Forester Suspended: ରାସ୍ତା ପ୍ରଶସ୍ତୀକରଣ ନାଁରେ ଗଛ କାଟିବା ଅଭିଯୋଗ, ଫରେଷ୍ଟର ନିଲମ୍ବିତ
ନବରଙ୍ଗପୁର ଝରିଗାଁରେ ରାସ୍ତା ପ୍ରଶସ୍ତୀକରଣ ନାଁରେ ୨୦ଟି ନୀଳଗିରି ଗଛ କାଟିବା ଅଭିଯୋଗରେ ଫରେଷ୍ଟର ବିପିନ କୁମାର ହରିଜନଙ୍କୁ ନିଲମ୍ବିତ କରିଛି ବନ ବିଭାଗ।
ନବରଙ୍ଗପୁର: ରାସ୍ତା ପ୍ରଶସ୍ତୀକରଣ ନାଁରେ ନୀଳଗିରି ଗଛ କାଟିବା ଘଟଣାରେ ବନ ବିଭାଗ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ। ତତ୍କାଳୀନ ଝରିଗାଁ ରେଞ୍ଜର ମୋହରା ସେକ୍ସନ ଫରେଷ୍ଟର ତଥା ବର୍ତ୍ତମାନ ଡାବୁଗାଁ ରେଞ୍ଜର ମୈଦଲପୁର ସେକ୍ସନ ଫରେଷ୍ଟର ବିପିନ କୁମାର ହରିଜନଙ୍କୁ ନିଲମ୍ବିତ କରାଯାଇଛି। ନବରଙ୍ଗପୁର ଡିଏଫଓ ଉଦୟନ ସୁବୁଦ୍ଧି ତାଙ୍କ ବିରୋଧରେ ଏହି ଶୃଙ୍ଖଳାଗତ ପଦକ୍ଷେପ ନେଇଛନ୍ତି।
ଝରିଗାଁ ରେଞ୍ଜ ଅଞ୍ଚଳର ଦେଓବନ୍ଧରୁ ଜାମାପଦର ରାସ୍ତା ପାର୍ଶ୍ୱରେ ପ୍ରଶସ୍ତୀକରଣ କାମ ଚାଲିଥିବା ସମୟରେ ୨୦ଟି ନୀଳଗିରି ଗଛ କଟାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁସାରେ, ଉଚ୍ଚପଦସ୍ଥ ବନ ଅଧିକାରୀଙ୍କ ଅନୁମତି ନନେଇ ଫରେଷ୍ଟର ଗଛଗୁଡ଼ିକୁ କାଟି ବେପାରୀଙ୍କୁ ଦେଇଥିଲେ। ଘଟଣାରେ ଅର୍ଥ କାରବାର ହୋଇଥିବା ଏବଂ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନାଁରେ ଟଙ୍କା ଆଦାୟ ହୋଇଥିବା ନେଇ ମଧ୍ୟ ତଦନ୍ତରେ ଅଭିଯୋଗ ଆସିଥିଲା। ଅନ୍ୟପକ୍ଷରେ, ରାସ୍ତା ପ୍ରଶସ୍ତୀକରଣ ପାଇଁ ସଂପୃକ୍ତ ବିଭାଗ ପକ୍ଷରୁ ବନ ବିଭାଗର ଅନୁମତି ମଗାଯାଇନଥିବା ମଧ୍ୟ ତଦନ୍ତରେ ଜଣାପଡ଼ିଥିବା କୁହାଯାଇଛି। ଅଭିଯୋଗ ପରେ ଡିଏଫଓଙ୍କ ନିର୍ଦ୍ଦେଶରେ ତଦନ୍ତ ହୋଇଥିଲା। ତଦନ୍ତ ପରେ ଫରେଷ୍ଟରଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ତାଙ୍କ ଉତ୍ତର ସନ୍ତୋଷଜନକ ନଥିବାରୁ ଶେଷରେ ତାଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବନ ପରେ ବିପିନ କୁମାର ହରିଜନଙ୍କୁ ଡିଏଫଓ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି। ଏଥିସହ ବିନା ଅନୁମତିରେ ଜିଲ୍ଲା ସଦର ମହକୁମା ଛାଡ଼ି ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
