RI Suspend:ଜିଲ୍ଲାପାଳଙ୍କ ନିର୍ଦେଶରେ RI ନିଲମ୍ବିତ
ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ତହସିଲ କାର୍ଯ୍ୟାଳୟର ରାଜସ୍ୱ ନିରୀକ୍ଷକ (RI) ବିରଞ୍ଚି ନାରାୟଣ ଦାସଙ୍କୁ ନିଲମ୍ବନ କରାଯାଇଛି | ଏନେଇ ନବରଙ୍ଗପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତକାଲି ଏକ ଅଫିସ୍ ଅର୍ଡର ଜାରି କରାଯାଇଛି |
ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ତହସିଲ କାର୍ଯ୍ୟାଳୟର ରାଜସ୍ୱ ନିରୀକ୍ଷକ (RI) ବିରଞ୍ଚି ନାରାୟଣ ଦାସଙ୍କୁ ନିଲମ୍ବନ କରାଯାଇଛି | ଏନେଇ ନବରଙ୍ଗପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତକାଲି ଏକ ଅଫିସ୍ ଅର୍ଡର ଜାରି କରାଯାଇଛି | ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦର୍ଶାଇ ଓଡ଼ିଶା ସିଭିଲ୍ ସର୍ଭିସେସ୍ (କ୍ଲାସିଫିକେସନ୍, କଣ୍ଟ୍ରୋଲ୍ ଆଣ୍ଡ ଅପିଲ୍) ରୁଲ୍ସ, ୧୯୬୨ର ରୁଲ୍-୧୨ ଅନୁଯାୟୀ ତାଙ୍କୁ ତତ୍କାଳ ପ୍ରଭାବରେ ନିଲମ୍ବନ କରାଯାଇଥିବା ଅର୍ଡରରେ ଉଲ୍ଲେଖ ରହିଛି | ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିବା ପରେ ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିଲା | ଏହା ସତ୍ତ୍ୱେ RI ବିରଞ୍ଚି ନାରାୟଣ ଦାସ ଜରୁରୀକାଳୀନ ବନ୍ୟା ନିୟନ୍ତ୍ରଣ କାର୍ଯ୍ୟରେ ଯୋଗ ଦେଇନଥିବା ଏବଂ ଅନଧିକୃତ ଭାବେ କାର୍ଯ୍ୟରୁ ଅନୁପସ୍ଥିତ ରହିଥିବା ଅର୍ଡରରେ ଦର୍ଶାଯାଇଛି ନିଲମ୍ବନର କାରଣ ବୋଲି କୁହାଯାଇଛି | ନିଲମ୍ବନ ଅବଧିରେ ବିରଞ୍ଚି ନାରାୟଣ ଦାସ ଜିଲ୍ଲା ମୁଖ୍ୟାଳୟ ନବରଙ୍ଗପୁର କଲେକ୍ଟରେଟ୍ର ରେଭେନ୍ୟୁ ସେକ୍ସନ୍ରେ ରହିବେ | ସେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ରହିବେ | କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ | ଏହାସହ ନିଲମ୍ବନ କାଳରେ ତାଙ୍କୁ ଶେଷରେ ପାଇଥିବା ଦରମାର ୫୦ ପ୍ରତିଶତ ହାରରେ ସବ୍ସିଷ୍ଟେନ୍ସ ଆଲାଉନ୍ସ (ଜୀବିକା ଭତ୍ତା) ପ୍ରଦାନ କରାଯିବ ବୋଲି ଅର୍ଡରରେ ଉଲ୍ଲେଖ ରହିଛି | ତେବେ, କେଉଁ ନିର୍ଦ୍ଦିଷ୍ଟ ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ଏହି ଅର୍ଡରରେ ବିସ୍ତୃତ ବିବରଣୀ ଦିଆଯାଇନାହିଁ।
