Sand Smuggling: ପଶ୍ଚିମବଙ୍ଗକୁ ବାଲି ଚାଲାଣ, ୧୨ ହାଇୱା ଜବତ
ପଶ୍ଚିମବଙ୍ଗକୁ ଚୋରା ବାଲି ଚାଲାଣ ଅଭିଯୋଗରେ ୧୨ଟି ହାଇୱା ଡମ୍ପର ଜବତ କଲା ତାଳସାରି ମେରାଇନ୍ ପୋଲିସ।
ବର୍ଡରରେ ଧରାପଡ଼ିଲା ବାଲିର ରହସ୍ୟ | ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ ପଶ୍ଚିମବଙ୍ଗକୁ ଚୋରା ବାଲି ଚାଲାଣ ଅଭିଯୋଗରେ ୧୨ଟି ହାଇୱା ଡମ୍ପର ଜବତ କରିଛି ତାଳସାରି ମେରାଇନ୍ ପୋଲିସ। ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନ କରି ୫୭ ନମ୍ବର ରାଜ୍ୟ ରାଜପଥ ଦେଇ ଉଦୟପୁର ବର୍ଡର ମାଧ୍ୟମରେ ପଶ୍ଚିମବଙ୍ଗକୁ ପ୍ରତିଦିନ ଶହ ଶହ ଟ୍ରିପ୍ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି।ସୂଚନା ଅନୁସାରେ, ବନ୍ୟାଞ୍ଚଳ ପରିଦର୍ଶନ କରି ଜିଲ୍ଲାପାଳ ଫେରୁଥିବା ସମୟରେ କମର୍ଦ୍ଦା ଅଞ୍ଚଳରେ ଏକ ବାଲି ବୋଝେଇ ଗାଡ଼ି ତାଙ୍କ ନଜରକୁ ଆସିଥିଲା। ପରେ ଗାଡ଼ିଟି ଯାଞ୍ଚ କରାଯାଇ ଜବତ ହୋଇଥିଲା। ଏହାପରେ ବାଲି ପରିବହନ ଉପରେ କଡ଼ା ନଜର ରଖିବାକୁ ସମସ୍ତ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ପରେ ତାଳସାରି ମେରାଇନ୍ ପୋଲିସ ଉଦୟପୁର ବର୍ଡର ଚେକ୍ ପୋଷ୍ଟରେ ଯାନବାହନ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ୧୨ଟି ହାଇୱାକୁ ଅଟକାଇ କାଗଜପତ୍ର ଯାଞ୍ଚ କରାଯାଇଥିଲା। କିଛି ଗାଡ଼ିରେ Mining Royalty ଥିଲେ ମଧ୍ୟ, କାଗଜପତ୍ରରେ ବାଲିର ଉତ୍ସସ୍ଥଳ ଭାବେ ଉଦୟପୁର ଉଲ୍ଲେଖ ଥିଲା। ବାଲି ପଶ୍ଚିମବଙ୍ଗକୁ ଯାଉଥିବାରୁ ସନ୍ଦେହ ଘନୀଭୂତ ହୋଇଥିଲା। ତଦନ୍ତ ପରେ ପୋଲିସ ୧୨ଟି ହାଇୱାକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
