Indonesia Ferry Capsizes: ଅଧା ରାତିରେ ଓଲଟିଲା ଜାହାଜ- ୬ମୃତ,୧୩୦ ଜଣଙ୍କ ପତ୍ତା ମିଳୁନି
ଜାହାଜର କ୍ୟାପଟେନ୍ ପୂର୍ବରୁ ୧୦ ଫୁଟର ତୋଫାନ ଲହଡ଼ି ସହ ପାଗ ଖରାପ ବାବଦରେ ଅବଗତ କରିଥିଲେ। ଆଉ ସେ ଏକ ସଂକଟ ସନ୍ଦେଶ ଜାରି କରି କହିଥିଲେ, ଜାହାଜ ନଇଁବାରେ ଲାଗିଲାଣି।

ଇଣ୍ଡୋନେସିଆରେ ବୁଡ଼ିଲା ଯାତ୍ରୀବାହି ଜାହାଜ। ୬ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୧୩୦ଜଣଙ୍କ ପତ୍ତା ମିଳୁନି। ଜାଭା ସାଗରରେ ପ୍ରତିକୂଳ ପାଗରୁ ଜାହାଜ ଓଲଟି ପଡ଼ିଥିଲା। ଏଯାଏଁ ୧୧୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଛି। ଜାହାଜରେ ମୋଟ୍ ୨୪୩ ଜଣ ଥିଲେ। ୧୩୦ ଯାତ୍ରୀଙ୍କ ସହ ଚାଳକ ଟିମଙ୍କ ଖୋଜଖବର ଲାଗି ନିରନ୍ତର ରେସକ୍ୟୁ ଅଭିଯାନ ଜାରି ରହିଛି। ରବିବାର ବିଳମ୍ୱିତ ରାତିରେ ଅଚାନକ ଜାହାଜ ସହ ସମ୍ପର୍କ ଛିନ୍ନ ହୋଇଯାଇଥିଲା। ଜାହାଜଟି ଜାଭାର ସୁରବାୟାରୁ ଦକ୍ଷିଣ କାଳିମନ୍ତାନ ପ୍ରାନ୍ତର ବଞ୍ଜର୍ମେସିନ ଯାଉଥିଲା। ମଝି ସମୁଦ୍ରରେ ପ୍ରାୟ ଦଶ ଫୁଟ ଉଚ୍ଚର ତୋଫାନ ଆସିବା ପରେ ଜାହାଜ ଟଳମଳ ହୋଇଥିଲା। ଆଉ ଏହା ଓଲଟି ପଡ଼ିଥିଲା। ଚାଳକ ଟିମରେ ୩୦ ସଦସ୍ୟଙ୍କ ସମେତ ସମସ୍ତ ଯାତ୍ରୀ ସମୁଦ୍ରରେ ବୁଡ଼ିଯାଇଥିଲେ। ତେବେ ଇଣ୍ଡୋନେସିଆର ପରିବହନ ମନ୍ତ୍ରୀ ଡୁଡି ପୁରଓ୍ୱାଗନ୍ଧୀ କହିଥିଲେ ଯେ, ଜାହାଟ ଓଲଟିଯାଇଛି। କିନ୍ତୁ ବୁଡ଼ି ନାହିଁ। ଏ ସୂଚନା ହେଲିକପ୍ଟର ରେସକ୍ୟୁ ଟିମର ଅବଲୋକନ ଆଧାରରେ ଦେଇଥିଲେ ମନ୍ତ୍ରୀ। ଜାହାଜର କ୍ୟାପଟେନ୍ ପୂର୍ବରୁ ୧୦ ଫୁଟର ତୋଫାନ ଲହଡ଼ି ସହ ପାଗ ଖରାପ ବାବଦରେ ଅବଗତ କରିଥିଲେ। ଆଉ ସେ ଏକ ସଂକଟ ସନ୍ଦେଶ ଜାରି କରି କହିଥିଲେ, ଜାହାଜ ନଇଁବାରେ ଲାଗିଲାଣି। ୧୭ହଜାର ଦ୍ୱୀପସମୂହର ଦେଶ ଇଣ୍ଡୋନେସିଆ। ପରିବହନ ଲାଗି ଫେରି ଉପରେ ଅଧିକନ୍ତୁ ନିର୍ଭରଶୀଳ। କାରଣ ସମୁଦ୍ରି ମାର୍ଗ ଆକାଶ ମାର୍ଗ ତୁଳନାରେ ଅଧିକ ଶସ୍ତା ଓ ସହଜରେ ଉପଲବ୍ଧ। ଜାଭା ସାଗରରେ ଓଲଟିଠିବା ଜାହାଜ ହେଉଛି Virgo Transport 8 । ଏଥିରେ ୨୧୩ ଯାତ୍ରୀ, ୩୦ କ୍ରିଉ ମେମ୍ୱର ଓ ୮୯ଟି ଗାଡ଼ି ଥିଲା। ରାତି ପ୍ରାୟ ୨ଟାରେ କ୍ୟାପଟେନ୍ ଡିସଟ୍ରେସ କଲ୍ ପଠାଇଥିଲେ। ଏହା ପରେ ଜାହାଜ ସହ ସମ୍ପର୍କ ତୁଟିଯାଇଥିଲା। ତେବେ ଜାହାଡ଼ ଓଲଟିବା ପରେ ରେସକ୍ୟୁ ଲାଗି ପାଖ ଦେଇ ଯାଉଥିବା ଦୁଇଟି ଟଗବୋଟ୍ ଓ ଗୋଟିଏ କାର୍ଗୋ ସିପ୍ ସାଜିଥିଲା ଜୀବନରେଖା। ଗୋଟିଏ ଜାହାଜ ୧୬ଜଣଙ୍କୁ ଉଦ୍ଧାର କରିଥିଲା ବେଳେ ଆଉ ଗୋଟିଏ ୩୮ ଜଣଙ୍କୁ ଉଦ୍ଧାର କରିଥିଲା। ଏଥିରେ ୫ ଜଣଙ୍କ ଶବ ଥିଲା। ଆଉ କାର୍ଗୋ ଭେସେଲ୍ MV Haida ଏକୁଟିଆ ୪୯ ଜଣଙ୍କୁ ଜୀବିତ ଉଦ୍ଧାର କରିଥିଲା। ବଞ୍ଜାରମେସିନରୁ ପ୍ରାୟ ୧୪୮ କିଲୋମିଟର ଦୂରରେ ଏହି ଜାହାଜ ଓଲଟିଛି।
