FSSAI initiated legal action against Nestlé:ଶିଶୁ ପୋଷଣ ଉତ୍ପାଦ ନେଇ Nestlé India ବିରୋଧରେ FSSAIର ଆଇନଗତ ପଦକ୍ଷେପ
ଶିଶୁ ପୋଷଣ ଉତ୍ପାଦର ପ୍ରମୋସନାଲ୍ ଦାବି ଓ ଏକ Follow-up Formulaର Biotin ମାନଦଣ୍ଡକୁ ନେଇ Nestlé India ବିରୋଧରେ ୩ଟି ଆଇନଗତ ମାମଲା ଆରମ୍ଭ କରିଛି FSSAI।

ନୂଆଦିଲ୍ଲୀ: ଶିଶୁ ପୋଷଣ ଉତ୍ପାଦକୁ ନେଇ Nestlé India ବିରୋଧରେ ଆଇନଗତ ପଦକ୍ଷେପ ନେଇଛି ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ (FSSAI)। ନିୟମ ଉଲ୍ଲଂଘନ ଅଭିଯୋଗରେ କମ୍ପାନୀ ବିରୋଧରେ ୩ଟି ପୃଥକ ଆଡଜୁଡିକେସନ୍ ମାମଲା ଆରମ୍ଭ କରାଯାଇଛି।
FSSAI ଅନୁସାରେ, NAN Excella Pro Stage 1, Lactogen Pro 1 ଏବଂ ଏକ Follow-up Formulaର ଯାଞ୍ଚ କରାଯାଇଥିଲା। ଏହା ସହିତ ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ଏହି ଉତ୍ପାଦଗୁଡ଼ିକର ପ୍ରମୋସନାଲ୍ ମେଟେରିଆଲ୍ ମଧ୍ୟ ଯାଞ୍ଚ କରିଥିଲା ନିୟାମକ ସଂସ୍ଥା।
NAN Excella Pro Stage 1ରେ ‘5 HMOs’ ଓ ‘Whey Protein’ ସମ୍ପର୍କିତ ଦାବିକୁ ନେଇ FSSAI ପ୍ରଶ୍ନ ଉଠାଇଛି। ସେହିପରି Lactogen Pro 1ରେ Whey Protein ସହଜରେ ହଜମ ହୁଏ ବୋଲି କରାଯାଇଥିବା ଦାବିକୁ ନେଇ ମଧ୍ୟ ସ୍ପଷ୍ଟୀକରଣ ମଗାଯାଇଥିଲା। FSSAI କହିଛି, ଏହି ଦୁଇ ଉତ୍ପାଦ ସମ୍ପର୍କିତ ପ୍ରମୋସନାଲ୍ ଦାବି Food Safety and Standards (Foods for Infant Nutrition) Regulations, 2020ର Regulation 4(2) ସହିତ ଅସଙ୍ଗତ। ଏଥିସହ Infant Milk Substitutes, Feeding Bottles and Infant Foods (Regulation of Production, Supply and Distribution) Act, 1992ର Section 3 ଅନୁଯାୟୀ ଶିଶୁ ଖାଦ୍ୟର ବିଜ୍ଞାପନ ଓ ପ୍ରମୋସନ୍ ଉପରେ ମଧ୍ୟ ନିୟମ ରହିଛି। ଅନ୍ୟପଟେ, Follow-up Formulaର ଏକ ନମୁନାର ଲାବରେଟୋରୀ ପରୀକ୍ଷାରେ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ Biotin ମାତ୍ରା ନଥିବା ଦର୍ଶାଯାଇଥିଲା। ପୁନଃପରୀକ୍ଷା ପାଇଁ ନମୁନାକୁ Referral Laboratoryକୁ ପଠାଯାଇଥିବା ବେଳେ ସେଠାରେ ମଧ୍ୟ ଏହା ନିର୍ଦ୍ଧାରିତ Biotin ମାନଦଣ୍ଡ ପୂରଣ କରୁନଥିବା ଜଣାପଡ଼ିଥିଲା। ଏହି ଘଟଣାରେ FSSAI ପକ୍ଷରୁ Nestlé India ବିରୋଧରେ ୩ଟି ପୃଥକ ଆଡଜୁଡିକେସନ୍ ମାମଲା ରୁଜୁ କରାଯାଇଛି। ତେବେ Nestlé India ନିଜର ପଲିସିରେ ଭାରତରେ Infant Nutrition Productsର ବିଜ୍ଞାପନ କରେ ନାହିଁ ବୋଲି ଉଲ୍ଲେଖ କରିଛି ଏବଂ IMS Act ଓ WHO Code ସହିତ ଅନୁପାଳନ କରିବାକୁ କହିଛି।
