ITBP Tibetan Language Training:ସୀମା ସୁରକ୍ଷା ପାଇଁ ତିବ୍ଦତୀୟ ଭାଷା ଶିଖିଲେ ITBP ଯବାନ
ସୀମା ସୁରକ୍ଷା ପାଇଁ ଆଇଟିବିପିର ନେଇଛି ବଡ଼ ପଦକ୍ଷେପ | ଭାରତ-ତିବ୍ଦତ ସୀମା ପୋଲିସ (ITBP) ର ୧୫ ରୁ ଅଧିକ ଯବାନ ହିମାଚଳ ପ୍ରଦେଶର ଧର୍ମଶାଳାରେ ତିବ୍ଦତୀୟ ଭାଷା ଶିଖିବା ଆରମ୍ଭ କରିଛନ୍ତି | ତିବ୍ଦତୀୟ ଭାଷା, ଭାରତ-ଚୀନ ସୀମାରେ ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗକୁ ସହଜ କରିବା ଏବଂ ଗୁପ୍ତଚର ବ୍ୟବସ୍ଥାକୁ ମଜବୁତ କରିବାରେ ସାହାର୍ଯ୍ୟ କରିବା |
ଧର୍ମଶାଳା:ଭାରତ-ଚୀନ ସୀମାରେ ସୁରକ୍ଷା ଏବଂ ଗୁପ୍ତଚର ବ୍ୟବସ୍ଥା ମଜଭୁତ କରିବାପାଇଁ ଏକ ଅଭିନବ ପଦକ୍ଷେପ ନେଇଛି ଗୃହ ମନ୍ତ୍ରଣାଳୟ | ସୀମାରେ ମୁତୟନ ଥିବା ଭାରତ-ତିବ୍ଦତ ସୀମା ପୋଲିସ (ITBP) ର ପ୍ରାୟ ୧୫ ଜଣ ଯବାନ ଏବେ ଧର୍ମଶାଳାରେ ତିବ୍ଦତୀୟ ଭାଷା ଶିଖୁଛନ୍ତି | ସୀମାନ୍ତ ଅଞ୍ଚଳରେ ରହୁଥିବା ସ୍ଥାନୀୟ ଲୋକଙ୍କ ସହ ଉତ୍ତମ ଯୋଗାଯୋଗ ରଖିବା ଏବଂ ସେମାନଙ୍କର ସଂସ୍କୃତିକୁ ଭଲଭାବେ ବୁଝିବା ଉଦ୍ଦେଶ୍ୟରେ ନିଆଯାଇଛି ଏହି ବିଶେଷ ପଦକ୍ଷେପ | ଗୃହ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଆଇଟିବିପିର ମହାନିର୍ଦ୍ଦେଶକଙ୍କ ଅନୁରୋଧ କ୍ରମେ 'ଲାଇବ୍ରେରୀ ଅଫ୍ ତିବ୍ଦତୀୟ ୱାର୍କସ ଆଣ୍ଡ ଆର୍କାଇଭ୍ସ' (LTWA) ସହାୟତାରେ ଏହି ୩ ମାସିଆ ତାଲିମ ଶିବିର ଆରମ୍ଭ ହେଇଛି | ଶେଷ ଥର ପାଇଁ ୨୦୦୬ ମସିହାରେ ଏଭଳି ଏକ ବ୍ୟାଚ୍କୁ ତାଲିମ ଦିଆଯାଇଥିଲାବେଳେ ଦୀର୍ଘ ଦୁଇ ଦଶନ୍ଧି (୨୦ ବର୍ଷ) ର ବ୍ୟବଧାନ ପରେ ପୁଣି ଥରେ ଆରମ୍ଭ ହୋଇଛି | ଗତ ୨୮ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏହି ଖାସ କୋର୍ସଟି ସୀମାରେ ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗକୁ ସହଜ କରିବାରେ ସାହାର୍ଯ୍ୟ କରିବ |
ସଂସ୍ଥାର ନିର୍ଦ୍ଦେଶକ ଗେସେ ଲ୍ହାକଡୋର କହିଛନ୍ତି ଯେ, ଏହା ହେଉଛି ଆଇଟିବିପିର ୭ମ ବ୍ୟାଚ୍, ଯେଉଁଥିରେ ବିଭିନ୍ନ ରାଜ୍ୟର ଯବାନମାନେ ସାମିଲ ଅଛନ୍ତି | ସୀମାରେ ନିୟୋଜିତ ଯବାନମାନଙ୍କୁ ପ୍ରାୟତଃ ଏଭଳି ଗ୍ରାମବାସୀଙ୍କ ସହ ସାମ୍ନା ହେବାକୁ ପଡ଼େ ଯେଉଁମାନେ ହିନ୍ଦୀ କିମ୍ବା ଇଂରାଜୀ ଭାଷା ଜାଣିନଥାନ୍ତି | ଏଭଳି ସ୍ଥିତିରେ ଯବାନମାନେ ଯଦି ତିବ୍ଦତୀୟ ଭାଷାରେ ପଢ଼ିବା, ଲେଖିବା ଏବଂ କହିବା ଶିଖିଯିବେ, ତେବେ ସୀମାନ୍ତ ଗାଁର ସୁରକ୍ଷା ଓ ସ୍ଥାନୀୟ ଲୋକଙ୍କ ସହ ସମ୍ପର୍କ ଅଧିକ ନିବିଡ଼ ହୋଇପାରିବ |
