Rain Alert: ଓଡ଼ିଶାରେ ବର୍ଷା ଆଲର୍ଟ, ୫ ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା
ଓଡ଼ିଶାରେ ପୁଣି ବର୍ଷା ବଢ଼ିବ। ଆଜି ୫ ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା ସହ ଅନେକ ଜିଲ୍ଲାରେ ବଜ୍ରପାତ ଓ ଦମକା ପବନ ପାଇଁ ସତର୍କତା ଜାରି କରିଛି IMD।
ଭୁବନେଶ୍ୱର: ଓଡ଼ିଶାରେ ପୁଣି ସକ୍ରିୟ ହୋଇଛି ମୌସୁମୀ ବାୟୁ। ରାଜ୍ୟରେ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ନୂଆ ସତର୍କତା ଜାରି ହୋଇଛି। ଆଜି, ସେପ୍ଟେମ୍ବର ୧୨, ରାଜ୍ୟର ଅନେକ ସ୍ଥାନରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି। IMDର ପୂର୍ବାନୁମାନ ଅନୁସାରେ, ଆଜି ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଭାରୀ ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକ ପାଇଁ ହଳଦିଆ ସତର୍କତା ଜାରି କରାଯାଇଛି।ଏହାସହ ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ଗଜପତି ଓ ଗଞ୍ଜାମ ସମେତ ଅନେକ ଜିଲ୍ଲାରେ ବଜ୍ରପାତ ସହ ଘଡ଼ଘଡ଼ି ଓ ଦମକା ପବନର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।
ସେପ୍ଟେମ୍ବର ୧୩ରେ ମଧ୍ୟ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ର କେତେକ ସ୍ଥାନରେ ବଜ୍ରପାତ ଓ ଦମକା ପବନ ସହ ବର୍ଷା ନେଇ ହଳଦିଆ ସତର୍କତା ରହିଛି। IMDର ଚେତାବନୀ ଅନୁସାରେ, ଆସନ୍ତା କିଛି ଦିନରେ ମଧ୍ୟ ରାଜ୍ୟର କେତେକ ସ୍ଥାନରେ ବର୍ଷା ଜାରି ରହିପାରେ। ସେପ୍ଟେମ୍ବର ୧୫ରୁ ୧୭ ମଧ୍ୟରେ ମଧ୍ୟ କେତେକ ସ୍ଥାନରେ ଭାରୀ ବର୍ଷାର ସମ୍ଭାବନା ଦର୍ଶାଯାଇଛି। ବଜ୍ରପାତ ସମୟରେ ଲୋକଙ୍କୁ ଖୋଲା ପଡ଼ିଆ, ଗଛ ତଳ ଓ ଜଳାଶୟ ନିକଟରେ ନ ରହିବାକୁ ପରାମର୍ଶ ଦିଆଯାଉଛି। ଦମକା ପବନ ସମୟରେ ଦୁର୍ବଳ ଗଛ, ବିଦ୍ୟୁତ ଖୁଣ୍ଟ ଓ ହୋର୍ଡିଂ ନିକଟରୁ ଦୂରେ ରହିବା ଆବଶ୍ୟକ। ସେପଟେ ବଙ୍ଗୋପସାଗରରେ ରହିଥିବା ନିମ୍ନଚାପ ପ୍ରଣାଳୀ ଯୋଗୁଁ ଓଡ଼ିଶା ସମେତ ପୂର୍ବ ଭାରତରେ ମୌସୁମୀ ବର୍ଷା ସକ୍ରିୟ ରହିବାର ସମ୍ଭାବନା ରହିଛି।
