋଲି ସେ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟସଭା ସାଂସଦ ମନମୋହନ ସାମଲ, ବିଧାୟକ ଜୟ ନାରାୟଣ ମିଶ୍ର, IMD ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର, SRC ରାଜେଶ ପ୍ରଭାକର ପାଟିଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ।
