Basic Facilities Demand: ୪୦ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଡୋକରୀପଡ଼ାବାସୀ
ମୌଳିକ ସୁବିଧାରୁ ବଞ୍ଚିତ ଡୋକରୀପଡ଼ାବାସୀ । ନାହିଁ ପକ୍କା ରାସ୍ତା, ବିଦ୍ୟାଳୟ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ର; ଜରୁରୀ ସମୟରେ ୪ କି.ମି. ଖଟିଆରେ ବୁହା ହେଉଛନ୍ତି ରୋଗୀ ଓ ଗର୍ଭବତୀ।
ଜୟପାଟଣା: ପ୍ରାୟ ୪୦ ବର୍ଷ ଧରି ବସବାସ କରୁଛନ୍ତି। ହେଲେ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ। ନାହିଁ ପକ୍କା ରାସ୍ତା, ନାହିଁ ବିଦ୍ୟାଳୟ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ର। ଜରୁରୀ ସ୍ୱାସ୍ଥ୍ୟସେବା ସମୟରେ ମଧ୍ୟ ପଡ଼ାବାସୀଙ୍କୁ ଭୋଗିବାକୁ ପଡ଼ୁଛି ଅନେକ ଦୁର୍ଦ୍ଦଶା। ଏଭଳି ଅବସ୍ଥା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୋକରୀପଡ଼ାର। ପଡ଼ାବାସୀଙ୍କ କହିବା ଅନୁସାରେ, ପ୍ରାୟ ୪୦ ବର୍ଷ ହେଲା ଏଠାରେ ୩୫ଟି ପରିବାର ବସବାସ କରୁଛନ୍ତି। ବିସ୍ଥାପିତ ପରିବାରମାନେ ଏଠାରେ ନିଜ ଜୀବନ ଗଢ଼ିଥିଲେ ମଧ୍ୟ ଦଶନ୍ଧି ପରେ ଦଶନ୍ଧି ବିତିଛି। ତଥାପି ପଡ଼ାରେ ମୌଳିକ ସୁବିଧା ପହଞ୍ଚିପାରିନାହିଁ।
ପଡ଼ାକୁ ଯାତାୟାତ ପାଇଁ ଆଜି ବି ପକ୍କା ରାସ୍ତା ନାହିଁ। ଫଳରେ ବର୍ଷା ଦିନେ ଯାତାୟାତ ସମସ୍ୟା ଆହୁରି ଜଟିଳ ହୋଇପଡ଼େ। ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ପଡ଼ାରେ ନାହିଁ ବିଦ୍ୟାଳୟ। ଏପରିକି ଛୋଟ ପିଲାଙ୍କ ପାଇଁ ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ଶିଶୁମାନଙ୍କୁ ଅନ୍ୟତ୍ର ଯିବାକୁ ପଡ଼ୁଥିବା ପଡ଼ାବାସୀ ଅଭିଯୋଗ କରିଛନ୍ତି। ତେବେ ସବୁଠାରୁ ବଡ଼ ସମସ୍ୟା ହେଉଛି ଜରୁରୀ ସ୍ୱାସ୍ଥ୍ୟସେବା। ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ନିକଟକୁ ପହଞ୍ଚାଇବା ପାଇଁ ପ୍ରାୟ ୪ କିଲୋମିଟର ଦୂର ପର୍ଯ୍ୟନ୍ତ ଖଟିଆରେ ବୋହି ନେବାକୁ ପଡ଼ୁଥିବା ପଡ଼ାବାସୀ ଅଭିଯୋଗ କରିଛନ୍ତି। ରାସ୍ତା ଅଭାବରୁ ଏଭଳି ପରିସ୍ଥିତିରେ ଜୀବନ ମଧ୍ୟ ବିପଦରେ ପଡ଼ୁଥିବା ସେମାନେ କହିଛନ୍ତି। ଏନେଇ ପଡ଼ାବାସୀ ସ୍ଥାନୀୟ ସରପଞ୍ଚ, ବ୍ଲକ ପ୍ରଶାସନ, ଲାଞ୍ଜିଗଡ଼ ବିଧାୟକ ଏବଂ ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରିଥିବା ଜଣାପଡ଼ିଛି। ପଡ଼ାର ରାସ୍ତା ନିର୍ମାଣ ପାଇଁ ବିଧାୟକଙ୍କ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ ଆଗାମୀ ଦିନରେ ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସଂଯୋଗ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ତେବେ ଦୀର୍ଘ ୪୦ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ଡୋକରୀପଡ଼ାର ସମସ୍ୟାର ଯଥାଶୀଘ୍ର ସ୍ଥାୟୀ ସମାଧାନ କରିବାକୁ ପଡ଼ାବାସୀ ଦାବି କରିଛନ୍ତି।
