Jagannath Temple Land: ଜଗନ୍ନାଥ ଜମି ସେଟଲମେଣ୍ଟ, ୨ ବର୍ଷରେ ଶେଷ ହେବ ପ୍ରକ୍ରିୟା
ଶ୍ରୀଜଗନ୍ନାଥ ମନ୍ଦିର ଜମି ସେଟଲମେଣ୍ଟ ପାଇଁ ଖୁବ୍ଶୀଘ୍ର ଆସିବ ଅନଲାଇନ୍ ପୋର୍ଟାଲ। ଯୋଗ୍ୟ ବ୍ୟକ୍ତିଙ୍କୁ ନିୟମ ଅନୁଯାୟୀ ସେଟଲମେଣ୍ଟର ମିଳିବ ସୁଯୋଗ। ୨ ବର୍ଷରେ ଶେଷ ହେବ ପ୍ରକ୍ରିୟା।
ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମନ୍ଦିର ଜମି ସେଟଲମେଣ୍ଟ ପାଇଁ ଖୁବ୍ଶୀଘ୍ର ଆସିବ ଅନଲାଇନ୍ ପୋର୍ଟାଲ। ୨୦୦୭ ପୂର୍ବରୁ ଘରବାଡ଼ି ଜମି ଦଖଲରେ ଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ନିୟମ ଅନୁଯାୟୀ ସେଟଲମେଣ୍ଟର ସୁଯୋଗ ମିଳିବ। ସମଗ୍ର ପ୍ରକ୍ରିୟାକୁ ଦୁଇ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି। ଆବେଦନକାରୀଙ୍କୁ ପୋର୍ଟାଲରେ ରେକର୍ଡ, ରେଜିଷ୍ଟର୍ଡ ଡିଡ୍, ଭଡ଼ା ରସିଦ, ଭୋଗଦଖଲ ସମ୍ପର୍କିତ ଦଲିଲ ଏବଂ ଆବଶ୍ୟକ ହେଲେ ଲିଗାଲ୍ ହେୟାର୍ ସାର୍ଟିଫିକେଟ୍ ଦାଖଲ କରିବାକୁ ହେବ। ଏଥିପାଇଁ ୧,୦୦୦ ଟଙ୍କା ନନ୍-ରିଫଣ୍ଡେବଲ୍ ଫି ରହିବ। ଆବେଦନ ପରେ ୭ ଦିନ ମଧ୍ୟରେ ନୋଡାଲ୍ ଅଫିସର ପ୍ରାଥମିକ ଯାଞ୍ଚ କରିବେ। ପରେ ତହସିଲଦାରଙ୍କ ଦ୍ୱାରା ଫିଲ୍ଡ ଇନକ୍ୱାରି, ସାଇଟ୍ ଭିଜିଟ୍, ଜମିର ସ୍କେଡ୍ୟୁଲ୍ ଓ ଟ୍ରେସ୍ ମ୍ୟାପ୍, ସାବିକ-ହାଲ୍ ତୁଳନା ସହ ଭୋଗଦଖଲ ଓ ଟାଇଟଲ୍ ଯାଞ୍ଚ କରାଯିବ। ୩୦ ଦିନ ମଧ୍ୟରେ ତହସିଲଦାର ରିପୋର୍ଟ ଦାଖଲ କରିବେ। ଏହାପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ଯାଞ୍ଚ କରିବ। ଶ୍ରୀଜଗନ୍ନାଥ ଟେମ୍ପଲ୍ ମ୍ୟାନେଜିଂ କମିଟିର NOC ପରେ ସେଟଲମେଣ୍ଟ, ପ୍ରତ୍ୟାଖ୍ୟାନ କିମ୍ବା ଅଧିକ ତଦନ୍ତ ପାଇଁ ସୁପାରିସ୍ କରାଯିବ। ଜମିର ପରିମାଣ ଅନୁଯାୟୀ ତିନି ସ୍ତରରେ Competent Authority ନିଷ୍ପତ୍ତି ନେବେ। ୫୦ ଡେସିମିଲ୍ ପର୍ଯ୍ୟନ୍ତ ଘରବାଡ଼ି ଓ ୧ ଏକର ପର୍ଯ୍ୟନ୍ତ କୃଷି ଜମି ପାଇଁ କଲେକ୍ଟର, ୫୦ରୁ ୧୦୦ ଡେସିମିଲ୍ ଘରବାଡ଼ି ଓ ୧ରୁ ୨ ଏକର କୃଷି ଜମି ପାଇଁ RDC ନିଷ୍ପତ୍ତି ନେବେ। ଏହାଠାରୁ ଅଧିକ ନିର୍ଦ୍ଧାରିତ ସୀମାରେ ଆଇନ ବିଭାଗ ସଚିବଙ୍କ ଅନୁମୋଦନ ଆବଶ୍ୟକ ହେବ। ସେଟଲମେଣ୍ଟ ଅନୁମୋଦନ ପରେ ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ଡିମାଣ୍ଡ ନୋଟିସ୍ ଜାରି ହେବ। ଆବେଦନକାରୀଙ୍କୁ ନିର୍ଦ୍ଧାରିତ ରାଶି ୩ ମାସ ମଧ୍ୟରେ ଜମା କରିବାକୁ ହେବ। ପେମେଣ୍ଟ ପରେ ଡିଡ୍ ଏକ୍ଜିକ୍ୟୁସନ୍ ଓ ରେଜିଷ୍ଟ୍ରେସନ୍ ହେବ ଏବଂ ତହସିଲଦାରଙ୍କ ଦ୍ୱାରା ଜମି ରେକର୍ଡ ଓ ମ୍ୟାପ୍ରେ ସଂଶୋଧନ କରାଯିବ। ମଠ ପାଇଁ ପ୍ରଥମ ୧୦୦ ଡେସିମିଲ୍ ଜମି ମାଗଣା ରହିବ। ପରବର୍ତ୍ତୀ ୨୫୦ ଡେସିମିଲ୍ ପର୍ଯ୍ୟନ୍ତ ଜମି ପାଇଁ ବେଞ୍ଚମାର୍କ ଭାଲ୍ୟୁ ଦେବାକୁ ପଡ଼ିବ। ଦଖଲ ସମୟ ଅନୁଯାୟୀ ମଧ୍ୟ ଘରବାଡ଼ି ଜମି ପାଇଁ ଭିନ୍ନ ହାର ଧାର୍ଯ୍ୟ ହୋଇଛି। ୩୦ ବର୍ଷରୁ ଅଧିକ ଦଖଲ ଥିଲେ ସାଧାରଣ ଲୋକଙ୍କ ପାଇଁ BMVର ୧୦%, ସେବକଙ୍କ ପାଇଁ ୫% ଓ ନିଯୋଗ ସେବକଙ୍କ ପାଇଁ ୭.୫% ଦେବାକୁ ହେବ। ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଖୁବ୍ଶୀଘ୍ର ପୋର୍ଟାଲ ଆରମ୍ଭ ହେବ।
