Gajapati Man Missing in River : ନଦୀରେ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ
ନଦୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ଫେରିଲେ ନାହିଁ । ଦୀର୍ଘ ସମୟ ପରେ ମଧ୍ୟ ଘରକୁ ନଫେରିବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ିଲା । ଖୋଜାଖୋଜି ପରେ ଜଣାପଡ଼ିଲା, ମହେନ୍ଦ୍ର ତନୟା ନଦୀରେ ନିଖୋଜ ହୋଇଯାଇଛନ୍ତି ୬୯ ବର୍ଷୀୟ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ।

ନଦୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ଫେରିଲେ ନାହିଁ । ଦୀର୍ଘ ସମୟ ପରେ ମଧ୍ୟ ଘରକୁ ନଫେରିବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ିଲା । ଖୋଜାଖୋଜି ପରେ ଜଣାପଡ଼ିଲା, ମହେନ୍ଦ୍ର ତନୟା ନଦୀରେ ନିଖୋଜ ହୋଇଯାଇଛନ୍ତି ୬୯ ବର୍ଷୀୟ ଦୁର୍ଗା ପ୍ରସାଦ ପାଣିଗ୍ରାହୀ । ନିଖୋଜ ବୃଦ୍ଧ ଜଣକ ଗୋଷାଣୀ ବ୍ଲକ ଅନ୍ତର୍ଗତ ଅମରା ଗ୍ରାମର ଦୁର୍ଗା ପ୍ରସାଦ ପାଣିଗ୍ରାହୀ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଦୁର୍ଗା ପ୍ରସାଦ ଆଜି ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ସମୟରେ ସେ ନଦୀର ପାଣିରେ ଭାସିଯାଇଥିବା ଆଶଙ୍କା କରାଯାଉଛି । କିଛି ସମୟ ପରେ ତାଙ୍କର କୌଣସି ଖୋଜଖବର ନମିଳିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ । ପରେ ଘଟଣା ସମ୍ପର୍କରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ପାରଳାଖେମୁଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମହେନ୍ଦ୍ରତନୟା ନଦୀରେ ତଲାସୀ ଅଭିଯାନ ଆରମ୍ଭ କରିଛି। ନଦୀର ବିଭିନ୍ନ ସ୍ଥାନରେ ଦମକଳ କର୍ମଚାରୀମାନେ ଖୋଜାଖୋଜି କରୁଛନ୍ତି । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ତଲାସୀ ଚାଲିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଦୁର୍ଗା ପ୍ରସାଦଙ୍କ କୌଣସି ସନ୍ଧାନ ମିଳିନାହିଁ । ବୃଦ୍ଧଙ୍କ ନିଖୋଜ ଖବର ପରେ ଅମରା ଗ୍ରାମରେ ମଧ୍ୟ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି। ପରିବାର ଲୋକେ ଦୁର୍ଗା ପ୍ରସାଦଙ୍କ ସୁରକ୍ଷିତ ଫେରିବାକୁ ଅପେକ୍ଷା କରିଥିବା ବେଳେ ଦମକଳ ବାହିନୀ ପକ୍ଷରୁ ତଲାସୀ ଅଭିଯାନ ଜାରି ରହିଛି । ତେବେ ଦୁର୍ଗା ପ୍ରସାଦ ପାଣିରେ ଭାସିଯାଇଛନ୍ତି ନା ଅନ୍ୟ କୌଣସି କାରଣରୁ ନିଖୋଜ ହୋଇଛନ୍ତି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ତଲାସୀ ଅଭିଯାନ ପରେ ହିଁ ଘଟଣା ସମ୍ପର୍କରେ ଅଧିକ ସୂଚନା ସ୍ପଷ୍ଟ ହେବ ।
