Elephant Calf: ଗଣେଶ ଚତୁର୍ଥୀରେ କେନ୍ଦୁଝରରେ ଜନ୍ମ ନେଲା ହାତୀ ଶାବକ, ୨୧ରୁ ବଢ଼ି ୨୨ ହେଲା ହାତୀପଲ, ସୁସ୍ଥ ଅଛି ମା’ ଓ ଛୁଆ
ଗଣେଶ ଚତୁର୍ଥୀରେ କେନ୍ଦୁଝର ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ୍ରେ ଏକ ହାତୀ ଶାବକ ଜନ୍ମ ନେଇଛି। ଫଳରେ ୨୧ଟି ହାତୀର ପଲ ୨୨କୁ ବୃଦ୍ଧି ପାଇଛି। ଶାବକଟି ସୁସ୍ଥ ଥିବାବେଳେ ବନ ବିଭାଗ ମା’ ଓ ଛୁଆ ହାତୀଙ୍କ ଉପରେ ନଜର ରଖିଛି।

କେନ୍ଦୁଝର: ପବିତ୍ର ଗଣେଶ ଚତୁର୍ଥୀରେ କେନ୍ଦୁଝର ଜିଲ୍ଲାରୁ ଆସିଛି ଏକ ଶୁଭ ଖବର। ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନ୍ରେ ଏକ ହାତୀ ଶାବକ ଜନ୍ମ ନେଇଛି। ଗଣେଶ ଚତୁର୍ଥୀ ଦିନ ହାତୀ ଶାବକ ଜନ୍ମ ନେବାକୁ ନେଇ ବନ ବିଭାଗ ଓ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ବାଲିବନ୍ଧ ସେକ୍ସନ୍ରେ ୨୧ଟି ହାତୀକୁ ନେଇ ଏକ ହାତୀପଲ ଚଳପ୍ରଚଳ କରୁଥିଲା। ଏହି ହାତୀପଲରେ ଏବେ ଏକ ନୂଆ ସଦସ୍ୟ ଯୋଡ଼ି ହୋଇଛି। ଏକ ହାତୀଛୁଆ ଜନ୍ମ ନେବା ପରେ ହାତୀପଲର ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। କେନ୍ଦୁଝର DFOଙ୍କ ସୂଚନା ଅନୁସାରେ, ନବଜାତ ହାତୀ ଶାବକଟି ସୁସ୍ଥ ଅଛି। ଏହା ମା’ ହାତୀ ସହ ରହିବା ସହ ହାତୀପଲ ସହିତ ଚଳପ୍ରଚଳ କରୁଛି। ମା’ ହାତୀଠାରୁ ଶାବକଟି ନିୟମିତ କ୍ଷୀରପାନ କରୁଥିବା ମଧ୍ୟ ଜଣାପଡ଼ିଛି। ହାତୀପଲର ଗତିବିଧି ଉପରେ ବନ ବିଭାଗର ସ୍ଥାନୀୟ କର୍ମଚାରୀମାନେ ନଜର ରଖିଛନ୍ତି। ବିଶେଷକରି ମା’ ଓ ଛୁଆ ହାତୀ କିପରି ସୁରକ୍ଷିତ ଭାବେ ହାତୀପଲ ସହ ରହିବେ, ସେଥିପାଇଁ ବନ ବିଭାଗ ପକ୍ଷରୁ ସତର୍କ ନଜର ରଖାଯାଉଛି। ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ହାତୀ ଶାବକ ଜନ୍ମ ନେବା ଘଟଣା କେନ୍ଦୁଝରବାସୀଙ୍କ ପାଇଁ ଖୁସିର ଖବର ଆଣିଛି। ଏଥିସହ ଜିଲ୍ଲାରେ ହାତୀ ସଂରକ୍ଷଣ ଦିଗରେ ଏହା ଏକ ସକାରାତ୍ମକ ସଙ୍କେତ ବୋଲି କୁହାଯାଉଛି।
