Green Drive in Malkangiri:ଏକ ପେଡ୍ ମା' କେ ନାମ୍ ; ମାସବ୍ୟାପୀ ଅଭିଯାନର ଶୁଭାରମ୍ଭ
ମାଲକାନଗିରି ବନ ବିଭାଗ ପକ୍ଷରୁ 'ଏକ ପେଡ୍ ମା' କେ ନାମ୍' କାର୍ଯ୍ୟକ୍ରମ ଅଧୀନରେ ବ୍ୟାପକ ବୃକ୍ଷରୋପଣ କରାଯାଇଛି।ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏକ ମାସବ୍ୟାପୀ ସେବା ସଂକଳ୍ପ ଅଭିଯାନରେ ସାମିଲ ହେଲେ ବିଧାୟକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ମାଲକାନଗିରି ଜିଲ୍ଲାରେ ବୃକ୍ଷରୋପଣ ଏବଂ ସେବା ସଂକଳ୍ପ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ମାଲକାନଗିରି ବନ ବିଭାଗ ପକ୍ଷରୁ 'ଏକ ପେଡ୍ ମା' କେ ନାମ୍' କାର୍ଯ୍ୟକ୍ରମ ଅଧୀନରେ ବ୍ୟାପକ ବୃକ୍ଷରୋପଣ କରାଯାଇଛି।ଏହି ଅବସରରେ ମାଲକାନଗିରି ଡିଏଫଓଙ୍କ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୭ ତାରିଖରେ ଇକୋ କ୍ଲବ୍ ସ୍କୁଲ୍, ଭିଏସଏସ ଗ୍ରାମଗୁଡ଼ିକ ଏବଂ ପବିତ୍ର ଜଙ୍ଗଲ ସ୍ଥାନଗୁଡ଼ିକରେ ବୃକ୍ଷରୋପଣ ଉପରେ ମୁଖ୍ୟ ଧ୍ୟାନ ଦିଆଯାଇଛି। ଜୈବିକ ବିବିଧତା ବଜାୟ ରଖିବା ପାଇଁ ସ୍ଥାନୀୟ ବୃକ୍ଷ ପ୍ରଜାତିଗୁଡ଼ିକୁ ରୋପଣ କରାଯାଉଛି। ଏହାସହ ବରଗଛର ବିଶେଷ ଗୁରୁତ୍ବ ଓ ମହତ୍ତ୍ବକୁ ଦୃଷ୍ଟିରେ ରଖି 'ବରଗଛ ବନ୍ଧୁ' ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି | ଅନ୍ୟପଟେ ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡ଼କାମି ଜବାହର ନବୋଦୟ ବିଦ୍ୟାଳୟ କ୍ୟାମ୍ପସରେ 'ଏକ ପେଡ୍ ମା' କେ ନାମ୍' ଅଭିଯାନରେ ଶତାଧିକ ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କରିଛନ୍ତି। ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏକ ମାସବ୍ୟାପୀ ସେବା ସଂକଳ୍ପ ଅଭିଯାନରେ ବିଧାୟକ ସାମିଲ ହୋଇ ଜିଲ୍ଲାବାସୀଙ୍କ ବିକାଶ ନିମନ୍ତେ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି । ଅଞ୍ଚଳର ନାଗରିକ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଏହି ସକ୍ରିୟ ଭାଗିଦାରୀ ପରିବେଶ ସୁରକ୍ଷା ଓ ସାମାଜିକ ସେବା କ୍ଷେତ୍ରରେ ଏକ ସକାରାତ୍ମକ ବାର୍ତ୍ତା ଦେଇଛି।
