ଗଜପତିରେ ଡବଲ ମର୍ଡର ମାମଲା: ୧୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
୨୦୨୧ ମସିହାରେ ଅଡବା ଥାନା ଅଞ୍ଚଳରେ ଘଟିଥିବା ଡବଲ ମର୍ଡର ମାମଲାରେ ଆସିଛି କୋର୍ଟଙ୍କ ବଡ଼ ରାୟ | ମାମଲାର ଶୁଣାଣି କରି ପାରଳାଖେମୁଣ୍ଡି ଏଡିଜେ କୋର୍ଟ ୧୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।
୨୦୨୧ ମସିହାରେ ଅଡବା ଥାନା ଅଞ୍ଚଳରେ ଘଟିଥିବା ଡବଲ ମର୍ଡର ମାମଲାରେ ଆସିଛି କୋର୍ଟଙ୍କ ବଡ଼ ରାୟ | ମାମଲାର ଶୁଣାଣି କରି ପାରଳାଖେମୁଣ୍ଡି ଏଡିଜେ କୋର୍ଟ ୧୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୨୩ ଜଣ ସାକ୍ଷୀଙ୍କ ବୟାନ ଏବଂ ୨୭ଟି ତଥ୍ୟ ଓ ପ୍ରମାଣକୁ ଆଧାର କରି କୋର୍ଟ ଏହି ରାୟ ଦେଇଛନ୍ତି | ସୂଚନା ଅନୁସାରେ, ୨୦୨୧ ଜୁନ୍ ୧୨ ତାରିଖରେ ଅଡବା ଥାନା ଅନ୍ତର୍ଗତ ମୁଠାଗୁଡା ଗ୍ରାମରେ ଗୁଣିଗାରେଡି ସନ୍ଦେହକୁ ନେଇ ବାପା ଲୁକ ଦଳବେହେରା ଓ ତାଙ୍କ ପୁଅ ଅନୁକ ଦଳବେହେରାଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏହାପରେ ଉଭୟଙ୍କୁ ବଳପୂର୍ବକ ବିଷ ପିଆଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଘଟଣାର ପରଦିନ, ଜୁନ୍ ୧୩ ତାରିଖରେ ମୃତକଙ୍କ ଝିଅ ଲୁଧିଆ ଦଳବେହେରା ଅଡବା ଥାନାରେ ଏତଲା ଦେଇଥିଲେ । ତତ୍କାଳୀନ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ମାମଲାର ତଦନ୍ତ କରିଥିଲେ । ତଦନ୍ତ ପରେ ୨୩ ଜଣ ସାକ୍ଷୀଙ୍କ ବୟାନ ଓ ୨୭ଟି ପ୍ରମାଣ ଆଧାରରେ ମାମଲାର ଶୁଣାଣି ହୋଇଥିଲା | ଶେଷରେ ଏଡିଜେ ହର ପ୍ରସାଦ ପଟ୍ଟନାୟକ ୧୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।
