ଅଧିକ ସୁଧ ଲୋଭ ଦେଖାଇ ଫସିଲା କି HDFC Bank?

ଅଧିକ ସୁଧ ଲୋଭ ଦେଖାଇ ଫସିଲା କି HDFC Bank?
HDFC Bank ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ। ବ୍ୟାଙ୍କ ପ୍ରାୟ ₹45 କୋଟି ଟଙ୍କାକୁ “ମାର୍କେଟିଂ ଖର୍ଚ୍ଚ” ଭାବେ ଦେଖାଇ ତଥ୍ୟ ଲୁଚାଇଥିବା ଭଳି ରିପୋର୍ଟ ଆସିଛି। ଅତିରିକ୍ତ ସୁଧ ଦେବାର ଲୋଭ ଦେଖାଇ ଅଧିକ ଜମା ଆକର୍ଷଣ ଲାଗି ଏଚଡିଏଫସି ବ୍ୟାଙ୍କ ଏଭଳି କରିଥିବା ଅଭିଯୋଗ ଆସିଛି। ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ର ରାଜ୍ୟ ସଡ଼କ ଉନ୍ନୟନ ନିଗମ (MSRDC) ଠାରୁ ବଡ଼ ଡିପୋଜିଟ୍ ନେବା ପାଇଁ ବ୍ୟାଙ୍କ ଅଧିକ ସୁଧ ଦେବାକୁ ଚେଷ୍ଟା କରିଥିଲା। କିନ୍ତୁ ବ୍ୟାଙ୍କିଂ ନିୟମ ଅନୁସାରେ ଏଭଳି ଅତିରିକ୍ତ ସୁଧ ସିଧାସଳଖ ଭାବେ ଦେବା ଉଚିତ୍ ନୁହେଁ। ଏହିକାରଣରୁ ଏହାକୁ “ମାର୍କେଟିଂ ଏବଂ ସ୍ପନସରସିପ୍ ଖର୍ଚ୍ଚ” ଭାବେ ଦେଖାଯାଇଥିବା ବୋଲି ଦାବି ହେଉଛି। କିଛି ଖର୍ଚ୍ଚ ରୋଡ୍ ସେଫ୍ଟି କ୍ୟାମ୍ପେନ୍ ଓ ଅନ୍ୟାନ୍ୟ ପ୍ରୋଗ୍ରାମ୍ ମାଧ୍ୟମରେ ଚ୍ୟାନେଲ୍ କରାଯାଇଥିବା ବୋଲି ରିପୋର୍ଟ ମଧ୍ୟ କହିଛି। ଅଭିଯୋଗର ମୁଖ୍ୟ ମୁଦ୍ଦା ଥିଲା କି, ପ୍ରାୟ ₹45 କୋଟି ଟଙ୍କା ୨୦୨୪-୨୫ ଆର୍ଥିକ ବର୍ଷରେ ଦେଖାଯାଇଥିଲା। ଏ ବାବଦରେ ବ୍ୟାଙ୍କର ଉଚ୍ଚ ପଦାଧିକାରୀ ବି ଜାଣିଥିଲେ। ଆଭ୍ୟନ୍ତରୀଣ ତଦନ୍ତରେ ଏହାକୁ ବ୍ୟାଙ୍କର ସାଧାରଣ ନିୟମ ବର୍ହିଭୂତ ବୋଲି କୁହାଯାଇଛି। HDFC Bank ଏହି ଅଭିଯୋଗକୁ ଅସ୍ୱୀକାର କରିଛି। ବ୍ୟାଙ୍କ କହିଛି ଯେ, ତାଙ୍କର ଆଭ୍ୟନ୍ତରୀଣ ଅଡିଟ୍ ଓ କଣ୍ଟ୍ରୋଲ୍ ବ୍ୟବସ୍ଥା ଶକ୍ତିଶାଳୀ ଅଟେ। ଏ ସମ୍ପର୍କିତ ଅଭିଯୋଗ କୌଣସି ତଥ୍ୟ ଆଧାରିତ ନୁହେଁ। ତଦନ୍ତ ପରେ ସଠିକ୍ ତଥ୍ୟ ସାମ୍ନାକୁ ଆସିବ। କୌଣସି ଆର୍ଥିକ ଅନିୟମିତତା ହୋଇନି କି କୌଣସି ସିକ୍ରେଟ ଡିଲ୍ ହୋଇନି। ଏହି ଖବର ବଜାରରେ ନିବେଶକଙ୍କ ଉପରେ ପ୍ରଭାବ ପକାଇଛି। ବ୍ୟାଙ୍କର ସେୟାର ମୂଲ୍ୟ କିଛି ପ୍ରତିଶତ କମିଥିବା ରିପୋର୍ଟ ଆସିଛି। ଏହି ଘଟଣା ବର୍ତ୍ତମାନ ତଦନ୍ତାଧିନ ରହିଛି। ବାସ୍ତବରେ ନିୟମ ଉଲ୍ଲଂଘନ ହୋଇଛି କି ନାହିଁ, ତାହା ଆଗାମୀ ତଦନ୍ତ ପରେ ସ୍ପଷ୍ଟ ହେବ। ୪୫ କୋଟି ପେମେଣ୍ଟ କେସରେ ଏଚଡିଏଫସି ବ୍ୟାଙ୍କର ମୁସ୍କିଲ ବଢ଼ିଛି। ଏ ମାମଲା ବ୍ୟାଙ୍କିଂ ସିଷ୍ଟମରେ ପାରଦର୍ଶିତା, କର୍ପୋରେଟ ଗଭର୍ଣ୍ଣାନ୍ସ ଓ ନିୟମ ଅନୁପାଳନକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା କରିଛି। ମହାରାଷ୍ଟ୍ର ଷ୍ଟେଟ ରୋଡ୍ ଡେଭେଲପମେଣ୍ଟ କର୍ପୋରେସନ ସରକାରୀ ସଂସ୍ଥା ଅଟେ। ଏହି ସଂସ୍ଥାକୁ ଧାର୍ଯ୍ୟ ସୁଧରୁ ଅଧିକ ରିଟର୍ଣ୍ଣ ନେଇ ଏକ ଅଲଗା ବ୍ୟବସ୍ଥା ଆପଣାଇଥିଲା। ଅତିରିକ୍ତ ସୁଧ ସିଧା ଖାତାରେ ଦେବା ବଦଳରେ ଏହାକୁ ମାର୍କେଟିଂ ଖର୍ଚ୍ଚ ଭାବେ ଦର୍ଶାଯାଇଥିଲା। ରାସ୍ତା ନିରାପତ୍ତା ନାଁରେ କିଛି ଭେଣ୍ଡର୍ସଙ୍କ ଜରିଆରେ ଏହାକୁ ଭରଣା କରାଯାଇଥିଲା। ଇଣ୍ଟରନାଲ ଅଡିଟ୍ ଏହି ନେଣଦେଣ ଉପରେ ପ୍ରଶ୍ନ କରିଥିଲା। ଅଡିଟ୍ ରିପୋର୍ଟରେ ବିଭାଗର କାର୍ଯ୍ୟଶୈଳୀ ଅସନ୍ତୋଷଜନକ ବୋଲି ଦର୍ଶାଯାଇଥିଲା। ଏହା ପରେ ବ୍ୟାଙ୍କିଂର ଅଡିଟ୍ କମିଟି ଇଣ୍ଟରନାଲ ଭିଜିଲାନ୍ସ ଇନଭେଷ୍ଟିଗେସନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଙ୍କର ସିଇଓ ଶଶୀଧର ଜଗଦୀଶନ ବି ଏ ମାମଲାରେ ପୁରା ସ୍କାନରରେ ଅଛନ୍ତି। ସୂଚନା ଅନୁସାରେ, ୨୦୨୧ରେ ଏଚଡିଏଫସି ବ୍ୟାଙ୍କ ଏମଏସଆରଡିସିକୁ ବଡ଼ ଜମା କରିବାକୁ ପ୍ରଲୋଭନ ଦେଖାଇଥିଲା। ସେତେବେଳେ ବ୍ୟାଙ୍କ ସେଭିଂ ଆକାଉଣ୍ଟ ଉପରେ ପ୍ରାୟ ୩.୫ ସୁଧ ଦେଉଥିଲା। ଯେବେକି ଅଲଗା ବ୍ୟାଙ୍କ୍ ଏମଏସଆରଡିସିକୁ ୬ ପ୍ରତିଶତରୁ ଅଧିକ ରିଟର୍ଣ୍ଣର ଅଫର ଦେଇଥିଲା। କିନ୍ତୁ ଏମଏସଆରଡିସି ୬.୧ ପ୍ରତିଶତ ରିଟର୍ଣ୍ଣ ମାଗୁଥିଲା। କୁହାଯାଉଛି, ବ୍ୟାଙ୍କ କିଛି ସମୟ ଧରି ୪.୫ ପ୍ରତିଶତ ଯାଏ ସ୍ୱତନ୍ତ୍ର ସୁଧ ଦେବ ବୋଲି ମଞ୍ଜୁରୀ ଦେଇଥିଲା। କିନ୍ତୁ ଅଧିକ ଜମା ନ ଆସିବାରୁ ଏହି ବ୍ୟବସ୍ଥା ବନ୍ଦ କରିଦେଲା। ଏହା ପରେ ଅତିରିକ୍ତ ସୁଧ ନାଁରେ ମାର୍କେଟିଂ ଖର୍ଚ୍ଚ ଜରିଆରେ ଏହାକୁ ଆଡଜଷ୍ଟ କରିବାକୁ ଯୋଜନା କରିଥିଲା। କିଛି ରିପୋର୍ଟ ଦାବି କରିଛି ଯେ, ଅନେକ ଦସ୍ତାବିଜ୍ ଲିଗାଲ ଓ କମ୍ପ୍ଲାଏନ୍ସ ଟିମ ବିନା ମଞ୍ଜୁରୀରେ ପ୍ରସ୍ତୁତ ହୋଇଥିଲା। ଏହା ସହ ଆରବିଆଇ ନିୟମକୁ ବି ଉଲ୍ଲଂଘନ କରାଯାଇଥିଲା। କାରଣ ଆରବିଆଇ ନିୟମ କହୁଛି, କୌଣସି ନିର୍ଦ୍ଦିଷ୍ଟ ଗ୍ରାହକ ଲାଗି ସୁଧର ଦର ଅଲଗା ଭାବେ ସ୍ଥିର କରିପାରିବନି ବ୍ୟାଙ୍କ। ସେଥିଲାଗି ବ୍ୟାଙ୍କର ଲାଞ୍ଚ ଓ ଦୁର୍ନୀତି ବିରୋଧୀ ନୀତିର ଉଲ୍ଲଂଘନର ଆଶଙ୍କା ରହୁଛି।
