ଜେସିବି ଲଗାଇ ନଷ୍ଟ କରାଗଲା ଚାଷ; ପୋଲିସ ଉପସ୍ଥିତିରେ ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ
ବେଆଇନ ଜବର ଦଖଲରୁ ମୁକ୍ତ ହେଲା ୩୪ ଏକର ଜଙ୍ଗଲ୍ ଜମି । ଦୀର୍ଘ ଦିନ ହେବ ଜଣେ ଲୋକ ବେଆଇନ ଭାବେ ଜବର ଦଖଲ କରି ବିଭିନ୍ନ ଚାଷ କରିଆସୁଥିଲେ। ବାରମ୍ବାର ନୋଟିସ ସତ୍ତ୍ୱେ ସେ ଶୁଣୁ ନଥିବାବେଳେ ଆଜି ତହସିଲ ପ୍ରସାଶନ, ବନ ବିଭାଗ ଓ ପୋଲିସ ପ୍ରଶାସନ ମିଳିତ ଭାବେ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଜମିକୁ ମୁକ୍ତ କରିଛନ୍ତି ।
ସୁବର୍ଣ୍ଣପୁର: ଦୀର୍ଘଦିନ ଧରି ଜବରଦଖଲରେ ଥିବା ୩୪ ଏକରରୁ ଅଧିକ ଜଙ୍ଗଲ ଜମିକୁ ଶେଷରେ ଜବରଦଖଲ ମୁକ୍ତ କରିଛି ପ୍ରଶାସନ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ କେଞ୍ଝରିଆପାଲି ଆରଆଇ ସର୍କଲର ସୁରଧାପାଲି ଜଙ୍ଗଲ ମୌଜାରେ ଏହି ଅଭିଯାନ ହୋଇଛି। ରାଜସ୍ୱ, ବନ ଓ ପୋଲିସ ବିଭାଗର ମିଳିତ ଉଦ୍ୟମରେ ପ୍ରାୟ ୩୪ ଏକର ୬୦୦ ଡିସମିଲ ଜଙ୍ଗଲ ଜମି ଜବରଦଖଲ ମୁକ୍ତ କରାଯାଇଥିବା ରିପୋର୍ଟ ହୋଇଛି। ସୂଚନା ଅନୁସାରେ, ଦାଦରପାଲି ଗାଁର ନାଗେଶ୍ୱର ମେଣ୍ଡିଲିଙ୍କ ବିରୋଧରେ ଉକ୍ତ ଜଙ୍ଗଲ ଜମିକୁ ଦୀର୍ଘଦିନ ଧରି ଜବରଦଖଲ କରି ଚାଷ କରୁଥିବା ଅଭିଯୋଗ ରହିଥିଲା। ଜବରଦଖଲ ଜମିରେ ଧାନ ଓ କପା ଭଳି ବିଭିନ୍ନ ଫସଲ ଚାଷ କରାଯାଉଥିବା ସହ ଅନ୍ୟମାନଙ୍କୁ ମଧ୍ୟ ଚାଷ ପାଇଁ ଜମି ଦିଆଯାଉଥିବା ଅଭିଯୋଗ ହୋଇଥିଲା।
ଏନେଇ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ରାଜସ୍ୱ ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜମି ଖାଲି କରିବା ପାଇଁ ନୋଟିସ ଦିଆଯାଇଥିଲା। ତେବେ ନୋଟିସ ସତ୍ତ୍ୱେ ଜମିରେ ଚାଷ ଜାରି ରହିଥିବା ଅଭିଯୋଗ ରହିଥିଲା। ଶେଷରେ ରାଜସ୍ୱ, ବନ ଓ ପୋଲିସ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଉପସ୍ଥିତିରେ ଜେସିବି ମେସିନ ଲଗାଇ ଜବରଦଖଲ ଜମିରେ ହୋଇଥିବା ଚାଷକୁ ହଟାଯାଇଥିଲା। ଏହାପରେ ଜମିକୁ ପ୍ରଶାସନ ନିଜ ଅଧୀନକୁ ନେଇଥିବା ଜଣାପଡ଼ିଛି। ଜମିରେ ପୁଣି ଯେପରି କେହି ଅନଧିକୃତ ଭାବେ ପ୍ରବେଶ କିମ୍ବା ଚାଷ କରିନପାରିବେ, ସେଥିପାଇଁ ନିଷେଧ ଫଳକ ମଧ୍ୟ ଲଗାଯାଇଛି। ଏହି ଘଟଣାରେ ବୀରମହାରାଜପୁର ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀଙ୍କ ନେତୃତ୍ୱରେ ରାଜସ୍ୱ ବିଭାଗର ଅଧିକାରୀ, ବନ ବିଭାଗର କର୍ମଚାରୀ ଓ ପୋଲିସ ଟିମ୍ ଉପସ୍ଥିତ ଥିବା ସ୍ଥାନୀୟ ରିପୋର୍ଟରେ ଉଲ୍ଲେଖ ରହିଛି।
