୩୬ ମାସ ପରେ ବି ସରୁନି ରାସ୍ତା ନିର୍ମାଣ, ବର୍ଷାରେ ବେହାଲ ଯାତାୟାତ
୨୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦିଗଛିଆ-ବାଂଶଡା ରାସ୍ତା ନିର୍ମାଣ ୩୬ ମାସ ପରେ ବି ଅସମ୍ପୂର୍ଣ୍ଣ। ବର୍ଷାରେ ବନ୍ୟାଜଳ ଯୋଗୁଁ ଟ୍ରକ୍ ଫସିବା ସହ ଶତାଧିକ ଗାଡ଼ି ଅଟକିଲା।
ଭଦ୍ରକ: ନିର୍ଦ୍ଧାରିତ ୧୮ ମାସ ମଧ୍ୟରେ ରାସ୍ତା ନିର୍ମାଣ ସାରିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ୩୬ ମାସରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ତଥାପି ସମ୍ପୂର୍ଣ୍ଣ ହୋଇପାରୁନାହିଁ ଦିଗଛିଆ-ବାଂଶଡା ରାସ୍ତା ନିର୍ମାଣ କାର୍ଯ୍ୟ। ୨୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏହି ପ୍ରକଳ୍ପ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଯନ୍ତ୍ରଣାର କାରଣ ପାଲଟିଛି। ପ୍ରାୟ ୧୦ କିଲୋମିଟର ଦୀର୍ଘ ଏହି ରାସ୍ତା ପାଇଁ ପ୍ରତି କିଲୋମିଟରକୁ ପ୍ରାୟ ୩ କୋଟି ଟଙ୍କା ହିସାବରେ ପାଖାପାଖି ୩୧ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଜଣାପଡ଼ିଛି। ତେବେ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ଏହାର ସୁଫଳ ଲୋକଙ୍କୁ ମିଳିପାରୁନାହିଁ। ଚଳିତ ବର୍ଷାରେ ଦିଗଛିଆ ବଜାରଠାରୁ ୨-୩ କିଲୋମିଟର ରାସ୍ତା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ବଜାର ନିକଟରେ ବନ୍ୟାଜଳ ଜମି ରହିବାରୁ ମଙ୍ଗଳବାର ଏକ ମାଲବାହୀ ଟ୍ରକ୍ ପ୍ରାୟ ୫ ଘଣ୍ଟା ଧରି ଫସି ରହିଥିଲା। ଫଳରେ ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକିବା ସହ ଆମ୍ବୁଲାନ୍ସ, ବସ୍, ସ୍କୁଲ ଛାତ୍ରଛାତ୍ରୀ ଓ ଧାମରା ପୋର୍ଟ ଯାଉଥିବା ଗାଡ଼ିର ଯାତାୟାତ ପ୍ରଭାବିତ ହୋଇଥିଲା। ପରେ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଓ ଜେସିବି ସହାୟତାରେ ଟ୍ରକ୍କୁ ଉଦ୍ଧାର କରାଯାଇଥିଲା। ରାସ୍ତା ନିର୍ମାଣରେ ବିଳମ୍ବ, ଗୁଣାତ୍ମକ ମାନ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କ କହିବାନୁଯାୟୀ, ବନ୍ୟାଜଳରେ ରାସ୍ତାର କିଛି ଅଂଶ ଧସିଯାଇଥିଲା। ଅନ୍ୟପକ୍ଷରେ, ପୁରୁଣା ପୋଲକୁ ସ୍ଥାନାନ୍ତର ନକରି ସେହି ପୋଲ ଉପରେ ନୂତନ କାର୍ଯ୍ୟ କରାଯାଉଥିବା ନେଇ ମଧ୍ୟ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ରାସ୍ତା ମରାମତି, ଯାତାୟାତ ସ୍ୱାଭାବିକ କରିବା ଓ ନିର୍ମାଣର ଗୁଣବତ୍ତା ଯାଞ୍ଚ ପାଇଁ ଦାବି ହୋଇଛି।
