Unsafe Buildings ବିପଦପୂର୍ଣ୍ଣ କୋଠା ଚିହ୍ନଟ ପାଇଁ ୧୫ ଦିନିଆ ଯାଞ୍ଚ: ଆବଶ୍ୟକ ସ୍ଥଳେ ଭଙ୍ଗାଯିବ ଅସୁରକ୍ଷିତ ନିର୍ମାଣ
ସହରାଞ୍ଚଳରେ ନାଗରିକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ବିପଦପୂର୍ଣ୍ଣ ଓ ଅସୁରକ୍ଷିତ କୋଠା ବିରୋଧରେ କଡ଼ା ପଦକ୍ଷେପ ନେବ ରାଜ୍ୟ ସରକାର। ଏଥିପାଇଁ ୧୫ ଦିନିଆ ଯାଞ୍ଚ ଓ ପରିଦର୍ଶନ ଅଭିଯାନ ଆରମ୍ଭ ହୋଇଛି। ଯାଞ୍ଚକାରୀ ଦଳ ସରକାରୀ ଓ ଘରୋଇ ବିପଦସଙ୍କୁଳ କୋଠାର ଗଠନାତ୍ମକ ସ୍ଥିତି ଯାଞ୍ଚ କରିବେ। ବିପଦପୂର୍ଣ୍ଣ ଭାବେ ଚିହ୍ନଟ ହେଲେ ଆଇନ ଅନୁଯାୟୀ ନୋଟିସ୍ ଏବଂ ଆବଶ୍ୟକ ସ୍ଥଳେ କୋଠା ଭାଙ୍ଗିବା ଭଳି ପଦକ୍ଷେପ ନିଆଯିବ। କଟକ ଓ ପୁରୀ ଭଳି ପୁରୁଣା ସହର ଉପରେ ରହିବ ବିଶେଷ ଫୋକସ୍।

ଭୁବନେଶ୍ୱର: ସହରାଞ୍ଚଳରେ ଅସୁରକ୍ଷିତ ଓ ବିପଦପୂର୍ଣ୍ଣ କୋଠାକୁ ନେଇ ଏବେ କଡ଼ା ଆଭିମୁଖ୍ୟ ଆପଣାଇଛନ୍ତି ରାଜ୍ୟ ସରକାର। ନାଗରିକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ବିପଦସଙ୍କୁଳ କୋଠାଗୁଡ଼ିକୁ ଚିହ୍ନଟ କରି ଯାଞ୍ଚ ଓ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁଯାୟୀ, ବିପଦପୂର୍ଣ୍ଣ ସରକାରୀ କୋଠାଗୁଡ଼ିକର ପୂର୍ବରୁ ମୂଲ୍ୟାଙ୍କନ କରାଯାଇଛି। ଚିହ୍ନଟ ହୋଇଥିବା କୋଠାଗୁଡ଼ିକୁ ନୋଟିସ୍ ମଧ୍ୟ ଜାରି କରାଯାଇଛି। ଆବଶ୍ୟକ ସ୍ଥଳେ ବିପଦସଙ୍କୁଳ କୋଠାକୁ ଭାଙ୍ଗିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ। କେବଳ ସରକାରୀ କୋଠା ନୁହେଁ, ଏହି ଯାଞ୍ଚ ପରିସରରେ ଘରୋଇ କୋଠାକୁ ମଧ୍ୟ ସାମିଲ କରାଯାଇଛି। ଦୁର୍ବଳ ଓ ବିପଦଜନକ ଅବସ୍ଥାରେ ଥିବା ଘରୋଇ କୋଠାଗୁଡ଼ିକର ଯାଞ୍ଚ କରାଯିବ। ଆବଶ୍ୟକ ହେଲେ ସମ୍ପୃକ୍ତ ମାଲିକଙ୍କୁ ନୋଟିସ୍ ଦେବା ସହ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ ଆରମ୍ଭ ହୋଇଛି ୧୫ ଦିନିଆ ଯାଞ୍ଚ ଅଭିଯାନ। ଗଠିତ ଯାଞ୍ଚକାରୀ ଦଳ ସନ୍ଦେହଜନକ କୋଠାଗୁଡ଼ିକର ସ୍ଥିତି ଯାଞ୍ଚ କରିବା ସହ ଗଠନାତ୍ମକ ଦୁର୍ବଳତା ଓ ସୁରକ୍ଷା ବ୍ୟବସ୍ଥାର ଆକଳନ କରିବେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଯାଞ୍ଚ ରିପୋର୍ଟ ଦାଖଲ ହେବ। ବିଶେଷକରି କଟକ ଓ ପୁରୀ ଭଳି ପୁରୁଣା ସହର ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଦୀର୍ଘବର୍ଷ ଧରି ରହିଥିବା ପୁରୁଣା ଓ ଦୁର୍ବଳ କୋଠାଗୁଡ଼ିକର ସ୍ଥିତି ଯାଞ୍ଚ କରାଯିବ। ସମ୍ପୃକ୍ତ ପୌରସଂସ୍ଥା ଓ ଅନ୍ୟ ବିଭାଗ ଏହି ଯାଞ୍ଚ ପ୍ରକ୍ରିୟାରେ ସହଯୋଗ କରିବେ। ସରକାରଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ଘଟିବା ପରେ ପଦକ୍ଷେପ ନେବା ଅପେକ୍ଷା ଆଗୁଆ ଭାବେ ବିପଦକୁ ଚିହ୍ନଟ କରି ତାହାର ପ୍ରତିକାର କରିବା ହେଉଛି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଯେଉଁ କୋଠାଗୁଡ଼ିକ ଯାଞ୍ଚ ପରେ ବିପଦପୂର୍ଣ୍ଣ ଭାବେ ଚିହ୍ନଟ ହେବ, ସେଗୁଡ଼ିକ ବିରୋଧରେ ଆଇନ ଅନୁଯାୟୀ ନୋଟିସ୍ ଓ ଆବଶ୍ୟକ ସ୍ଥଳେ ଭଙ୍ଗା ଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ। ଜନଜୀବନର ସୁରକ୍ଷା ପାଇଁ ବିପଦସଙ୍କୁଳ କୋଠା ଉପରେ ସରକାରଙ୍କ ଏହି କଡ଼ା ପଦକ୍ଷେପ କେତେ ସଫଳ ହେଉଛି, ଆଗାମୀ ଦିନରେ ତାହା ଉପରେ ରହିବ ନଜର।
