ସନ୍ଥରୁ ସିଆରପିଏଫ ଜବାନ- ୨୬ ବର୍ଷର ଲଢ଼େଇ
୨୬ ବର୍ଷ ଧରି ମନ୍ଦିରରେ ସନ୍ଥ ସାଜି ବନବାସ ଜୀବନ କାଟିଥିଲେ। ଆଉ ଏବେ ଜବାନ ସାଜିଲେ। ବାପାଙ୍କୁ ବର୍ଦ୍ଦି ମିଳିବା ପରେ ତାଙ୍କ ପୁଅ କୃଷ୍ଣା ତୋମାର ଏବେ ସନ୍ଥ ହୋଇଗଲେ।

ସନ୍ଥରୁ ସିଆରପିଏଫ। ୨୬ ବର୍ଷ ପରେ ସିଆରପିଏଫ ପୋଷାକରେ ନଜରକୁ ଆସିଲେ। ମୁରୈନାର ଗିରଓ୍ୱର ସିଂ ତୋମାରଙ୍କ କାହାଣୀ କୌଣସି ସଂଘର୍ଷ ଓ ସାହାସରୁ କିଛି କମ୍ ନୁହେଁ। ବା କୌଣସି ଫିଲ୍ମର ଚରିତ୍ର ଭଳି ଲାଗିବ। ୧୯୯୧ରେ ସିଆରପିଏଫରେ ହାବିଲଦାର ଥିଲେ ଗିରଓ୍ୱର। ପ୍ରାୟ ୮ ବର୍ଷ ଧରି ଚାକିରୀ ପରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ବିବାଦରୁ ତାଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ ଚାଲିଲା। ଆଉ ଶେଷରେ ତାଙ୍କୁ ୧୯୯୯ରେ ଚାକିରୀରୁ ବହିଷ୍କାର କରିଦିଆଯାଇଥିଲା। ଏହା ପରେ ସେ ସନ୍ୟାସୀ ଜୀବନ କାଟୁଥିଲେ। ମନ୍ଦିରରେ ରହି ସାଧୁସନ୍ଥ ହୋଇଗଲେ। ମନ୍ଦିରରେ ପୂଜାପାଠ କରି ସାଧନା ଆରମ୍ଭ କରିଥିଲେ। ପରେ ଗୁଫା ମନ୍ଦିର ପହଞ୍ଚି ଗିରଓ୍ୱର ଦାସ ମହାରାଜ ନାଁରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଜୀବନର ଦିଶା ସିନା ବଦଳିସାରିଥିଲା। କିନ୍ତୁ ପୁରୁଣା ଚାକିରୀ କେମିତି ଫେରିପାଇବେ, ତାକୁ ନେଇ ଲଢ଼େଇ ସାରିନଥିଲେ। ବର୍ଦ୍ଦି ପୁଣି କେମିତି ପାଇବେ, ସେ ଆଶା କଦାପି ଛାଡ଼ିନଥିଲେ। ୧୯୯୯ରେ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ୮ ବର୍ଷ ପରେ ଅର୍ଥାତ୍ ୨୦୦୭ରେ ତାଙ୍କ ସପକ୍ଷରେ ଫୈସଲା ଆସିଲା। କିନ୍ତୁ ସିଆରପିଏଫ ଏହି ରାୟ ଉପରେ ରହିତାଦେଶ ନେଇଯାଇଥିଲା। ଏହା ପରେ ମାମଲା ପୁଣି ଲମ୍ୱା ଆଇନଗତ ପ୍ରକ୍ରିୟାରେ ପଡ଼ିଗଲା। ଏହା ପରେ ଗିରଓ୍ୱର ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠରେ ଅପିଲ୍ କଲେ। ବର୍ଷ ବର୍ଷ ଧରି ମାମଲା ଚାଲିବା ପରେ ଅଗଷ୍ଟ ୨୦୨୫ରେ ହାଇକୋର୍ଟ ତାଙ୍କ ସପକ୍ଷରେ ରାୟ ଶୁଣାଇଲେ। ଆଉ ଚାକିରୀରେ ପୁନର୍ବାହାଲ ଲାଗି ଆଦେଶ ଦେଲେ। ଏ ଆଦେଶ ସତ୍ତ୍ୱେ ତାଙ୍କୁ ତତ୍କାଳ ସେବାରେ ନିଆଗଲାନି। ଏହାକୁ ଚ୍ୟାଲେଞ୍ଜ କରି ସେ ଅଧିକାରୀଙ୍କୁ ଆଇନଗତ ନୋଟିସ୍ ପଠାଇ ପୁନଃନିଯୁକ୍ତି ଦାବି ରଖିଥିଲେ। ଶେଷରେ ଅଗଷ୍ଟ ୨୦୨୬ରେ ସେ ଦିନ ଆସିଗଲା। ତାଙ୍କ ପ୍ରତୀକ୍ଷାର ଅନ୍ତ ଘଟିଲା। ଯାହାକୁ ୨୬ ବର୍ଷ ଧରି ସେ ଅପେକ୍ଷା କରି ବସିଥିଲେ। ଏବେ ତାଙ୍କୁ ଛତିଶଗଡ଼ର ବିଜାପୁରରେ ନିୟୋଜିତ କରାଯାଇଛି। ଆଦେଶ ମିଳିବା ମାତ୍ରେ ସେ ଡ୍ୟୁଟିରେ ଜଏନ କରିଥିଲେ। ଆଉ ବର୍ଦ୍ଦି ପିନ୍ଧି ସେ କ୍ଷଣକୁ ତାଙ୍କ ଜୀବନର ସବୁଠୁ ବଡ଼ ଦିନ ବୋଲି କହିଛନ୍ତି। ହେଲେ ନିଜ ଜୀବନର ଏକ ବଡ଼ ଅଂଶ ସେ ସଂଘର୍ଷରେ କାଟିଦେଇଥିଲେ। ୨୬ ବର୍ଷ ଧରି ମନ୍ଦିରରେ ସନ୍ଥ ସାଜି ବନବାସ ଜୀବନ କାଟିଥିଲେ। ଆଉ ଏବେ ଜବାନ ସାଜିଲେ। ବାପାଙ୍କୁ ବର୍ଦ୍ଦି ମିଳିବା ପରେ ତାଙ୍କ ପୁଅ କୃଷ୍ଣା ତୋମାର ଏବେ ସନ୍ଥ ହୋଇଗଲେ। କୃଷ୍ଣା ଅବିବାହିତ। ସେ ଛିନ୍ଦଓ୍ୱାଲି ଗୁଫାମନ୍ଦିରରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। କୃଷ୍ଣା କହିଛନ୍ତି, ତାଙ୍କ ବାପା ମନ୍ଦିରରେ ଭଗବାନଙ୍କ ସେବା କରିଥିଲେ। ଭଗବାନଙ୍କ ଆଶୀର୍ବାଦରୁ ତାଙ୍କ ବାପା ପୁଣି ବର୍ଦ୍ଦି ଫେରିପାଇଲେ। ସେ ଏବେ ଭଗବାନଙ୍କ ସେବାରେ ନିଜକୁ ନିୟୋଜିତ କରିବେ। ପୁଣି ଥରେ ସିଆରପିଏଫରେ ଜଏନ କରିବାକୁ ଗଲା ବେଳେ ଅନେକ ସାଧୁସନ୍ଥ ତାଙ୍କୁ ଟ୍ରେନରେ ଛାଡିବାକୁ ଆସିଥିଲେ। ପ୍ରାୟ ଅଢ଼େଇ ଦଶନ୍ଧି ଧରି ଲମ୍ୱା ଆଇନଗତ ଲଢ଼େଇ ପରେ ଶେଷରେ ତାଙ୍କ ସଂଘର୍ଷ ସାକାର ହେଲା। ଏବେ ସେ ପୁଣି ଥରେ ସିଆରପିଏଫ ପୋଷାକରେ ନଜରକୁ ଆସିଲେ।
