Odisha Preaparation For Cyclone: ବଙ୍ଗୋପସାଗରରେ ଅବପାତ-ଗଞ୍ଜାମରୁ ମାଲକାନଗିରି ଯାଏଁ ହାଇଆଲର୍ଟ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଆହୁରି ଘନୀଭୂତ ହେଉଛି। ଆଗାମୀ ୧୨ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା ୨୩ ତାରିଖ ରାତିରୁ ୨୪ ତାରିଖ ସକାଳ ମଧ୍ୟରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଆହୁରି ଘନୀଭୂତ ହେଉଛି। ଆଗାମୀ ୧୨ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା ୨୩ ତାରିଖ ରାତିରୁ ୨୪ ତାରିଖ ସକାଳ ମଧ୍ୟରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ। ଆଇଏମ୍ଡିର ସୂଚନା ଅନୁସାରେ, ସେପ୍ଟେମ୍ବର ୨୨ ତାରିଖ ସକାଳ ସାଢ଼େ ୮ଟାରେ ଅବପାତଟି ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଥିଲା। ଏହା ଗୋପାଳପୁରଠାରୁ ପ୍ରାୟ ୨୦୦ କିଲୋମିଟର ଦକ୍ଷିଣ-ପୂର୍ବ, କଳିଙ୍ଗପଟ୍ଟନମ୍ଠାରୁ ୨୦୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ ଏବଂ ପୁରୀଠାରୁ ପ୍ରାୟ ୨୧୦ କିଲୋମିଟର ଦକ୍ଷିଣରେ ରହିଥିଲା। ଆଗାମୀ ୧୨ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି। ସେପ୍ଟେମ୍ବର ୨୩ ରାତିରୁ ୨୪ ତାରିଖ ସକାଳ ମଧ୍ୟରେ ବିଶାଖାପଟ୍ଟନମ୍ ଓ ଗୋପାଳପୁର ମଧ୍ୟରେ ଏହା ଉପକୂଳ ଅତିକ୍ରମ କରିପାରେ। ଏହାର ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। କେତେକ ସ୍ଥାନରେ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷାର ଆଶଙ୍କା ରହିଛି। ମଙ୍ଗଳବାର ସନ୍ଧ୍ୟାରୁ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିପାରେ। ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିବା ସହ ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ପାଣିପାଗ ବିଭାଗର ସତର୍କତାକୁ ଦୃଷ୍ଟିରେ ରଖି ଓଡ଼ିଶାର କିଛି ଜିଲ୍ଲାରେ ସ୍କୁଲ୍ ଓ ଅଙ୍ଗନବାଡ଼ି ବନ୍ଦ ଘୋଷଣା କରାଯାଇଛି। ଖୋର୍ଦ୍ଧାରେ ମଙ୍ଗଳବାରରୁ ଗୁରୁବାର ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରହିବ। ଗଞ୍ଜାମରେ ମଧ୍ୟ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ୍ ବନ୍ଦ ରହିବ। ଜଗତସିଂହପୁରରେ ମଙ୍ଗଳବାର ସ୍କୁଲ୍ ଓ ଅଙ୍ଗନବାଡ଼ି ବନ୍ଦ ରହିଥିବାବେଳେ, ଗଜପତିରେ ମଙ୍ଗଳବାରରୁ ଗୁରୁବାର ପର୍ଯ୍ୟନ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ବନ୍ଦ ରହିବ। ବଙ୍ଗପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଗୋପାଳପୁର ସମୁଦ୍ର ଅଶାନ୍ତ ରହିଥିବାବେଳେ, ପାତ୍ରପୁର ଅଂଚଳରେ ୧୬ ଜଣ ଗର୍ଭବତୀ ମହିଳାଙ୍କୁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଆନ୍ଧ୍ର ପ୍ରଦେଶର ୩୦ ଗୋଟି ଟ୍ରଲରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଗଂଜାମ ଜିଲ୍ଲା ପ୍ରଶାସନ। ସମୁଦ୍ର ସ୍ଥିତି ସ୍ୱାଭାବିକ ଆଡକୁ ଆସିଲେ ଟ୍ରଲରକୁ ଛଡ଼ାଯିବ ବୋଲି କହିଛନ୍ତି ଗଂଜାମ ଜିଲ୍ଲା ପ୍ରଶାସନ। ସେହିପରି ଗଜପତି ଜିଲ୍ଲାରେ ଗତକାଲି ରାତିଠାରୁ ଝିପିଝିପି ବର୍ଷା ଲାଗିରହିଛି । ୨୪ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷିବାର ସମ୍ଭାବନା ରହିଥିବାରୁ ପ୍ରଶାସନ ତରଫରୁ ସମସ୍ତ ସ୍କୁଲ ,ଅଙ୍ଗନବାଡି କୁ ଛୁଟି ଘୋଷଣା କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଆସନ୍ତା ୨୩ ଓ ୨୪ ତାରିଖ ଦୁଇ ଦିନ ପାଇଁ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଏଥିସହ ନବରଙ୍ଗପୁର, ତେନ୍ତୁଳୀଖୁଣ୍ଟି, ନନ୍ଦାହାଣ୍ଡି, କୋଷାଗୁମୁଡ଼ା ଓ ପାପଡ଼ାହାଣ୍ଡି ଏହି ୫ଟି ବ୍ଲକ୍ ପାଇଁ ୫ ଜଣ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ସେହିପରି, ୨୩ ଓ ୨୪ ତାରିଖ ଦୁଇ ଦିନ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ଶିକ୍ଷା କେନ୍ଦ୍ର ବନ୍ଦ ରହିବ। ଏହାସହ ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଦେଶୀ ଡ଼ଙ୍ଗା ଯାତାୟାତ ଉପରେ ରୋକ ଲଗାଯାଇଛି। କନ୍ଧମାଳ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ ରହିଛି ବୋଲି କନ୍ଧମାଳ ଜିଲ୍ଲାପାଳ କହିଛନ୍ତି ! ଏହା ସହିତ କଳିଙ୍ଗା ଘାଟିରେ ଭୂଷ୍ଖଳନ ଆଶଙ୍କା ଥିବାରୁ ଆସନ୍ତା ୨୩ଏବଂ ୨୪ ତାରିଖ ଦୁଇ ଦିନ ପାଇଁ ଘାଟି ସିଲ କରାଯିବ। ପ୍ରସୂତି ମାନଙ୍କୁ ସୁରକ୍ଷିତ ପ୍ରସବ ପାଇଁ ନିକଟସ୍ଥ ମା ଗୃହ ଏବଂ ମେଡିକାଲ ଗୁଡ଼ିକରେ ଭର୍ତ୍ତି କରିବା ପାଇଁ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ନିର୍ଦେଶ ଦିଆଯାଇଛି ! ଜିଲ୍ଲାରେ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ ଟିମ ମଧ୍ୟ ସମ୍ପୂର୍ଣ ପ୍ରସ୍ତୁତ ରହିଛନ୍ତି। ଏପଟେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଧସିଲା ଲୁଣା ଘେରି ବନ୍ଧ ରାସ୍ତା । ସମୁଦ୍ର କୂଳରେ ନିର୍ମାଣ ହୋଇଥିବା ଏହି ରାସ୍ତାଟି ଧସି ଯାଇଥିବା ରୁ ସମୁଦ୍ର କୁଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତୁରନ୍ତ ଏହି ଲୁଣା ଘେରି ବନ୍ଧ ରାସ୍ତାର ମରାମତି ପାଇଁ ଲୋକେ ଦାବୀ କରିଛନ୍ତି। ସମ୍ଭାବ୍ୟ ବାତ୍ୟା ଏବଂ ପ୍ରବଳ ବର୍ଷାକୁ ନେଇ ମାଲକାନଗିରି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରିଛି। ଜିଲ୍ଲାର ସାତଟି ବ୍ଲକ୍ର ବିଡିଓ, ତହସିଲଦାର ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। କୌଣସି ଅଧିକାରୀ ନିଜ ନିଜ ମୁଖ୍ୟାଳୟ ନଛାଡ଼ିବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିକୂଳ ପାଣିପାଗ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଜରୁରୀକାଳୀନ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ତିନୋଟି ଓଡ୍ରାଫ୍ ଟିମ୍ର ମୋଟ ୩୮ ଜଣ ସଦସ୍ୟ ମାଲକାନଗିରିରେ ପହଞ୍ଚିଛନ୍ତି। ଏହି ଟିମ୍ଗୁଡ଼ିକୁ କାଲିମେଳା ଓ ମାଥିଲି ବ୍ଲକ୍ର ସମ୍ବେଦନଶୀଳ ଅଞ୍ଚଳରେ ନିୟୋଜିତ କରାଯାଇଛି। ଉଦ୍ଧାରକାରୀ ଦଳ ଆବଶ୍ୟକ ସରଞ୍ଜାମ ସହ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣାପଡ଼ିଛି। ବଙ୍ଗୋପସାଗରର ଅବପାତ ଧୀରେ ଧୀରେ ଘନୀଭୂତ ହେଉଥିବା ବେଳେ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି। ଅବପାତର ପରବର୍ତ୍ତୀ ଗତିପଥ ଓ ଏହାର ପ୍ରଭାବ ଉପରେ ଏବେ ନଜର ରହିଛି
