Hospital negligence:ଏରସମା ମେଡିକାଲ ସମ୍ମୁଖରେ ଧାରଣା, ଅଧଘଣ୍ଟାରେ ଠିକ୍ ହେଲା ଜେନେରେଟର
ନାଁକୁ ମୁଖ୍ୟ ଡାକ୍ତରଖାନା,କିନ୍ତୁ ବିଦ୍ୟୁତ୍ କାଟ୍ ହେଲେ ଅନ୍ଧାର ଘର | ଠିଆ ହେଇଛନ୍ତି ରୋଗୀ, ଚାଲୁନି ଜେନେରେଟର | ଜେନେରେଟରର ଡିଜେଲ, ମୋବିଲ ଓ ମରାମତି ପାଇଁ ଆସୁଥିବା ଅର୍ଥ ଯାଉଛି କୁଆଡେ ? ତଦନ୍ତ ପାଇଁ ଦାବି
ଏରସମା:ଏରସମା ମୁଖ୍ୟ ଡାକ୍ତରଖାନାରେ ବିଦ୍ୟୁତ୍ ସରବରାହ ବନ୍ଦ ସମୟରେ ଜେନେରେଟର ଚାଲୁ ନହେବାକୁ ନେଇ ମେଡିକାଲ ସମ୍ମୁଖରେ ଧାରଣା ଦେଇଛନ୍ତି ଜିଲ୍ଲା କଂଗ୍ରେସ ମୁଖପାତ୍ର ଅଭିଜିତ ସାହୁ ଓ ସରପଞ୍ଚ ରଞ୍ଜନ କୁମାର ଜେଠୀ।ଅଭିଯୋଗ ଅନୁସାରେ, ଆଜି ଶିଶୁ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଆସିଥିବାରୁ ମେଡିକାଲରେ ରୋଗୀଙ୍କ ଭିଡ଼ ଥିଲା। ଏହି ସମୟରେ ବର୍ଷା ଯୋଗୁଁ ବିଦ୍ୟୁତ୍ କାଟ୍ ହୋଇଥିବା ବେଳେ ଜେନେରେଟର ଚାଲୁ ନଥିବାରୁ ମହିଳା, ଶିଶୁ ଓ ରୋଗୀଙ୍କ ସମ୍ପର୍କୀୟମାନେ ଗରମରେ ହଇରାଣ ହୋଇଥିଲେ।ଘଟଣାକୁ ନେଇ ଅଭିଜିତ ସାହୁ ଓ ରଞ୍ଜନ ଜେଠୀ ମେଡିକାଲ ପରିସରରେ ଧାରଣାରେ ବସିବା ପରେ ପ୍ରାୟ ଅଧଘଣ୍ଟା ମଧ୍ୟରେ ଜେନେରେଟର ମରାମତି ହୋଇଥିଲା।ଜେନେରେଟରର ଡିଜେଲ, ମୋବିଲ ଓ ମରାମତି ପାଇଁ ଆସୁଥିବା ଅର୍ଥର ସଠିକ୍ ବ୍ୟବହାର ହେଉଛି କି ନାହିଁ, ତାହାର ତଦନ୍ତ ସହ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଜିତ ସାହୁ।ମେଡିକାଲ ଡାକ୍ତର ଡଃ ଅମୀୟ ସ୍ୱାଇଁଙ୍କ ଅନୁରୋଧ ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ବେଳେ, ଅବ୍ୟବସ୍ଥା ଜାରି ରହିଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି।
