Harassed by Police Officer:ପୁଲିସ ଅଧିକାରୀଙ୍କ ନାଁରେ ଯୌନ ଉତ୍ପୀଡ଼ନ ତଦନ୍ତ ସାଙ୍ଗକୁ ପଦୋନ୍ନତି
ଦିଲ୍ଲୀରେ ପୋଲିସ ପ୍ରଶାସନର କାର୍ଯ୍ୟଶୈଳୀକୁ ନେଇ ବିବାଦ |ଜନ୍ତର ମନ୍ତରରେ ଅକ୍ଟୋବର ୩ର ପ୍ରତିବାଦ ସମୟରେ ପୁଲିସ କର୍ମଚାରୀଙ୍କ ବିରୋଧରେ ୩ ମହିଳା ସାମ୍ବାଦିକ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ତଦନ୍ତ ପାଇଁ କ୍ରାଇମ୍ ବ୍ରାଞ୍ଚକୁ ପଠାଯାଇଥିବା ବେଳେ ଅଭିଯୋଗରେ ନାମ ଥିବା ପୁଲିସ ଅଧିକାରୀ ଏସିପି ବିବେକ ଭଗତଙ୍କୁ ଅତିରିକ୍ତ ଡିସିପି ଭାବେ ପଦୋନ୍ନତି ଦିଆଯାଇଛି।
ନୂଆଦିଲ୍ଲୀ:ନୂଆଦିଲ୍ଲୀରେ ମହିଳା ସାମ୍ବାଦିକଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ବିବାଦ ମଧ୍ୟରେ ଦିଲ୍ଲୀ ପୁଲିସର ଜଣେ ଅଧିକାରୀଙ୍କୁ ଅସ୍ଥାୟୀ ପଦୋନ୍ନତି ମିଳିଛି। ଆସିଷ୍ଟାଣ୍ଟ କମିଶନର ଅଫ୍ ପୁଲିସ (ACP) ବିବେକ ଭଗତଙ୍କୁ ଅସ୍ଥାୟୀ ଭାବେ ଆଡିସନାଲ୍ ଡେପୁଟି କମିଶନର ଅଫ୍ ପୁଲିସ (ADCP) ପଦର ଦାୟିତ୍ୱ ଦିଆଯାଇଛି। ମାମଲାଟି ଅକ୍ଟୋବର ୩ରେ ଜନ୍ତରମନ୍ତରରେ ଅନୁଷ୍ଠିତ ଏକ ପ୍ରତିବାଦ ସମୟରେ ଆରମ୍ଭ ହେଇଥିଲା | ୩ ଜଣ ମହିଳା ସାମ୍ବାଦିକ ଏସିପି ବିବେକ ଭଗତଙ୍କ ବିରୋଧରେ ଯୌନ ନିର୍ଯାତନା ଏବଂ ଅସଦାଚରଣ ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗକୁ ତଦନ୍ତ ପାଇଁ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିବାବେଳେ ଘଟଣାର ଦୁଇ ଦିନ ପରେ ଭଗତଙ୍କ ପଦୋନ୍ନତି ଆଦେଶ ଜାରି ହୋଇଛି।ସୋମବାର ଜାରି ହୋଇଥିବା ଆଦେଶରେ ଭଗତଙ୍କ ସମେତ ୧୨ ଜଣ DANIPS ଅଧିକାରୀଙ୍କୁ ଅସ୍ଥାୟୀ ଭାବେ ଆଡିସନାଲ୍ DCPଙ୍କ ନିୟମିତ ଦାୟିତ୍ୱ ଦିଆଯାଇଛି।
ତେବେ,ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଏହି ଅଧିକାରୀମାନଙ୍କୁ କେବଳ ଦୈନନ୍ଦିନ ରୁଟିନ୍ ଦାୟିତ୍ୱର ଅସ୍ଥାୟୀ ଚାର୍ଜ ଦିଆଯାଇଛି ଏବଂ ସେମାନେ ଅତିରିକ୍ତ ଡିସିପିଙ୍କ କୌଣସି ଆଇନଗତ କ୍ଷମତା ବ୍ୟବହାର କରିପାରିବେ ନାହିଁ। ଗୃହ ମନ୍ତ୍ରଣାଳୟ ନିୟମିତ ଭାବେ ଏହି ପଦଗୁଡ଼ିକ ପୂରଣ କରିବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ।
