ଲଗାଣ ବର୍ଷା ପରେ ଜଣ୍ଡିସ୍ ଆତଙ୍କ, ଗରଡିହୀ ଗାଁରେ ୫ ଆକ୍ରାନ୍ତ
ଲଗାଣ ବର୍ଷା ପରେ ନୀଳଗିରି ବ୍ଲକର ଗରଡିହୀ ଗାଁରେ ୫ ଜଣ ଜଣ୍ଡିସ୍ରେ ଆକ୍ରାନ୍ତ ବୋଲି ଦାବି। ଏକାଧିକ ଲୋକ ଜ୍ୱରରେ ପୀଡ଼ିତ । ବସୁଧା ପାଇପ୍ ଫାଟିଥିବା ଅଭିଯୋଗ। ନଳକୂପରୁ ଗୋଳିଆ ପାଣି ବାହାରୁଥିବା ଅଭିଯୋଗ। ତୁରନ୍ତ ଡାକ୍ତରୀ ଟିମ୍ ଓ ପାଣି ପରୀକ୍ଷା ପାଇଁ ଦାବି।
ନୀଳଗିରି: ଲଗାଣ ବର୍ଷା ପରେ ନୀଳଗିରି ବ୍ଲକର ଗରଡିହୀ ଗାଁରେ ଜଣ୍ଡିସ୍ ଆତଙ୍କ। ଗାଁରେ ଏଯାବତ୍ ୫ ଜଣ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ଏକାଧିକ ଲୋକ ଜ୍ୱରରେ ପୀଡ଼ିତ ଥିବା ମଧ୍ୟ ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ଗାଁରେ ଭୟ ଓ ଆଶଙ୍କା ବଢ଼ିଛି।
ଗରଡିହୀ ଗାଁରେ ହଜାରେରୁ ଅଧିକ ଲୋକ ବସବାସ କରୁଥିବାବେଳେ ପାନୀୟ ଜଳ ପାଇଁ ଲୋକେ ନିକଟସ୍ଥ ବସୁଧା ଟାଙ୍କି ଓ ନଳକୂପ ଉପରେ ନିର୍ଭର କରନ୍ତି। ହେଲେ ବର୍ଷା ପରେ ଗାଁରେ ପାଣିର ଗୁଣବତ୍ତାକୁ ନେଇ ଅଭିଯୋଗ ଉଠିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଅନେକ ସ୍ଥାନରେ ବସୁଧା ପାଇପ୍ ଫାଟିଯାଇଛି। ଫଳରେ ବର୍ଷା ପାଣି ସହ ଗୋଳିଆ ଓ ଦୂଷିତ ପାଣି ପାଇପ୍ ଭିତରକୁ ପଶୁଥିବା ଅଭିଯୋଗ ହୋଇଛି। ପାଇପ୍ର ଚାବି ଥିବା ସ୍ଥାନଗୁଡ଼ିକ ମଧ୍ୟ ଠିକ୍ ଭାବେ ସଫା ହେଉନଥିବାରୁ ସେଠାରେ ପାଣି ଜମି ପୋକଜୋକ ହେଉଥିବା ଲୋକେ କହିଛନ୍ତି। କେବଳ ବସୁଧା ପାଣି ନୁହେଁ, ଗାଁର ନଳକୂପଗୁଡ଼ିକରୁ ମଧ୍ୟ ଗୋଳିଆ ପାଣି ବାହାରୁଥିବା ଦେଖିବାକୁ ମିଳୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ପାଣି ବ୍ୟବହାର ଓ ପାନ କରିବା ପରେ ପ୍ରଥମେ ଜ୍ୱର ଏବଂ ପରେ ଜଣ୍ଡିସ୍ ଭଳି ଲକ୍ଷଣ ଦେଖାଦେଉଥିବା ସେମାନେ କହିଛନ୍ତି। ଗାଁର ରଞ୍ଜିତ କୁମାର ପସା, ଜଗତଜୀବନ ଖିଲାର, ପ୍ରମୋଦ କୁମାର ଖିଲାର, ରଶ୍ମିରଞ୍ଜନ ଖିଲାର ଓ ସୁବି ପରିଡ଼ା—ଏହି ୫ ଜଣ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି। ଏଥିସହ ଗାଁରେ ଆହୁରି ଏକାଧିକ ଲୋକ ଜ୍ୱରରେ ପୀଡ଼ିତ ଥିବା ଦାବି କରାଯାଇଛି। ସ୍ଥିତି ଚିନ୍ତାଜନକ ହୋଇଥିଲେ ମଧ୍ୟ ଏଯାବତ୍ ଗାଁରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପହଞ୍ଚିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଡାକ୍ତରୀ ଟିମ୍ ପଠାଇ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ପାଣିର ନମୁନା ପରୀକ୍ଷା କରିବାକୁ ଦାବି ହୋଇଛି। ଏବେ ପ୍ରଶ୍ନ ଉଠୁଛି—ଗରଡିହୀ ଗାଁରେ ଜଣ୍ଡିସ୍ ବ୍ୟାପିବାର ପ୍ରକୃତ କାରଣ କଣ? ପାଣି ଦୂଷିତ ହୋଇଛି କି ନାହିଁ? ଏହାର ଉତ୍ତର ପାଇଁ ପାଣି ପରୀକ୍ଷା ଓ ଡାକ୍ତରୀ ଯାଞ୍ଚ ରିପୋର୍ଟକୁ ଅପେକ୍ଷା ରହିଛି।
